fbpx

ଏଲ୍‍ ନିନୋ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ, ଅପ୍ରେଲରେ ଟାଣଖରା ଓ ତାତି ଅଧିକ – ପାଣିପାଗ ବିଭାଗର ଅନୁମାନ

ଭୁବନେଶ୍ୱର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଅଧିକ ରହିବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଚଳିତମାସରୁ ମଇମାସ ମଧ୍ୟରେ ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ଅପ୍ରେଲ୍‍ ମାସରେ ଟାଣଖରା ଏବଂ ତାତି ଅଧିକ ହେବ ବୋଲି ଅନୁମାନ କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼, ଅନୁଗୁଳ, କନ୍ଧମାଳ, ନୂଆପଡ଼ା, ନବରଙ୍ଗପୁର, ମାଲକାନାଗିରି ଏବଂ କୋରାପୁଟ ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ । ହେଲେ ଏଲ୍‍ ନିନୋ ଧୀରେ ଧୀରେ ଦୁର୍ବଳ ହେଉଥିବାରୁ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି ।

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ପକ୍ଷରୁ ଗାଇଡ ଲାଇନ୍‍ ଜାରି କରାଯାଇଛି । ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ କର୍ତ୍ତୃପକ୍ଷ ପିଇବା ପାଣି, ଆବଶ୍ୟକସ୍ଥଳେ ଓଆର୍‍ଏସ୍‍ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି । ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତିର ମୁକାବିଲା ପାଇଁ ଭଦ୍ରକ ଏବଂ ସୁବର୍ଣ୍ଣପୁର ଜିଲ୍ଲାର ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବା ସହିତ ଅଂଶୁଘାତଜନିତ ମୃତ୍ୟୁ ନ ଘଟିବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମ ପ୍ରବାହ ମୁକାବିଲାରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ସ୍ୱାସ୍ଥ୍ୟ, ପାନୀୟ ଜଳ, ପ୍ରାଣୀ ସମ୍ପଦ ଆଦି ସମ୍ପୃକ୍ତ ବିଭାଗ ଗୁଡ଼ିକୁ ପ୍ରସ୍ତୁତ ଓ ସଜାଗ ରହିବା ପାଇଁ ଜିଲ୍ଲାପାଳମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.