ଭିଭିଆଇପି ପରମ୍ପରା ଉପରେ ପୂର୍ଣ୍ଣଚ୍ଛେଦ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ ଏଣିକି ଲାଲବତୀରେ ଅଟକିବେ
ଜୟପୁର: ରାଜସ୍ଥାନ ରାଜଧାନୀ ଜୟପୁର ଟ୍ରାଫିକ୍ରେ ଭିଆଇପିଙ୍କ ଗମନାଗମନକୁ ନେଇ ଏବେ ସାଧାରଣ ଜନତାଙ୍କୁ କୌଣସି ପ୍ରକାର ସମସ୍ୟା ଉପୁଜିବ ନାହିଁ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସାଧାରଣ ଜନତାଙ୍କ ହିତକୁ ଦୃଷ୍ଟିରେ ରଖି କେହି ବି ଭିଆଇପି ଆସିବା ପୂର୍ବରୁ ରାସ୍ତା ବନ୍ଦ ପରମ୍ପରା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ।
ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କ ପର୍ଯ୍ୟନ୍ତ ସମସ୍ତେ ଟ୍ରାଫିକ୍ରେ ସାଧାରଣ ଜନତାଙ୍କ ପରି ଗମନାଗମନ କରିବେ । ଟ୍ରାଫିକ୍ ଜାମ୍ରୁ ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ଓ ଜାମ୍ ସମୟରେ ଗୁରୁତର ରୋଗୀଙ୍କ ଅସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଏହି ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଟ୍ରାଫିକ୍ ପୋଲିସ ପ୍ରଶାସନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦେଖି ଆଲର୍ଟ ରହିବ ।
ଗତକାଲି ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ନିଜେ ଏପରି ନିଷ୍ପତ୍ତି ନେଇଛନ୍ତି ଓ ଏ ସମ୍ବନ୍ଧରେ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ କହିଛନ୍ତି ଏହାଦ୍ୱାରା ସାଧାରଣ ଜନତାଙ୍କୁ ବଡ ଆଶ୍ୱସ୍ତି ମିଳିବ । ଭିଆଇପି ମୁଭମେଣ୍ଟ କାରଣରୁ ବହୁ ସମୟରେ ରାସ୍ତାକୁ ପୂର୍ବରୁ ବନ୍ଦ କରି ଦିଆଯାଏ । ଫଳରେ ଟ୍ରାଫିକ୍ ଜାମ୍ ସମସ୍ୟା ସୃଷ୍ଟି ହୋଇଥାଏ । ଏହି କ୍ରମରେ ଗତକାଲି ବାଡମେରରୁ ଜୟପୁର ଫେରିବା ସମୟରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଜୟପୁର ବିମାନବନ୍ଦରରୁ ଓଟିଏସ୍ ସ୍ଥିତ ବାସଭବନକୁ ଯାତ୍ରା ସମୟରେ ଟ୍ରାଫିକ୍ ଲାଇଟ୍ରେ ଅଟକିଥିବାର ଦେଖାଯାଇଥିଲା ।