T-20 ଇତିହାସରେ ବିସ୍ଫୋରକ ଶତକ: ରୋହିତ ଶର୍ମାଙ୍କୁ ପଛରେ ପକାଇଦେଲେ ଷ୍ଟାର ବ୍ୟାଟର

ନୂଆଦିଲ୍ଲୀ: କୁହାଯାଏ କ୍ରିକେଟରେ ରେକର୍ଡ ସୃଷ୍ଟି ହୁଏ ଭାଙ୍ଗିବା ପାଇଁ । ଆଉ ଆଜି ତାହା ପୁଣିଥରେ ପ୍ରମାଣ ହୋଇଯାଇଛି । ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଶତକ ଅର୍ଜନ କରି ବିଶାଳ ରେକର୍ଡ ନିଜ ନାମରେ କରିଛନ୍ତି ନାମିବିଆ ଷ୍ଟାର ବ୍ୟାଟର ଜନ୍ ନିକୋଲ ଲଫ୍ଟି ଇଟେନ୍ । ୧୦୧ ରନର ଏହି ଇନିଂସରେ ସେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଏକ ବଡ଼ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି । ବର୍ତ୍ତମାନ ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ସବୁଠୁ ଦ୍ରୁତ ଶତକ ହାସଲ କରିବାରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ଜନ୍ ନିକୋଲ ।

ନେପାଳ ଟ୍ରାଇ ନେସନ୍ ଟି-୨୦ ଇଣ୍ଟରନେସନାଲ ସିରିଜରେ ନେପାଳ ବିପକ୍ଷରେ ଏହି ବିସ୍ପୋରକ ଇନିଂସ ଖେଳିଛନ୍ତି ନାମିବିଆ କ୍ରିକେଟର ଜନ୍ ନିକୋଲ । ମାତ୍ର ୩୬ ବଲରେ ୧୦୧ ରନର ଇନିଂସ ଖେଳିଥିବା ବେଳେ ଏହି ପାଳିରେ ୧୧ଟି ଚୌକା ଏବଂ ୮ଟି ବିଶାଳ ଛକା ସାମିଲ ରହିଛି । ତେବେ ଏହି ଇନିଂସରେ ସେ ଟି-୨୦ରେ ଦ୍ରୁତତମ ଶତକ ହାସଲ କରିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ମାତ୍ର ୩୩ ବଲରୁ ଟି-୨୦ କ୍ରିକେଟରେ ଶତକ ଅର୍ଜନ କରିବା ସହ ନେପାଳ ବ୍ୟାଟର କୁସଲ ମଲ୍ଲାଙ୍କ ରେକର୍ଡ ସୃଷ୍ଟି କରିଛନ୍ତି ଜନ୍ ନିକୋଲ । ତ୍ରିଭୂବନ ୟୁନିଭର୍ସିଟି ଇଣ୍ଟରନେସନାଲ କ୍ରିକେଟ ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚରେ ଜନ୍ ନିକୋଲ ହାସଲ କରିଛନ୍ତି କ୍ରିକେଟର କ୍ୟାରିୟରର ଐତିହାସିକ ଶତକ ।

ଜନ୍ ନିକୋଲଙ୍କ ଏହି ଐତିହାସିକ ଶତକ ସମୟରେ ନେପାଳର କୁସଲ ମଲ୍ଲା ମଧ୍ୟ ମଇଦାନରେ ଉପସ୍ଥିତ ରହିଥିଲେ । ଗତବର୍ଷ ଏସିଆନ୍ ଗେମ୍ସରେ ୩୪ ବଲରୁ ଟି-୨୦ଶତକ ହାସଲ କରି ନିଜ ନାମରେ ଏହି ରେକର୍ଡ ଲେଖିଥିଲେ । କିନ୍ତୁ ଏହି ମ୍ୟାଚରେ କୁସଲଙ୍କ ସାମନାରେ ତାଙ୍କ ରେକର୍ଡକୁ ଛଡ଼ାଇ ନେଇଛନ୍ତି ଜନ୍ ନିକୋଲ । ଏହାସହିତ ସେ ଡାଭିଡ ମିଲର ଏବଂ ରୋହିତ ଶର୍ମାଙ୍କ ଭଳି ଖେଳାଳିଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ରୋହିତ ଏବଂ ମିଲର ଟି-୨୦ରେ ୩୫ଟି ବଲରେ ଶତକ ହାସଲ କରିବାରେ ସକ୍ଷମ ହୋଇଥିଲେ । କିନ୍ତୁ ଜନ୍ ନିକୋଲ ୩୩ ବଲରୁ ଶତକ ହାସଲ କରି ରେକର୍ଡ ସୃଷ୍ଟି କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଜନ୍ ନିକୋଲଙ୍କ ଶତକ ସହ ନାମିବିଆ ନେପାଳକୁ ୨୦୭ ରନର ଲକ୍ଷ୍ୟ ଦେଇଥିଲା । ତେବେ ନେପାଳ ଏହି ମ୍ୟାଚରେ ୨୦ ରନ୍ ପଛରେ ରହି ପରାଜୟର ସାମନା କରିଛି ।