fbpx

Mumbai Indiansରୁ ବିଦାୟ ନେବେ ରୋହିତ ଶର୍ମା! IPL ’25ରୁ ଅନ୍ୟ ଦଳରେ ସାମିଲ ହୋଇପାରନ୍ତି ହିଟମ୍ୟାନ୍

ନୂଆଦିଲ୍ଲୀ: ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ-୨୦୨୪ । ଏଥିପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଥିବା ବେଳେ ଖେଳାଳିମାନେ ମଧ୍ୟ ନିଜର ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ କରିଛନ୍ତି । ତେବେ ଏହାମଧ୍ୟରେ ଶୁଣିବାକୁ ମିଳୁଛି ଯେ, ମୁମ୍ବାଇ ଇଣ୍ଡିଆନ୍ସର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଚଳିତବର୍ଷ ପରେ ଦଳରୁ ବିଦାୟ ନେଇପାରନ୍ତି । ଆଗାମୀ ସିଜନରୁ ଅନ୍ୟ ଏକ ଦଳ ତରଫରୁ ଖେଳିପାରନ୍ତି ହିଟମ୍ୟାନ୍ ରୋହିତ । ଆଇପିଏଲର ଆଗାମୀ ସଂସ୍କରଣରେ ପୁଣିଥରେ ନିଲାମ ପ୍ରକ୍ରିୟାରେ ନିଜକୁ ସାମିଲ କରିପାରନ୍ତି ମୁମ୍ବାଇର ପୂର୍ବତନ ଅଧିନାୟକ ରୋହିତ ଶର୍ମା । ତେଣୁ ଚଳିତବର୍ଷ ଆଇପିଏଲ ମୁମ୍ବାଇ ଦଳରେ ରୋହିତଙ୍କ ଶେଷ ଆଇପିଏଲ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।

ଆଇପିଏଲ ୨୦୨୪ ପରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସକୁ ବିଦାୟ ଦେଇପାରନ୍ତି ବୋଲି ଖୁବ ଚର୍ଚ୍ଚା ହେଉଛି । ମୁମ୍ବାଇ ଇଣ୍ଡିଆନ୍ସର ସବୁଠାରୁ ସଫଳ ଅଧିନାୟକ ରୋହିତ ଶର୍ମା ଏବଂ ଫ୍ରାଞ୍ଚାଇଜି ମଧ୍ୟରେ ଗତ କିଛି ଦିନରୁ ଲଗାତାର ବିବାଦ ଲାଗି ରହିଛି । ନିକଟରେ ରୋହିତଙ୍କ ହାତରୁ ଅଧିନାୟକ ପଦ ଛଡ଼ାଇ ନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଦାୟିତ୍ୱ ଦେଇଛି ମୁମ୍ବାଇ । ତେଣୁ ଚଳିତବର୍ଷ ରୋହିତ ଶର୍ମା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଆଇପିଏଲ ଟୁର୍ଣ୍ଣାମେଣ୍ଟ ଖେଳିବେ । ତେବେ ମୁମ୍ବାଇ ଦଳର ପରିଚାଳନା କମିଟି କହିଛି ଯେ, ରୋହିତଙ୍କ ଭାର ହ୍ରାସ କରିବାକୁ ତାଙ୍କ କାନ୍ଧରୁ ଅଧିନାୟକ ପଦ ପ୍ରତ୍ୟାହାର କରାଯାଇଛି । ତେଣୁ ୧୩ ବର୍ଷ ଧରି ମୁମ୍ବାଇର ଏକ ପ୍ରମୁଖ ଅଂଶ ରହିଥିବା ରୋହିତ ଆସନ୍ତା ସିଜନରେ ଏହି ଫ୍ରାଞ୍ଚାଇଜକୁ ବିଦାୟ ଦେଇପାରନ୍ତି ବୋଲି ଆଶଙ୍କା କରାଯାଉଛି ।

ଆଇପିଏଲ୍ ୨୦୨୫ ପୂର୍ବରୁ ମେଗା ନିଲାମ ହୋଇପାରେ । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦଳକୁ ସର୍ବାଧିକ ୪ ଖେଳାଳି ରଖିବାକୁ ଅନୁମତି ଦିଆଯିବ । ଏଥିରେ ୩ ଜଣ ଭାରତୀୟ ଏବଂ ଜଣେ ବିଦେଶୀ ସାମିଲ ରହିବେ । ତେବେ ବର୍ତ୍ତମାନ ମୁମ୍ବାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ଦାୟିତ୍ୱ ପ୍ରଦାନ କରିଛି, ତେଣୁ ସେ ଏହି ତାଲିକାରେ ରହିବା ସୁନିଶ୍ଚିତ। ତାଙ୍କ ବ୍ୟତୀତ ଦଳରେ ସୂର୍ୟ୍ୟକୁମାର ଯାଦବ ଏବଂ ଜସପ୍ରୀତ ବୁମରାହଙ୍କୁ ମଧ୍ୟ ଆଗାମୀ ସିଜନ୍ ପାଇଁ ରିଜର୍ଭ ରଖିବାକୁ ଚାହିଁବ ମୁମ୍ବାଇ ଇଣ୍ଡିଆନ୍ସ । ଏଭଳି ପରିସ୍ଥିତିରେ ଆଇପିଏଲ୍ ୨୦୨୪ ମୁମ୍ବାଇ ସହିତ ରୋହିତଙ୍କ ଶେଷ ସିଜନ ହୋଇପାରେ ବୋଲି କୁହାଯାଉଛି ।

ଏମିତି ହେଲେ, ଆସନ୍ତା ସିଜିନରେ ରୋହିତଙ୍କୁ ପୁଣିଥରେ ନିଲାମ ପ୍ରକ୍ରିୟାରେ ଦେଖିବାକୁ ମିଳିପାରେ । ରୋହିତ ନିଲାମୀରେ ସାମିଲ ହେଲେ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମେତ ଅନେକ ଦଳ ତାଙ୍କୁ ଦଳରେ ସାମିଲ କରିବାକୁ ଚେଷ୍ଟା କରିବେ । ଏହା ବ୍ୟତୀତ ଚେନ୍ନାଇ ସୁପର କିଙ୍ଗ୍ସ ରୋହିତ ଶର୍ମାଙ୍କ ଉପରେ ମଧ୍ୟ ବାଜି ଲଗାଇପାରେ । ଚଳିତବର୍ଷ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନି ନିଜର ଶେଷ ଆଇପିଏଲ ଖେଳିପାରନ୍ତି । ତେଣୁ ଧୋନୀଙ୍କ ସ୍ଥାନରେ ନୂଆ ଅଧିନାୟକ ଭାବରେ ରୋହିତଙ୍କୁ ଦଳରେ ସାମିଲ କରିବାକୁ ମଧ୍ୟ ଚେଷ୍ଟା କରିବ ଚେନ୍ନାଇ । ସେହିପରି ଗୁଜୁରାଟ ଟାଇଟନ୍ସ, ପଞ୍ଜାବ କିଙ୍ଗସ ଭଳି ଦଳ ମଧ୍ୟ ରୋହିତଙ୍କ ପାଇଁ ନିଶ୍ଚୟ ବାଜି ଲଗାଇପାରେ ।

Get real time updates directly on you device, subscribe now.