ଜାଗରରେ ବିରଳ ସଂଯୋଗ: ମହାନଦୀରୁ ୬୦ ନାଗ ଓ ୨ଟି ବୃଷଭ ମୂର୍ତ୍ତି ଉଦ୍ଧାର

ଓଡ଼ିଶା ଭାସ୍କର: ଆଜି ପବିତ୍ର ଜାଗର ଅମାବାସ୍ୟା ବା ମହାଶିବରାତ୍ରି। ତେଣୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ଶିବ ମନ୍ଦିର। ଶ୍ରଦ୍ଧାଳୁମାନେ ସକାଳୁ ସକାଳୁ ମନ୍ଦିର ଯାଇ ମହାଦେବଙ୍କ ଦର୍ଶନ କରିବା ସହ ଉପବାସ ପାଳନ କରୁଛନ୍ତି। ତେବେ ଏହା ମଧ୍ୟରେ ଦେଖିବାକୁ ମିଳିଛି ଏକ ବିରଳ ଘଟଣା, ସତେ ଯେପରି ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ମର୍ତ୍ତ୍ୟପୁରକୁ ଓଲ୍ହାଇଛନ୍ତି ପ୍ରଭୁ ଶିବଶଙ୍କର। ଆଉ ଏହି ଘଟଣା ଯିଏ ଦେଖୁଛି, ସିଏ କହୁଛି ଏହା ଜାଗରରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ବିରଳ ସଂଯୋଗ। କାରଣ ଏକା ସାଙ୍ଗରେ ନଦୀ ଜଳରୁ ଉଦ୍ଧାର ହୋଇଛି ବହୁ ସଂଖ୍ୟାର ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ବୃଷଭ ମୂର୍ତ୍ତି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ଅନେକ ଚର୍ଚ୍ଚା। ହଠାତ ଏକାବେଳେ ପାଣିରେ ଏତେ ସଂଖ୍ୟାର ମୂର୍ତ୍ତି କେଉଁଠୁ ଆସିଲା ସେନେଇ ଏକ ପ୍ରଶ୍ନ ସୃଷ୍ଟି ହୋଇଛି।

ସୂଚନା ଥାଉକି, କଟକ ଜିଲ୍ଲା ବାଙ୍କୀ ନିକଟ ମହାନଦୀର ସୁବର୍ଣ୍ଣପୁର ଘାଟରୁ ୬୦ଟି ତମ୍ବା ଓ ପିତ୍ତଳ ନାଗମୂର୍ତ୍ତି, ଶିବଲିଙ୍ଗ ଏବଂ ଦୁଇଟି ବୃଷଭ ମୂର୍ତ୍ତି ଉଦ୍ଧାର କରାଯାଇଛି। ବାଙ୍କୀ ମହାନଦୀ ପଠାର ସୁବର୍ଣ୍ଣପୁର ଘାଟରେ କିଛି ପିଲା ଗାଧୋଉଥିବା ବେଳେ ପାଣିରେ ମୂର୍ତ୍ତି ପଡ଼ିଥିବା ଜାଣିବାକୁ ପାଇଥିଲେ। ପରେ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି ନାଗମୂର୍ତ୍ତି ଗୁଡିକ ଉଦ୍ଧାର କରାଯାଇଥିଲା। ଏସବୁ ପ୍ରାଚୀନ ମୂର୍ତ୍ତି ହୋଇଥିବା ଅନୁମାନ କରାଯାଉଛି । ଉଦ୍ଧାର ପରେ ମୂର୍ତ୍ତିଗୁଡିକୁ ସ୍ଥାନୀୟ ପଞ୍ଚାୟତ ଅଫିସରେ ରଖାଯାଇଛି। ଏହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ଆଜି ପବିତ୍ର ଜାଗର ଅବସରରେ ଏଭଳି ବିରଳ ସଂଯୋଗ ଦେଖା ଦେବାକୁ ନେଇ ଭକ୍ତମାନେ ପୂଜାର୍ଚ୍ଚନା ଆରମ୍ଭ କରିଦେଇଛନ୍ତି।