fbpx

ଦେଶ ଓ ରାଜ୍ୟ ପାଇଁ ସେମିକଣ୍ଡକ୍ଟର ଗୁରୁତ୍ୱପୂର୍ଣ୍ଣ କାହିଁକି: ଦେଶରେ ୩ଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେଲେ ସାଧାରଣ ଜନତାଙ୍କୁ କ’ଣ ସବୁ ଫାଇଦା ମିଳିବ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶରେ ୩ଟି ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ନେଇ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିଛି । ଦେଶରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ପାଇଁ ଗତ କିଛି ବର୍ଷ ମଧ୍ୟରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଜୋରଦାର ଭାବେ ପ୍ରୟାସ କରୁଥିବା ଦେଖାଯାଉଛି । ଆଜିର ସମୟରେ ସେମିକଣ୍ଡକ୍ଟରର ଗୁରୁତ୍ୱ କେତେ ତାହା ଅଧିକାଂଶ ଲୋକ ଜାଣିନାହାନ୍ତି । ଦେଶରେ ୩ଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ହେଲେ କ’ଣ ସବୁ ଫାଇଦା ମିଳିବ ତାହା ସମସ୍ତେ ନିହାତି ଜାଣିବା ଆବଶ୍ୟକ ।

ଗୁଜରାଟରେ ୨ଟି ଓ ଆସାମରେ ଗୋଟିଏ ସେମିକଣ୍ଡକ୍ଟର ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଲକ୍ଷ୍ୟ ରଖାଯାଇଥିବା ବେଳେ ସେଥିରେ ୧.୨୬ ଲକ୍ଷ କୋଟି ଟଙ୍କା ନିବେଶ କରାଯିବ ବୋଲି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଭାରତରେ ସେମିକଣ୍ଡକ୍ଟର ଓ ଡିସପ୍ଲେ ମାନୁଫାକଚିଂ ଇକୋସିଷ୍ଟମର ବିକାଶ ପାଇଁ ୨୦୨୧ରେ କେନ୍ଦ୍ର ସରକାର ବିଜ୍ଞପ୍ତି ପ୍ରକାଶ କରିଥିଲେ । ଗୁଜରାଟର ସାନନ୍ଦରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ନେଇ ଗତ ବର୍ଷ ଜୁନ୍ ମାସରେ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ ।

ସେହିପରି ପୂର୍ବ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍ ଓଡ଼ିଶାରେ ପ୍ରତିଷ୍ଠା ହେବା ନେଇ ୨୦୨୨ରେ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନକ୍ଲେଭ ସମୟରେ ସୂଚନା ମିଳିଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ବ୍ରିଟେନର ଏସଆରଏଏମ ଆଣ୍ଡ ଏମଆରଏଏ କମ୍ପାନୀ ୩୦ ହଜାର କୋଟି ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ସେହିପରି ଖୋର୍ଦ୍ଧାରେ ପ୍ରଥମ ଏସଆଇସି ଭିତ୍ତିକ ସେମିକଣ୍ଡକ୍ଟର ଡିଭାଇସ ଉତ୍ପାଦନ କାରଖାନା ସ୍ଥାପନ ନେଇ ଗତ ବର୍ଷ ନଭେମ୍ବର ମାସରେ ଅନୁମୋଦନ ମିଳିଥିଲା ।

ଆଜିର ସମୟରେ ସେମିକଣ୍ଡକ୍ଟରର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ସେମିକଣ୍ଡକ୍ଟରର ବିଭିନ୍ନ ଉପାଦାନ ଚିପ୍ସ, ଟ୍ରାଞ୍ଜିଷ୍ଟର, ଡାଇଓଡ୍ସ ଆଦି ମୋବାଇଲ ଫୋନ, ଲାପଟପ, ମାଇକ୍ରୋୱେଭସ, ରେଫ୍ରିଜେରେଟର, ସ୍ମାର୍ଟଟିଭି ପରି ସମସ୍ତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ, ବାଇକ୍, କାରରେ ଲାଗିଥାଏ । ଏଥିସହିତ ଏମଆରଆଇ ମେଶିନ, ବ୍ଲଡ ପ୍ରେସର ମନିଟର, ୱେୟରଲେସ ପେସେଣ୍ଟ ମନିଟର ଓ ଭେଣ୍ଟିଲେଟରରେ ମଧ୍ୟ ସେମିକଣ୍ଡକ୍ଟର ଉପଯୋଗ କରାଯାଇଥାଏ । ତେବେ ଭାରତର ବିଶ୍ୱର ଏକ ବଡ଼ ବଜାର ହୋଇଥିଲେ ହେଁ ସେମିକଣ୍ଡକ୍ଟର ପାଇଁ ଆମକୁ ବିଦେଶରୁ ଆମଦାନୀ କରିବାକୁ ପଡ଼ୁଛି ।

ତାଇୱାନ, ଚୀନ ଓ ଦକ୍ଷିଣ କୋରିଆ ପରି କିଛି ଦେଶ ଚିପ୍ ନିର୍ମାଣରେ ଅଗ୍ରଣୀ ଅଟନ୍ତି । ଭାରତ ପରି ବିଶ୍ୱର ଏକ ପ୍ରମୁଖ ଅର୍ଥନୀତି ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ନହେବା ନିଶ୍ଚିତ ଭାବେ ଏକ ଚିନ୍ତାଜନକ ବିଷୟ । ତେଣୁ ଆଗାମୀ ଦିନରେ ସେମିକଣ୍ଡକ୍ଟର ଉତ୍ପାଦନ ବୃଦ୍ଧି ଲକ୍ଷ୍ୟରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ନୀତି ଆଣିବା ସହିତ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି । ଭାରତରେ ସେମିକଣ୍ଡକ୍ଟର ପ୍ଲାଣ୍ଟ ସ୍ଥାପନ ପାଇଁ କିଛି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ସେହିପରି ଓଡ଼ିଶା ସରକାର ମଧ୍ୟ ରାଜ୍ୟରେ ସେମିକଣ୍ଡକ୍ଟର ନିର୍ମାଣ ଉଦ୍ୟୋଗ ସ୍ଥାପନ ପାଇଁ ଆମେରିକାର କିଛି ଆଗଧାଡ଼ିର ଆଇଟି ଓ ସେମିକଣ୍ଡକ୍ଟର ନିର୍ମାଣ କମ୍ପାନୀଙ୍କ ସହିତ ଆଲୋଚନା କରିଛନ୍ତି ।

ଦେଶରେ ଓ ରାଜ୍ୟରେ ସେମିକଣ୍ଡକ୍ଟର ଉତ୍ପାଦନ ହେଲେ ଏହା ଅନେକ ଫାଇଦା ଦେବ । ସେମିକଣ୍ଡକ୍ଟର କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ସୁଧାର ଆଣିବା ସହ ଏକ ଶକ୍ତିଶାଳୀ ସେମିକଣ୍ଡକ୍ଟର ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଇଛନ୍ତି । ସେଥିପାଇଁ ଦେଶର ୩୦୦ଟି ପ୍ରମୁଖ କଲେଜକୁ ଚିହ୍ନଟ କରଯିବା ସହ ସେମିକଣ୍ଡକ୍ଟର ଉପରେ ସ୍ପେଶାଲ ସିଲାବସ ଉପଲବ୍ଧ କରାଯିବ । ୨୦୨୫ ସୁଦ୍ଧା ଭାରତରେ ସେମିକଣ୍ଡକ୍ଟରର ଚାହିଦା ୧୦୦ ବିଲିୟନ ଡଲାରେ ପହଞ୍ଚିବାର ସମ୍ଭାବନା ରହିଛି । ଦେଶରେ ସେମିକଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା ହେବା ଫଳରେ ୮୦ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ମିଳିବ । ଆଗାମୀ ଦିନରେ ଏହା ଅର୍ଥନୀତିକୁ ସୁଦୃଢ଼ କରିବା ସହିତ ଦେଶରେ ବିକାଶରେ ନିଶ୍ଚିତ ଭାବେ ସହାୟକ ହେବ ।

Get real time updates directly on you device, subscribe now.