fbpx

ମଙ୍ଗଳବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଓଡ଼ିଶା ଭାସ୍କର: ରାଜ୍ୟରେ କିଛି ଦିନ ହେବ ସମସ୍ତଙ୍କୁ ତାତି କଲବଲ କରୁଛି। ହେଲେ ଏହି ତାତିରୁ ବର୍ତ୍ତମାନ ମୁକ୍ତି ମିଳିବାକୁ ଯାଉଛି । କାରଣ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ପାଗ ପରିବର୍ତ୍ତନ ହେବାକୁ ଯାଉଛି। ତେବେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ବିଶେଷକରି ମଙ୍ଗଳବାର ୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ତେଣୁ ଏନେଇ ଆଜି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ରବିବାର ସମଗ୍ର ରାଜ୍ୟରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବରଗଡ଼, ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ସେହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ଆଶଙ୍କା କରାଯାଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ସୋମବାର ସମଗ୍ର ରାଜ୍ୟରେ କେତେକ ସ୍ଥାନରେ ହାଲ୍‌କାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଉଛି। ତେବେ ନୂଆପଡ଼ା, ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ଅନୁଗୋଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ସୁନ୍ଦରଗଡ଼,ଦେବଗଡ଼, କେନ୍ଦୁଝର ଓ ଢ଼େଙ୍କାନଳ ଜିଲ୍ଲାରେ କେତେକ ସ୍ଥାନରେ ବଜ୍ରପାତ ସହ ଘଡ଼ଘଡ଼ି ମାରିବାର ସମ୍ଭାବନା ରହିଛି। ସେହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ସେଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନ୍ୟପଟେ ମଙ୍ଗଳବାର ବୌଦ୍ଧ, ଅନୁଗୋଳ, ଦେବଗଡ଼, ରାୟଗଡ଼ା, କନ୍ଧମାଳ, ଢେଙ୍କାନାଳ ଓ କଟକ ଜିଲ୍ଲାରେ କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାରେ ୭ରୁ ୧୧ ସେଣ୍ଟିମିଟର ପର୍ୟ୍ୟନ୍ତ ବର୍ଷା ହୋଇପାରେ ବୋଲି ଅନୁମାନ କରାଯାଇଛି। ଅନ୍ୟ ଜିଲ୍ଲା ଭିତରେ ସୋନପୁର, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡା, ଢେଙ୍କାନାଳ, ଯାଜପୁର, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କେତେକ ସ୍ଥାନରେ ଘଡ଼ଘଡ଼ି ଏବଂ ବଜ୍ରପାତ ହୋଇପାରେ। ସେହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ଆକଳନ କରାଯାଇଛି । ତେଣୁ ଉକ୍ତ ସମସ୍ତ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଠାରେ କହି ରଖୁ ଯେ, ବୁଧବାର ମଧ୍ୟ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ କେତେକ ସ୍ଥାନରେ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ଆଶଙ୍କା ରହିଛି। ସେହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ ବୋଲି ଅନୁମାନ କରାଯାଉଛି। ଏଣୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

 

Get real time updates directly on you device, subscribe now.