୪୩୪ ରନର ବଡ଼ ବ୍ୟବଧାନରେ ଜିତିଲା ଭାରତ: ଇଂଲଣ୍ଡର ଲଜ୍ଜାଜନକ ପରାଜୟ

ନୂଆଦିଲ୍ଲୀ: ରାଜକୋଟଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଭାରତ ଏକ ବଡ଼ ବିଜୟ ହାସଲ କରିଛି । ଇଂଲଣ୍ଡକୁ ୪୩୪ ରନର ବଡ଼ ବ୍ୟବଧାନରେ ପରାସ୍ତ କରି ଟିମ୍ ଇଣ୍ଡିଆ ଏକ ନୂଆ ରେକର୍ଡ ସ୍ଥାପନ କରିଛି । ତୃତୀୟ ଦିବସରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନୁପସ୍ଥିତ ରହିଥିଲେ ହେଁ ଭାରତୀୟ ବୋଲରମାନେ କମାଲ କରିଥିଲେ । ଉଭୟ ବ୍ୟାଟିଂ ଓ ବୋଲିଂରେ ଭାରତ ଉଚ୍ଚକୋଟୀର ପ୍ରଦର୍ଶନ କରିବା ଫଳରେ ଦଳ ଏହି ମ୍ୟାଚରେ ଜିତିବା ସହ ସିରଜରେ ୨-୧ରେ ଆଗୁଆ ରହିଛି ।

ପ୍ରଥମ ଇନିଂସରେ ଭାରତ ୪୪୫ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୩୧୯ ରନ୍ ସଂଗ୍ରହ କରି ୧୨୬ ରନ୍ ପଛରେ ରହିଥିଲା । ଦ୍ୱିତୀୟ ଦିବସର ଅସମାପ୍ତ ଖେଳ ୨୦୭/୨ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ତୃତୀୟ ଦିବସରେ ମାତ୍ର ୧୧୨ ରନ୍ ସଂଗ୍ରହ କରି ୮ଟି ୱିକେଟ ହରାଇଥିଲା । ତୃତୀୟ ଦିବସରେ ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ତାଙ୍କ ମାଆଙ୍କ ଅସୁସ୍ଥତା ପାଇଁ ଘରକୁ ଚାଲିଯାଇଥିଲେ ହେଁ ଅନ୍ୟ ବୋଲରମାନେ ପ୍ରଭାବୀ ପ୍ରର୍ଶନ କରିଥିଲେ ।

ତୃତୀୟ ଦିବସରେ ଇଂଲଣ୍ଡ ଅଲଆଉଟ୍ ହେବା ପରେ ଭାରତ ୨ ୱିକେଟ ହରାଇ ୧୯୬ ରନ୍ ସଂଗ୍ରହ କରିଥିଲା । ଏହାପରେ ଚତୁର୍ଥ ଦିବସରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଟି-୨୦ ପରି ବ୍ୟାଟିଂ କରି ଇଂଲଣ୍ଡକୁ ୫୫୭ ରନର ଏକ ବଡ଼ ଟାର୍ଗେଟ ଦେଇଥିଲେ । ଭାରତୀୟ ଯୁବ ଓପନର ଯଶସ୍ୱୀ ଜୟସ୍ୱାଲ ୨୧୪ ରନର ଏକ ଅପରାଜିତ ଇନିଂସ ଖେଳିଥିବା ବେଳେ ଶୁବମନ ଗିଲ ୯୧ ଓ ସର୍ଫରାଜ ଖାନ ୬୮ ରନ ସଂଗ୍ରହ କରିଥିଲେ । ଏହି ବୃହତ ସ୍କୋରକୁ ପିଛା କରିବାକୁ ଯାଇ ଇଂଲଣ୍ଡ ଲଜ୍ଜାଜନକ ଭାବେ ମାତ୍ର ୧୨୨ ରନରେ ଅଲଆଉଟ୍ ହୋଇଯାଇଥିଲା । ଏପରିକି ଇଂଲଣ୍ଡ ପ୍ରଥମ ଇନିଂସରେ ପଛରେ ରହିଥିବା ୧୨୬ ରନ୍ ପାର କରିବାକୁ ମଧ୍ୟ ସକ୍ଷମ ହୋଇ ପାରିନଥିଲା । ଭାରତ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ବେଳେ ଦ୍ୱିତୀୟ ଇଂନିଂରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ଏହି ବିଜୟ ଭାରତର ଟେଷ୍ଟ ଇତିହାସରେ ସବୁଠାରୁ ବଡ଼ ବିଜୟ ।