fbpx

ପରଲୋକରେ ବର୍ଷୀୟାନ ନାଟ୍ୟ ନିର୍ଦ୍ଦେଶକ ଡ. ସଚ୍ଚି ଦାସ

ଭୁବନେଶ୍ୱର: ଓଡ଼ିଆ ଯାତ୍ରା ଜଗତରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବର୍ଷୀୟାନ ନିର୍ଦ୍ଦେଶକ ଡ. ସଚ୍ଚି ଦାସ ଆଉ ନାହାଁନ୍ତି । ଦୀର୍ଘ ଦିନରୁ ଅସୁସ୍ଥ ଥିବା କାରଣରୁ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ହେଉଥିଲେ । ତେବେ ଗୁରୁବାର ୮୮ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ଜଲିଉଡରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ନାଟ୍ୟ ଜଗତର ଭୀଷ୍ମ ପିତାମହ ଭାବେ ସେ ବେଶ ଜଣାଶୁଣା ଥିଲେ ।

୧୯୩୬ ମସିହାରେ ଯାଜପୁରର ବରୀ ଠାରେ ଡ. ସଚ୍ଚି ଦାସ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନରୁ ଅଭିନୟ ପ୍ରତି ତାଙ୍କର ରୁଚି ଥିଲା । ତେଣୁ ସେ ଗାଁ ମଞ୍ଚରେ ହେଉଥିବା ନାଟକରେ ଅଭିନୟ ମଧ୍ୟ କରୁଥିଲେ । ୧୯୫୮ ମସିହାରେ ଜନତା ରଙ୍ଗମଞ୍ଚ ସହିତ ଜଡ଼ିତ ହେବା ପରେ ଆଉ ପଛକୁ ଫେରି ଚାହିଁ ନଥିଲେ । ବର୍ତ୍ତମାନ ସୁଦ୍ଧା ସେ ୫୦୦ରୁ ଅଧିକ ନାଟକରେ ଅଭିନୟ, ୪୦୦ରୁ ଅଧିକ ନାଟକର ରଚନା ଏବଂ ୧୦୦ରୁ ଅଧିକ ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି । ସଚ୍ଚି ଦାସ ନିଜର ନିକ୍ଷୁଣ ଅଭିନୟ ଏବଂ ନିର୍ଦ୍ଦେଶନା ପାଇଁ ଅନେକ ସମ୍ମାନ ଏବଂ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ୨୦୧୮ରେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ୨୦୧୮ରେ ଉକ୍ରଳ ସଂସ୍କୃତି ମହାବିଦ୍ୟାଳୟ ପକ୍ଷରୁ ସମ୍ମାନ ଜନକ ଡକ୍ଟରେଟ୍, ୨୦୧୫ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ, ୨୦୦୦ରୁ ୨୦୦୧ରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୧୦ରେ ଶତାବ୍ଦୀର କଳାକାର ସମ୍ମାନ, ୨୦୧୪ରେ ବାଣୀଚିତ୍ର ସମ୍ମାନ ଏବଂ ୨୦୧୭ରେ ଅଜିତ ନାଟ୍ୟ ସମ୍ମାନ ପାଇଥିଲେ ।

Get real time updates directly on you device, subscribe now.