ଓଡ଼ିଶା ଭାସ୍କର: ବୀରମହାରାଜପୁରକୁ NAC ମାନ୍ୟତା ମିଳିବା ପରେ ଜନସାଧାରଣରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବି ସରକାରଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଛି । NAC ଘୋଷଣା ଦାବି ନେଇ ଏହି ଦୁଇଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି । ସେହିପରି ବିନିକାକୁ ସବଡିଭିଜନ୍ ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି । କ୍ରିଆନୁଷ୍ଠାନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ପ୍ରଭାବରେ ସକାଳୁ ଗାଡ଼ି ମଟର,ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିଛି । ତେବେ ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବାକୁ ବାଦ ଦିଆଯାଇଛି । ଗତକାଲି ସହରବାସୀ ବୈଠକରେ ଏନେଇ ନିଷ୍ପତ୍ତି କରିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
କଳାହାଣ୍ଡିର ଏମ୍. ରାମପୁରକୁ NAC ମାନ୍ୟତା ଦାବି ନେଇ ବନ୍ଦ ପାଳନ କରାଯାଉଛି । ସକାଳ ୬ରୁ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି । ଅନ୍ୟପଟେ ସମ୍ବଲପୁର ଜିଲ୍ଲା ବାମରାରେ ବି ସମାନ ଦାବି ନେଇ, ଆସନ୍ତାକାଲି ୧୨ ଘଣ୍ଟିଆ ବନ୍ଦ ପାଳିବେ ସ୍ଥାନୀୟ ଜନତା ।