ବର୍ଷରେ ଗୋଟିଏ ଦିନ ଭକ୍ତଙ୍କ ମଙ୍ଗଳ କାମନା କରି ଉପବାସ ରୁହନ୍ତି ଏହି ଠାକୁରାଣୀ…

ଓଡ଼ିଶା ଭାସ୍କର: ଓଡ଼ିଶାରେ ଏପରି ଏକ ଗାଁ ନାହିଁ ଯେଉଁଠି ମା’ ତାରିଣୀଙ୍କ ମନ୍ଦିର ନ ଥିବ। ଆଉ ଏମିତି କିଛି କାମ ନାହିଁ ମା’ଙ୍କୁ ସ୍ମରଣ ନକରି ଅନୁକୂଳ ହୋଇଥିବ। ସେ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ ସତ ହେଲେ, ସାରା ଓଡ଼ିଶାରେ ସେ ପୁରା ପ୍ରତକ୍ଷ। କଥାରେ ଅଛି, ଯେତେ ବଡ଼ ବିପଦରେ ଆସୁ ପଛେ ଗୋଟିଏ ଡାକରେ ସେ ଓଃ କହିବ, ଆଉ ସେ ବିପଦରୁ ରକ୍ଷା କରିବ। ବିପଦରୁ ତାରେ ବୋଲି ତ ତା ନାଁ ତାରିଣୀ। ଘଟଗାଁଠାରେ ଥିବା ମା’ ତାରିଣୀ ମନ୍ଦିରକୁ ୧୪୮୦ ମସିହାରେ କେନ୍ଦୁଝରର ତତ୍କାଳୀନ ରାଜା ଗୋବିନ୍ଦ ଭଞ୍ଜଦେଓ ନିର୍ମାଣ କରେଇଥିଲେ। ପୁରୀର ତତ୍କାଳୀନ ଗଜପତି ମହାରାଜାଙ୍କ ଆଦେଶକ୍ରମେ ମା’ ତାରିଣୀ ନୂଆ ମନ୍ଦିର ଘଟଗାଁଠାରେ ଶକ୍ତିପୀଠ ଭାବରେ ସ୍ଥାପିତ ହେଇପାରିଥିଲା। ମା’ଙ୍କଠାରେ ମନାସିକ କାଲେ ତାହା ନିଶ୍ଚୟ ପୂରଣ ହୁଏ ବୋଲି ଭକ୍ତଙ୍କ ବିଶ୍ୱାସ ଥାଏ।

ଆଉ ଏକ ଆଖ୍ୟାନକୁ ଦେଖିଲେ, ଘୋର ଜଙ୍ଗଲ ମଧ୍ୟରେ ରହି ମାଆଙ୍କ ପୂଜାର୍ଚ୍ଚନା ଦେହୁରୀମାନେ କରୁଥିଲେ। କିଛି କାରମକୁ ନେଇ ମା’ଙ୍କ ପୂଜାର୍ଚ୍ଚନା ବାଧାପ୍ରାପ୍ତ ହେଉଥିଲା। ଦୁର୍ଗମ ଜଙ୍ଗଲ ମଧ୍ୟରେ ବ୍ରାହ୍ମଣ ନମିଳିବାରୁ ରାଜା ଗୋବିନ୍ଦ ଭଞ୍ଜ ଚିନ୍ତିତ ରହୁଥିଲେ। ଭକ୍ତର କଷ୍ଟ ମାଆ ବୁଝିପାରି ସ୍ୱପ୍ନାଦେଶରେ କହିଲେ, ଗୋଟେ ମାଟିଘଟରେ ଗୋ-ଘୃତ ପୂର୍ଣ୍ଣ କରି ମୋର ଆସ୍ଥାନ ନିକଟରେ ଥିବା କୁସୁମ ବୃକ୍ଷ ଡାଳରେ ବାନ୍ଧିଦେବୁ। ଦେହୁରୀ ପୂଜା ଶେଷରେ ସେହି ପୂଜା ପାଣିକୁ ପ୍ରତିଦିନ ସେହି ଘଟରେ ସିଞ୍ଚିବ। ସେ ଅଶୌଚ ସମୟରେ ସେହି ଘଟରୁ ଟିକିଏ ଘିଅ ପାତ୍ରରେ ନେଇ ପାନ କରିବ ଓ ଆଉ ଟିକେ ଘିଅରେ ଦୁବଘାସ ବୁଡାଇ ମୁଣ୍ଡରେ ସିଞ୍ଚିବ। ଏହାଦ୍ୱାରା ସେ ଅଶୌଚରୁ ମୁକ୍ତି ହୋଇ ମୋର ପୂଜା କରିପାରିବ। ସେହିଦିନଠାରୁ ଘିଅ ଘଟ ବନ୍ଧା ହେବା କାରଣରୁ ମାଆଙ୍କ ପୀଠର ନାମ ହେଲା ‘ଟଗାଁ’ ରହିଥିବା କୁହାଯାଏ।

ମା’ଙ୍କ ବିବିନ୍ନ ପର୍ବ ମଧ୍ୟରୁ ବଡ଼ ପର୍ବ ଚଇତି ପର୍ବ ଅନ୍ୟତମ। ମାଆଙ୍କ ବେଢ଼ାରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ତାରିଣୀଙ୍କ ସୁନାବେଶ ହୋଇଥାଏ। ଭୋର ୫ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ। ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ଦର୍ଶନ ପାଇଁ ଯାଇଥାନ୍ତି। ହେଲେ ଆଉ ଏକ ପର୍ବ ରହିଛି ଯାହାକୁ  ଆଷାଢ଼ୀ ପର୍ବ କୁହାଯାଏ। କେନ୍ଦୁଝର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଘଟଗାଁ ପୀଠର ମାଆ ତାରିଣୀଙ୍କର ନୂଆ ମନୋରମ ମନ୍ଦିର ଦୃଶ୍ୟମାନ ହେଉଛି। ମାଆ ତାରିଣୀଙ୍କର ଆଷାଢ଼ୀ ପର୍ବ ମଧ୍ୟ ଏକ ବଡ଼ ପର୍ବ ଭାବେ ପାଳିତ ହୋଇଥାଏ। ଆଶାଢ଼ ମାସର ଶେଷ ଗୁରୁବାର ଦିନ ଏହି ପର୍ବ ପାଳନ କରାଯାଏ। ପ୍ରତ୍ୟେକ ବର୍ଷ ଏହି ଗୋଟିଏ ଦିନ ମା’ ଭକ୍ତଙ୍କ ମଙ୍ଗଳ କାମନା କରି ଉପବାସ ରହିଥାନ୍ତି। ଦିନ ସାରା ମନ୍ଦିର ବନ୍ଦ ରହୁଥିବା ବେଳେ ସନ୍ଧ୍ୟାରେ ମା’ଙ୍କର ସୁନାବେଶ କରାଯାଇଥାଏ।