ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଜାରିହେଲା ଆଡମିଟ୍ କାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦ ତାରିଖରେ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଏହି ପରୀକ୍ଷାକୁ କିଭଳି ସଠିକ୍ ଭାବେ ପରିଚାଳନା କରାଯିବ ସେନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବିଏସଇ), ଓଡ଼ିଶା ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି । ଚଳିତ ବର୍ଷ କପିକୁ ରୋକିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ ପରିଷଦ ପକ୍ଷରୁ କିଛି ନୂଆ ନିୟମ ଲାଗୁ କରାଯିବ ।

ତେବେ ଏହା ମଧ୍ୟରେ ବିଏସଇ, ଓଡ଼ିଶା ପକ୍ଷରୁ ମାଟ୍ରିକ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଜାରି କରାଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକମାନେ ବୋର୍ଡ ୱେବସାଇଟକୁ ଯାଇ ଛାତ୍ରଛାତ୍ରୀଙ୍କର ଆଡମିଟ କାର୍ଡ ଡାଉନଲୋଡ୍ କରିପାରିବେ । ସେହିପରି ଓଡ଼ିଶା ରାଜ୍ୟ ମୁକ୍ତ ବିଦ୍ୟାଳୟ, ସଂସ୍କୃତ ମଧ୍ୟମା ଓ ପତ୍ର ବିିମୟ ପାଠ୍ୟକ୍ରମରେ ବାର୍ଷିକ ପରୀକ୍ଷା ପାଇଁ ମଧ୍ୟ ଆଡମିଟ୍ କାର୍ଡ ଜାରି କରାଯାଇଛି ।

ସ୍କୁଲର ପ୍ରଧାନଶିକ୍ଷକମାନେ ନିଜ ସ୍କୁଲର କୋର୍ଡ ଓ ପାସୱାର୍ଡ ଦେଇ ସବିଶେଷ ତଥ୍ୟ ପାଇ ପାରିବେ । ଏ ବାବଦରେ ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥର ମାଟ୍ରିକ ପରୀକ୍ଷାର୍ଥୀମାନେ ଧାର୍ଯ୍ୟ ସମୟର ୧.୩୦ ଘଣ୍ଟା ପର୍ବୂରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବେ । ସକାଳ ୯ଟା ସମୟରେ ପରୀକ୍ଷା ସମୟ ରହିଥିବା ବେଳେ ପ୍ରାର୍ଥୀମାନଙ୍କୁ ୭.୩୦ରୁ ହଲକୁ ଛଡ଼ାଯିବ । ୮.୧୫ ପରେ କାହାକୁ ପରୀକ୍ଷା ହଲକୁ ଯିବାକୁ ଅନୁମତି ମିଳିବନି ବୋଲି କୁହାଯାଇଛି । କପିକୁ ରୋକିବା ପ୍ରଥମ ଥର ପାଇଁ ପରୀକ୍ଷା କେନ୍ଦ୍ରରେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।