fbpx

‘ମୁଖ୍ୟମନ୍ତ୍ରୀ ପଦରୁ କେଜ୍ରିୱାଲ ଇସ୍ତଫା ଦେବେ ନାହିଁ’: ଗିରଫଦାରୀ ପୂର୍ବରୁ ଏଭଳି ଏକ ବଡ଼ ବୟାନ ଦେଇଥିଲେ ଦିଲ୍ଲୀ ବାଚସ୍ପତି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ଶେଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏକ ବଡ଼ ଆକ୍ସନ ନେଇଛି । ଇଡି ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ପ୍ରଥମେ ଇଡି ଅଧିକାରୀମାନେ କେଜ୍ରିୱାଲଙ୍କ ବାସଭବନରେ ପହଞ୍ଚିବା ସହିତ ତାଙ୍କୁ ପଚରାଉଚରା କରିଥିଲେ ଓ ତା’ପରେ ତାଙ୍କର ଫୋନ ଜବତ କରିଥିଲେ । ସେହି ସମୟରେ ଆମ୍ ଆଦମୀ ପାର୍ଟି (ଆପ)ର କୌଣସି ମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ଘର ଭିତରକୁ ଯିବାକୁ ଅନୁମତି ଦିଆଯାଇ ନଥିଲା ।

ତେବେ ଗିରଫ ହେବା ପରେ କେଜ୍ରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କି ନା ସେନେଇ ଏବେ ଏକ ବଡ଼ ପ୍ରଶ୍ନ ସାମ୍ନାକୁ ଆସୁଛି । ପୂର୍ବରୁ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତା ଗିରଫ ହେବା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଗିରଫ ହେବା ପରେ ଜଣେ ମୁଖ୍ୟମନ୍ତ୍ରୀ ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଭାରତୀୟ ସମ୍ବିଧାନରେ କୌଣସି ସ୍ଥାନରେ ଲେଖାଯାଇ ନାହିଁ । ତେବେ ଏପରି ସ୍ଥିତିରେ କେଜ୍ରିୱାଲ କି ପଦକ୍ଷେପ ନେବେ ତା’ ଉପରେ ଏବେ ସଭିଙ୍କ ନଜର ।
ତେବେ ଏହା ମଧ୍ୟରେ ଆସିଛି ଏକ ବଡ଼ ଅପଡେଟ୍ । କେଜ୍ରିୱାଲଙ୍କୁ ଗିରଫ କରାଯିବା ପୂର୍ବରୁ ଦିଲ୍ଲୀ ବାଚସ୍ପତି ରାମ ନିବାସ ଗୋଏଲ ଏକ ବଡ଼ ବୟାନ ଦେଇଥିଲେ । ଶ୍ରୀ ଗୋଏଲ କହିଥିଲେ ‘ଯଦି କେଜ୍ରିୱାଲଙ୍କୁ ଇଡି ଗିରଫ କରେ ତେବେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ନାହିଁ । ଦିଲ୍ଲୀ ସରକାର ଜେଲରୁ ଚାଲିବ ।’ ଏବେ କେଜ୍ରିୱାଲଙ୍କୁ ଇଡି ଗିରଫ କରିସାରିଥିବାରୁ ବାଚସ୍ପତିଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ଆପ ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ‘କେଜ୍ରିୱାଲ ସିଏମ୍ ପଦରୁ ଇସ୍ତଫା ଦେବେ ନାହିଁ, ଆମେ ସୁପ୍ରିମକୋର୍ଟରେ ଲଢ଼େଇ ଲଢ଼ିବୁ’ ବୋଲି କୁହାଯାଇଛି ।

Get real time updates directly on you device, subscribe now.