ମୟୁରଭଞ୍ଜ: ଯେତେ ଯାହା କଲେ ବି ରାଜ୍ୟରୁ ଯାଉନି ନିଶା। ବାରମ୍ବାର ଏ ସମ୍ପର୍କରେ ଖବର ପ୍ରସାରଣ କଲା ପରେ ବି ଚେତୁ ନାହାନ୍ତି ସରକାର କିମ୍ବା ସାଧାରଣ ଲୋକେ। ଯାହାଦ୍ୱାରା ରାଜ୍ୟରେ ବଢିଚାଲିଛି ବେଆଇନ ନିଶା କାରବାର। ତେବେ ଏହାରି ମଧ୍ୟରେ ବେଆଇନ ଭାବେ ହେଉଥିବା କୋଟି କୋଟି ଟଙ୍କାର ଅଫିମ ଚାଷକୁ ପ୍ରଶାସନ ଆଜି ନଷ୍ଟ କରିଥିବା ଦେଖିବାକୁ ମିଳିଛି। ଶିମିଳିପାଳ ଅଭୟାରଣ୍ୟର କୋର ଏରିଆରେ ଏହି କୋଟି କୋଟି ଟଙ୍କାର ଅଫିମ ଚାଷ ହେଉଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ଅଭୟାରଣ୍ୟର ବକୁଆ ଏବଂ କୁକୁରଭୁକା ଗାଁରେ କିଛି ଲୋକ ଏହି ଅଫିମ ଚାଷ କରିଥିବା ଖବର ପୋଲିସ୍ ଓ ଅବକାରୀ ବିଭାଗ ନିକଟରେ ପହଞ୍ଚିଥିଲା। ଏହାପରେ ପୋଲିସ ଓ ଅବକାରୀ ବିଭାଗର ଏକ ସ୍ୱତନ୍ତ୍ର ଟିମ୍ ସେଠାରେ ପହଞ୍ଚି ମିଳିତ ଚଢ଼ାଉ କରିଥିଲା। ତେବେ ଚଢ଼ାଉ ବେଳେ ଯାଇଥିବା ସ୍ୱତନ୍ତ୍ର ଟିମ୍ ଏବଂ ଗଣମାଧ୍ୟମ ପ୍ରତିନିଧି ଏହି ଅଫିମ ଚାଷକୁ ଦେଖି ତାଜୁବ୍ ହୋଇଯାଇଥିଲେ। ଏହାପରେ ପୋଲିସ ସମେତ ବନବିଭାଗ ଟିମ୍ ୫ରୁ ୬ଲକ୍ଷ ସଂଖ୍ୟକ ଅଫିମ ଗଛକୁ ଉପାଡିବା ସହ ନଷ୍ଟ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ୬୬ ଲକ୍ଷ ହୋଇଥିବା ଅନୁମାନ କରାଯାଉଛି। ତେବେ ଶିମିଳିପାଳର ଏହି ଅଫିମ ଚାଷ ଖବର ପ୍ରଚାରିତ ହେବା ପରେ ଅନେକ ସ୍ଥାନରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।