fbpx

ଇତିହାସ ରଚିଲା ଭାରତ: ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଇତିହାସ ରଚିଛି ଭାରତ । ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟନେଲକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କୋଲକାତା ଠାରେ ମୋଦୀ ଏହି ଟନେଲକୁ ଉଦଘାଟନ କରିବା ସହିତ ଅନ୍ୟ କିଛି ପ୍ରକଳ୍ପକୁ ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହି ମେଟ୍ରୋ ଟ୍ରେନ ହାୱାଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ଚାଲିବ । ହୁଗୁଳି ନଦୀର ୩୨ ମିଟର ଗଭୀରରେ ଏହି ଟ୍ରେନ ଚଳାଚଳ ପାଇଁ ଅନୁମତି ମିଳିଛି । ଏହି ଅଣ୍ଡର ୱାଟର ମେଟ୍ରୋ ଟ୍ରେନ ଚାଲିବା ଫଳରେ ଯାତ୍ରୀଙ୍କ ଯାତାୟାତର ସମୟ ହ୍ରାସ ପାଇବ ।

ଏହା ଦେଶର ପ୍ରଥମ ଅଣ୍ଡର ୱାଟର ମେଟ୍ରୋ ଟ୍ରେନ୍ ହୋଇଥିବା ବେଳେ ଏହା ଦେଶର ଭିତ୍ତିଭୂମି କ୍ଷେତ୍ରର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବ । କୋଲକତା ମେଟ୍ରୋ ହାୱଡ଼ା ମୈଦାନ-ଏସପ୍ଲେନେଡ ଟନେଲ ଭାରତର କୌଣସି ନଦୀ ତଳେ ନିର୍ମାଣ ହୋଇଥିବା ପ୍ରଥମ ଟ୍ରାନ୍ସପୋର୍ଟ ଟନେଲ । କିଛିଦିନ ତଳେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୋଲକତା ମେଟ୍ରୋ ରେଳ ସେବାର ସମୀକ୍ଷା କରିଥିଲେ । ଆଜି ପ୍ରଧାନମନ୍ତ୍ରୀ ତାହାକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।

ତେବେ ଏହି ଅଣ୍ଡର ୱାଟର ମେଟ୍ରୋ ସେବାର ଅନେକ ଖାସିୟତ ରହିଛି । ହୁଗୁଳି ନଦୀ ତଳେ ୫୨୦ ମିଟରର ଦୂରତାକୁ ଏହା ମାତ୍ର ୪୫ ସେକେଣ୍ଟରେ ଅତିକ୍ରମ କରିବ । ହାୱଡ଼ା ମୈଦାନ ଠାରୁ ଏସପ୍ଲେନେଡ ପର୍ଯ୍ୟନ୍ତ ୪.୮ କିମିର ରୁଟ ନିର୍ମାଣ କରାଯାଇଛି । ଏହି ରୁଟରେ ୪ ଅଣ୍ଡରଗ୍ରାଉଣ୍ଡ ଷ୍ଟେସନ ହାୱଡ଼ା ମୈଦାନ, ହାୱଡ଼ା ଷ୍ଟେସନ, ମହାକରଣ ଓ ଏସପ୍ଲେନେଡ ହାୱଡ଼ା ଷ୍ଟେସନ ସାମିଲ ରହିଛି । ଏହା ଭୂମିଠାରୁ ୩୦ କିମି ତଳେ ନିର୍ମିତ ହୋଇଛି । ଏହା ବିଶ୍ୱର ସବୁଠାରୁ ମହଙ୍ଗା ମେଟ୍ରୋ ଷ୍ଟେସନ ଭାବେ ପରିଗଣିତ ହୋଇଛି । ଏହା ପୂର୍ବରୁ ଲଣ୍ଡନ ଓ ପ୍ୟାରିସରେ ପାଣି ଭିତରେ ମେଟ୍ରୋ ରୁଟ୍ ନିର୍ମାଣ କରାଯାଇଥିଲା ।

Get real time updates directly on you device, subscribe now.