ଦେଶରେ କାଲିଠୁ ଆରମ୍ଭ ନିର୍ବାଚନ:ବିନା ଭୋଟର ପରିଚୟପତ୍ରରେ ବି ଆପଣ ଦେଇପାରିବେ ଭୋଟ୍

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟରେ ୧୦୨ ସିଟ୍ ଲାଗି କାଲି ଅର୍ଥାତ୍ ଏପ୍ରିଲ୍ ୧୯ ତାରିଖରେ ଭୋଟ ଗ୍ରହଣ ହେଉଛି । ୨୧ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ମତଦାତା କାଲି ସେମାନଙ୍କ ମତ ଅଧିକାର ପ୍ରୟୋଗ କରିବେ । ଏପରି ସ୍ଥିତିରେ ଆଜି ଆମେ ଆପଣଙ୍କୁ ଏକ ମହତ୍ତ୍ୱପୂର୍ଣ୍ଣ ସୂଚନା ଦେବାକୁ ଯାଉଛୁ । ଯଦି ଆପଣଙ୍କ ଭୋଟର ପରିଚୟପତ୍ର କେଉଁଠି ହଜି ଯାଇଛି ବା ପାଉନାହାନ୍ତି ତେବେ ଚିନ୍ତା କରନ୍ତୁ ନାହିଁ । ଏପରି ଲୋକଙ୍କ ଲାଗି ନିର୍ବାଚନ କମିଶନ ୧୧ ପ୍ରକାର ବିକଳ୍ପ ଦେଇଛନ୍ତି । ଯାହା ନିର୍ବାଚନ କମିଶନଙ୍କ ୱେବସାଇଟରେ ଉପଲବ୍ଧ । ଯଦି ଆପଣ ଏହିସବୁ କାଗଜପତ୍ର ସହ ପୋଲିଂ ବୁଥ୍‌ରେ ପହଞ୍ଚିବେ ତେବେ ଆପଣଙ୍କୁ କେହି ଭୋଟ୍ ଦାନରୁ ବିରତ କରିପାରିବେ ନାହିଁ ।

ଭୋଟର ଆଇଡି କାର୍ଡ ନ ଥିଲେ କ’ଣ କରିବେ:ଆପଣ ନିଜ ଆଧାର କାର୍ଡକୁ ବି ଭୋଟର ପରିଚୟପତ୍ର ଭାବରେ ବ୍ୟବହାର କରିପାରିବେ । ଆପଣଙ୍କ ପାଖରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ୧୧ ଫଟୋ ପରିଚୟପତ୍ର ମଧ୍ୟରୁ କୌଣସି ଗୋଟିଏ ବି ଥିଲେ ଆପଣ ଭୋଟ ଦେଇପାରିବେ । ଏହି ପରିଚୟପତ୍ର ମଧ୍ୟରେ ରହିଛି ଆଧାର କାର୍ଡ, ପାସପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, କେନ୍ଦ୍ର କିମ୍ବା ରାଜ୍ୟ ସରକାରଙ୍କ ପରିଚୟପତ୍ର ଯୁକ୍ତ କାର୍ଡ, ପିଏସୟୁ କିମ୍ବା ପବ୍ଲିକ୍ ଲିମିଟେଡ୍ କମ୍ପାନୀ ପକ୍ଷରୁ ଜାରି ଫଟୋଯୁକ୍ତ ଆଇ କାର୍ଡ, ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ୍‌ରୁ ଜାରି ଫଟୋଯୁକ୍ତ ପାସବୁକ୍‌, ଫଟୋ ସହ ପେନସନ ଡକ୍ୟୁମେଣ୍ଟ, ପାନ କାର୍ଡ, ମନରେଗା ଜବ୍ କାର୍ଡ, କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ସ୍ୱାସ୍ଥ୍ୟ ବୀମା ସ୍ମାର୍ଟ କାର୍ଡ, ଏମପି –ଏମଏଲ୍‌ଏ କିମ୍ବା ଏମଏଲ୍‌ସି ଲାଗି ଜାରି ଅଧିକାରୀକ ଆଇ କାର୍ଡ ପାଖରେ ଥିଲେ ଆପଣ ଭୋଟ୍ ଦେଇପାରିବେ ।

କିନ୍ତୁ ଆପଣଙ୍କ ଏସବୁ ପରିଚୟପତ୍ର ଦେଖାଇବା ସତ୍ତ୍ୱେ ବି ଭୋଟ ଦେଇପାରିବେ ନାହିଁ ଯେତେବେଳେ ଆପଣଙ୍କ ନାମ ମତଦାତା ସୂଚୀରେ ନ ଥିବ । ଏପରି କ୍ଷେତ୍ରରେ ଆପଣଙ୍କ ଭୋଟର ଆଇଡି ଥିଲେ ବି ଆପଣ ଭୋଟ ଦେଇପାରିବେ ନାହିଁ ।

Get real time updates directly on you device, subscribe now.