fbpx

ଖେଳିବେନି ମୁସ୍ତାଫିଜୁର, କାହାକୁ ସୁଯୋଗ ଦେବେ ଅଧିନାୟକ ଋତୁରାଜ? ହାଇଦ୍ରାବାଦ ସହ ହେବ ଟକ୍କର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ରେ ଦମଦାର ପ୍ରଦର୍ଶନ କରିଛି ଚେନ୍ନାଇ ସୁପର କିଙ୍ଗସ । ୩ଟି ମ୍ୟାଚ ଖେଳି ୨ଟି ମ୍ୟାଚରେ ବିଜୟ ହାସଲ କରିଥିବା ବେଳେ ଦିଲ୍ଲୀ ବିପକ୍ଷରେ ପରାସ୍ତ ହୋଇଛି ଚେନ୍ନାଇ । ତେବେ ଚତୁର୍ଥ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବାକୁ ଥିବା ବେଳେ ଏହାପୂର୍ବରୁ ଷ୍ଟାର ବୋଲର ମୁସ୍ତାଫିଜୁର ରହମାନ ଦଳରୁ ବାଦ୍ ପଡ଼ିଛନ୍ତି । ଭିସା ସମ୍ବନ୍ଧୀୟ ସମସ୍ୟା ଯୋଗୁଁ ବାଂଲାଦେଶ ଫେରିଛନ୍ତି ମୁସ୍ତାଫିଜୁର । ତେବେ ବର୍ତ୍ତମାନ ତାଙ୍କ ସ୍ଥାନରେ କିଏ ଖେଳିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ମୁସ୍ତାଫିଜୁରଙ୍କ ସ୍ଥାନରେ କାହାକୁ ସୁଯୋଗ ଦେବେ ନୂଆ ଅଧିନାୟକ ଋତୁରାଜ ଗାଏକ୍ୱାଡ?

ଚଳିତ ସିଜନରେ ୩ଟି ମ୍ୟାଚରୁ ୭ଟି ୱିକେଟ ନେଇ ପର୍ପଲ କ୍ୟାପ୍ ଦୌଡ଼ରେ ଖୁବ ଆଗରେ ରହିଛନ୍ତି ମୁସ୍ତାଫିଜୁର ରହମାନ । କିନ୍ତୁ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲା ପାଇଁ ସେ ଦଳରେ ଅନୁପସ୍ଥିତ ରହିପାରନ୍ତି । ତେବେ ପାସପୋର୍ଟ ମିଳିବା ପରେ(ପ୍ରାୟତଃ ଏକ ସପ୍ତାହ) ହିଁ ସେ ପୁଣିଥରେ ଭାରତ ଫେରିବେ ଏବଂ ଚେନ୍ନାଇ ସହ ସାମିଲ ହେବେ ବୋଲି କହିଛନ୍ତି ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥନ । ଏହାବ୍ୟତୀତ ଚେନ୍ନାଇ ପାଇଁ ଏପ୍ରିଲ ୩୦ ପରେ ମୁସ୍ତାଫିଜୁର ଉପଲବ୍ଧ ରହିବେ ନାହିଁ । ତେଣୁ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ବିକଳ୍ପ ଖୋଜୁଛନ୍ତି ଅଧିନାୟକ ଋତୁରାଜ । କିଏ ନେବେ ମୁସ୍ତାଫିଜୁରଙ୍କ ସ୍ଥାନ?

ଶାର୍ଦ୍ଦୁଳ ଠାକୁର: ମୁସ୍ତାଫିଜୁର ସ୍ୱଦେଶ ଫେରିବା ପରେ ବର୍ତ୍ତମାନ ଦଳର ପ୍ଲେଇଙ୍ଗ-୧୧କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ତାଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ଦଳରେ ସୁଯୋଗ ମିଳିପାରେ । ମୁସ୍ତାଫିଜୁର ଏବଂ ଦୀପକ ଚହର ପାୱାରପ୍ଲେ’ରେ ଦମଦାର ବୋଲିଂ କରିବା ସହ ବିପକ୍ଷ ଦଳ ଉପରେ ଚାପ ପକାଇବାରେ ସଫଳ ହୋଇଥିଲେ । ସେପଟେ ଶାର୍ଦ୍ଦୁଳ ଠାକୁର ମଧ୍ୟ ଏହି କାର୍ଯ୍ୟରେ ପାରଙ୍ଗମ । ତେଣୁ ମୁସ୍ତାଫିଜୁରଙ୍କ ସ୍ଥାନରେ ଶାର୍ଦ୍ଦୁଳଙ୍କୁ ସୁଯୋଗ ଦେଇପାରନ୍ତି ଋତୁରାଜ ।

ମୁକେଶ ଚୌଧୂରୀ: ଆଇପିଏଲ-୨୦୨୨ରେ ଶାର୍ଦ୍ଦୁଳଙ୍କ ଅନୁପସ୍ଥିତିରେ ଚମତ୍କାର ବୋଲିଂ କରିଥିଲେ ବାମହାତୀ ପେସର ମୁକେଶ ଚୌଧୂରୀ । ତେବେ ଆହତ ସମସ୍ୟା ଯୋଗୁଁ ଗତ ସିଜନରେ ସେ ବାଦ୍ ପଡ଼ିଥିବା ବେଳେ ଚଳିତ ସିଜନରେ ସେ ପୁଣିଥରେ ଯୋଡ଼ି ହୋଇଛନ୍ତି । ତେଣୁ ଋତୁରାଜ ମୁକେଶଙ୍କୁ ମଧ୍ୟ ଦଳରେ ସାମିଲ କରିପାରନ୍ତି ।

ମହୀଶ ଥୀକ୍ଷଣା: ଚେନ୍ନାଇର ପ୍ଲେଇଙ୍ଗ-୧୧ରେ ପେସ୍ ବୋଲିଂ ବିକଳ୍ପ ଅଧିକ ଥିବା ବେଳେ ସ୍ପିନ ବିଭାଗ ସମ୍ପୂର୍ଣ୍ଣ ରୂପେ ଜାଡେଜାଙ୍କ ଉପରେ ନିର୍ଭରଶୀଳ ରହୁଛି । ତେଣୁ ଋତୁରାଜ ଏବଂ ଧୋନୀ ଦଳରେ ବିଦେଶୀ ସ୍ପିନରଙ୍କୁ ଖେଳାଇପାରନ୍ତି । ତେଣୁ ଏଥିପାଇଁ ସର୍ବଶ୍ରେଷ୍ଠ ବିକଳ୍ପ ହେଉଛନ୍ତି ମହୀଶ ଥୀକ୍ଷଣା । ହାଇଦ୍ରାବାଦ ନିକଟରେ ବଡ଼ ବ୍ୟାଟିଂ ଅର୍ଡର ଥିବାରୁ ତାଙ୍କୁ ଚକମା ଦେବା ପାଇଁ ମହୀଶ ଥୀକ୍ଷଣା ହିଁ ଦଳରେ ସୁଯୋଗ ପାଇପାରନ୍ତି ।

ହାଇଦ୍ରାବାଦ ବିପକ୍ଷରେ ଚେନ୍ନାଇର ପ୍ଲେଇଙ୍ଗ-୧୧: ଋତୁରାଜ ଗାଏକ୍ୱାଡ(ଅଧିନାୟକ), ରଚିନ ରବିନ୍ଦ୍ର, ଅଜିଙ୍କ୍ୟା ରାହାଣେ, ଡାରିଲ ମିଚେଲ, ଶିବମ ଦୁବେ, ସମୀର ରିଜଭି, ରବିନ୍ଦ୍ର ଜାଡେଜା, ଏମ.ଏସ ଧୋନୀ, ଦୀପକ ଚହର, ଶାର୍ଦ୍ଦୁଳ ଠାକୁର/ମହୀଶ ଥୀକ୍ଷଣା/ମୁକେଶ ଚୌଧୂରୀ, ମଥୀଷା ପଥୀରାନା, ତୁଷାର ଦେଶପାଣ୍ଡେ ।

Get real time updates directly on you device, subscribe now.