ଓଡ଼ିଶା ଭାସ୍କର: ପ୍ରତ୍ୟେକ ଗାଁ’ରେ ଲକ୍ଷ୍ମୀ ବସ୍ ପହଞ୍ଚାଇବା ଲକ୍ଷ୍ୟ ନେଇ ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଆରମ୍ଭ କରି ଶେଷରେ ସାରା ଓଡ଼ିଶାକୁ ଯୋଡ଼ିଛନ୍ତି ରାଜ୍ୟ ସରକାର। ବହୁ ଅପେକ୍ଷା ପରେ ଆଜି ରାଜ୍ୟର ସମସ୍ତ ୩୦ ଜିଲ୍ଲାରେ ଗଡିଛି ଲକ୍ଷ୍ମୀ ବସ। ଯାହାକୁ ନେଇ ସାରା ରାଜ୍ୟବାସୀ ଆଜି ନିଜର ଖୁସି ବ୍ୟକ୍ତ କରିଛନ୍ତି।
ସୂଚନା ଥାଉକି, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାଲେଶ୍ୱର, ଜଗତସିଂହପୁର, ଗଞ୍ଜାମ, ନୂଆପଡା ଓ ବୌଦ୍ଧ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ୫ଟି ଜିଲ୍ଲାର ୧୦୫୭ଟି ପଞ୍ଚାୟତରେ ୨୫୫ଟି ବସ୍ ଚାଲୁ ହୋଇଛି ଏବଂ ଏହା ଦ୍ୱାରା ପ୍ରାୟ ୭୧ ଲକ୍ଷରୁ ଅଧିକ ଲୋକ ଉପକାର ପାଇବେ। ତେବେ ବାଲେଶ୍ୱର ଜିଲ୍ଲାର ୩୧୫ଟି ପଞ୍ଚାୟତରେ ୪୮ଟି ବସ୍ ଚାଲୁ ହୋଇଛି। ଏଥିରେ୨୦ଲକ୍ଷ ୪୨ ହଜାର ଲୋକ ଉପକୃତ ହେବେ। ସେହିପରି ନୂଆପଡାର ୧୨୩ଟି ପଞ୍ଚାୟତରେ ୨୫ଟି ବସ୍ ଚାଲୁ ହୋଇଛି ଓ ୫ ଲକ୍ଷ ୭୪ ହଜାର ଲୋକ ଏଥିରୁ ଉପକୃତ ହେବେ। ଅନ୍ୟପଟେ ବୌଦ୍ଧର ୫୫ଟି ପଞ୍ଚାୟତରେ ୧୦ଟି ବସ୍ ଚାଲୁ ହୋଇଛି ଏବଂ ପ୍ରାୟ ୩ ଲକ୍ଷ ୫୩ ହଜାର ଲୋକ ଏହା ଦ୍ୱାରା ଉପକୃତ ହେବେ। ସେପଟେ ଗଞ୍ଜାମର ୪୩୩ଟି ପଞ୍ଚାୟତରେ ୧୩୦ଟି ବସ୍ ଚାଲୁ ହୋଇଛି। ଏହା ଦ୍ୱାରା ୩୪ ଲକ୍ଷ ୪୭ ହଜାର ଲୋକ ଉପକୃତ ହେବେ। ଏହି ପରି ଭାବେ ଜଗତସିଂହପୁରର ୧୩୧ଟି ପଞ୍ଚାୟତରେ ମଧ୍ୟ ୪୨ଟି ବସ୍ ଚାଲୁ ହୋଇଛି। ଏହା ଦ୍ୱାରା ପ୍ରାୟ ୭ ଲକ୍ଷ ୫୦ ହଜାର ଲୋକ ଉପକୃତ ହେବେ।
ତେବେ ଏହା ଫଳରେ ଆଜି ଓଡିଶାର ସମସ୍ତ ୩୦ଟି ଜିଲ୍ଲାରେ ଲକ୍ଷ୍ମୀ ବସ୍ ଚଳାଚଳ ଆରମ୍ଭ କରିଛି। ସମୁଦାୟ ୩୦ଟି ଜିଲ୍ଲାରେ ୧୩୫୪ଟି ବସ୍ ଚାଲିବା ଆରମ୍ଭ କରିଛି ଏବଂ ଏହା ଦ୍ୱାରା ୬୦୩୧ଟି ପଞ୍ଚାୟତର ୩.୬୪ କୋଟି ଲୋକ ଉପକୃତ ହୋଇଛନ୍ତି। ସୂଚନାଯୋଗ୍ୟ ଯେ ରାଜ୍ୟର ସବୁ ପଞ୍ଚାୟତରେ ସମୁଦାୟ ୧୭୪୫ଟି ବସ୍ ଚାଲିବ। ଏହି ଯୋଜନାରେ ପଞ୍ଚାୟତରୁ ବ୍ଲକକୁ ବସ୍ ଚଳାଚଳର ସୁବିଧା କରାଯାଇଛି। ୫ଟି ଯୋଜନାରେ ଆରମ୍ଭ ହୋଇଥିବା ଏହି କାର୍ୟ୍ୟକ୍ରମରେ ମିଶନ ଶକ୍ତି ମା’ମାନଙ୍କୁ ବସ୍ ପରିଚଳନା ଦାୟିତ୍ୱ ଦିଆଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲକ୍ଷ୍ମୀ ବସ୍ ରାଜ୍ୟର ସବୁ ଗାଁରେ ସାମାଜିକ ଓ ସାଂସ୍କୃତିକ କାର୍ୟ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ସହିତ ବ୍ୟାପକ ଅର୍ଥନୈତିକ ଅଭିବୃଦ୍ଧି ଆଣିବ । ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ୟ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ ।