ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ୧୭୮୯ ଶିକ୍ଷକଙ୍କୁ ୭ମ ବେତନ କମିଶନ ଦରମା । ୨୦୧୪ର ଅନୁଦାନପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ସଂପୃକ୍ତ କଲେଜ, ଜୁନିଅର କଲେଜ ଶିକ୍ଷକ, କର୍ମଚାରୀଙ୍କ ଦରମା ବଢ଼ିବ । ମୋଟ ୧୭୮୯ ଶିକ୍ଷକ, କର୍ମଚାରୀଙ୍କୁ ୭ମ ବେତନ କମିଶନ ହାରରେ ଦରମା । ବର୍ଦ୍ଧିତ ଦରମା ପାଇଁ ୨୭.୩୭ କୋଟି ଟଙ୍କା ଅତିରିକ୍ତ ବ୍ୟୟ ହେବ । ସେପଟେ ଆଜି ୩୬୮ ଜଣ ହିନ୍ଦୀ ଓ ୨୦୮ ଜଣ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନସ୍ଥିତ କନଭେନସନ ସେଣ୍ଟରରେ ନିଯୁକ୍ତି ପର୍ବରେ ଦିଗଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନୂତନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ସ୍ବାଗତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଶିକ୍ଷା ଗୋଟିଏ ଜାତିର ଚିନ୍ତା, ଚେତନାରେ ପରିବର୍ତ୍ତନ ଆଣିଥାଏ । ଛାତ୍ରଛାତ୍ରୀଙ୍କୁ ବଡ ସ୍ବପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥାଏ । ନିଜର ଜ୍ଞାନ ଓ ମୂଲ୍ୟବୋଧ ଦ୍ବାରା ଛାତ୍ରଛାତ୍ରୀଙ୍କ ପାଇଁ ଆଦର୍ଶ ସୃଷ୍ଟି କରିବା ପାଇଁ ନବନିଯୁକ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ହାଇସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମ ଜରିଆରେ ୪ ହଜାର ୬୦୫ଟି ନୂଆ କ୍ଲାସରୁମ୍, ୧୬ ହଜାର ୯୨୦ଟି ସ୍ମାର୍ଟ କ୍ଲାସରୁମ, ୭ ହଜାର ୮୬୩ଟି ଆଧୁନିକ ଲାବୋରେଟୋରୀ, ୭ ହଜାର ୯୨୦ଟି ଇ-ଲାଇବ୍ରେରୀ ସୃଷ୍ଟି କରାଯାଇଛି । ରାଜ୍ୟରେ ଶିକ୍ଷକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉଛି । ମାଧ୍ୟମିକ ସ୍ତରରେ ଚଳିତ ଶିକ୍ଷାବର୍ଷରେ ରାଜ୍ୟ ସରକାର ୪ ହଜାର ୭୪୨ ଜଣ ଶିକ୍ଷକ ନିଯୁକ୍ତ କରିଛନ୍ତି ।