ପ୍ରଥମ ଥର ଘଟିଲା ଏଭଳି ଘଟଣା! ୧ ଲକ୍ଷ କେଜିରୁ ଅଧିକ ଚିକେନ୍ ଲୁଟ୍, ଏତେ ବେଶି ପରିମାଣର ଚିକେନକୁ କ’ଣ କଲେ

ନୂଆଦିଲ୍ଲୀ: ସରକାରଙ୍କ ପକ୍ଷରୁ ଯେତେ କଠୋର ନିୟମ ଓ ଦଣ୍ଡ ବିଧାନ କରାଗଲେ ମଧ୍ୟ ଅନେକ ସମୟରେ ଛୋଟ, ବଡ଼ ଚୋରି ଘଟଣା ଦେଖିବାକୁ ମିଳିଥାଏ । ତେବେ ଏହା ମଧ୍ୟରେ ଏକ ବଡ଼ ଚୋରି ଘଟଣାକୁ ନେଇ ଚାରିଆଡ଼େ ବେଶ୍ ଚର୍ଚ୍ଚା ଚାଲିଛି । କେଜିଏ କି ଦି’ କେଜି ନୁହେଁ, ୧ ଲକ୍ଷ କେଜିରୁ ଅଧିକ ଚିକେନ୍ ଲୁଟ୍ ହୋଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଚୋରିରେ କିଛି କର୍ମଚାରୀ ସାମିଲ ରହିଥିଲେ ।

ଜଣାପଡ଼ିଛି ଯେ, ଅତିକମରେ ୩୦ ଜଣ ଲୋକ ମିଶି ଏଭଳି ଏକ ବଡ଼ କାରନାମା କରିଛନ୍ତି । ସେମାନେ ୧୩୩ ଟନ ବା ୧ ଲକ୍ଷ ୩୩ ହଜାର କେଜିର ଚିକେନ୍ ଗାଏବ କରିଦେଇଛନ୍ତି । ଏକ ମୀଟ ପ୍ଲାଣ୍ଟରେ କାମ କରୁଥିବା କିଛି କର୍ମଚାରୀ, ଶିଫ୍ଟ ଇନଚାର୍ଜ, ଆଇଟି ଅଧିକାରୀ ଓ ସୁରକ୍ଷାକର୍ମୀ ଏହି ଚୋରିରେ ସାମିଲ ରହିଥିଲେ । ରାତି ୨ଟା ସମୟର ଏହି ଲୁଟ୍ ହୋଇଥିବା ଘଟଣାଟି ସିସିଟିଭିରେ କଏଦ୍ ହୋଇଥିବା ଜଣାପଡ଼ିଛି ।

କ୍ୟୁବାରେ ଏପରି ଏକ ବଡ଼ଧରଣର ଚୋରି ଘଟଣା ଦେଖିବାକୁ ମିଳିଛି । ଦେଶରେ ପ୍ରଥମ ଥର ପାଇଁ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିବା କୁହାଯାଉଛି । ତେବେ ଏହି ପର୍ଯ୍ୟାପ୍ତ ମାତ୍ରାର ଚିକେନକୁ ଲୁଟ କରିବା ପରେ ଚୋରମାନେ ସେହି ଅର୍ଥରେ ଲାପଟପ, ଏସି ଓ ଫ୍ରିଜ ଆଦି ସାମଗ୍ରୀ କ୍ରୟ କରିଥିଲେ । ଚୋରମାନେ ଚୋରି ଚିକେନକୁ ସଡ଼କରେ ବିକ୍ରି କରିଥିଲେ । ଦେଶର ଲୋକଙ୍କ ପାଖରେ ଖାଦ୍ୟ, ଔଷଧ ଓ ଇନ୍ଧନ କିଣିବାକୁ ଅର୍ଥ ନାହିଁ । ତେଣୁ ସେଠାରେ ଲୋକମାନେ ଚୋରି କରୁଥିବା ଦେଖାଯାଉଛି । ତେବେ ଦୋଷୀ ସାବ୍ୟସ୍ତ ହେଲେ ଏହି ଅଭିଯୁକ୍ତମାନଙ୍କୁ ଅତିକମରେ ୨୦ ବର୍ଷର ଜେଲଦଣ୍ଡ ହୋଇପାରେ ବୋଲି କୁହାଯାଉଛି ।