ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ଅଧିନାୟକ ଋଷଭ ପନ୍ତ ସସପେଣ୍ଡ, ଲାଗୁହେଲା ୩୦ ଲକ୍ଷର ଜରିମାନା

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସ ଟିମକୁ ଲାଗିଛି ଏକ ବଡ଼ ଝଟକା । ଦଳର ଅଧିନାୟକ ଋଷଭ ପନ୍ତଙ୍କୁ ସସପେଣ୍ଡ କରି ଦିଆଯାଇଛି । ଏଥିସହିତ ପନ୍ତଙ୍କୁ ୩୦ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲାଗୁ କରାଯାଇଛି । ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସ୍ଲୋ ଓଭର-ରେଟ୍ ଅପରାଧ କାରଣରୁ ପନ୍ତକୁ ଗୋଟିଏ ମ୍ୟାଚରୁ ବ୍ୟାନ କରାଯାଇଛି । ତେବେ ଚଳିତ ଆଇପିଏଲର ପ୍ଲେ ଅଫ୍ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପ୍ରତ୍ୟେକ ଟିମ୍ ପାଇଁ ଗୋଟିଏ ମ୍ୟାଚରେ ଜିତିବା / ହାରିବା ବେଶ ମହତ୍ତ୍ୱ ରଖିଥାଏ । ତେଣୁ ଏପରି ସ୍ଥିତିରେ ପନ୍ତ ନ ଖେଳିବା ଦିଲ୍ଲୀ ପାଇଁ ଏକ ବଡ଼ ଝଟକା ହେବ ।

ସୂଚନା ମୁତାବକ, ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ପନ୍ତଙ୍କୁ ଆଇପିଏଲ କୋଡ୍ ଅଫ୍ କଣ୍ଡକ୍ଟର ଉଲ୍ଲଂଘନ କାରଣରୁ ଗୋଟିଏ ମ୍ୟାଚ ପାଇଁ ବ୍ୟାନ କରାଯାଇଛି । ଆଇପିଏଲ ୨୦୨୪ର ୫୬ତମ ମ୍ୟାଚରେ ରାଜସ୍ଥାନ ବିପକ୍ଷରେ ସ୍ଲୋ ଓଭର-ରେଟରେ ବୋଲିଂ କରିଥିବା କାରଣରୁ ଦିଲ୍ଲୀ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ୭ ତାରିଖରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯାଇଥିଲା । ସର୍ବନିମ୍ନ ଓଭର ରେଟ୍ ସମ୍ବନ୍ଧିତ ଅଫେନ୍ସ ଅନୁସାରେ ଆଇପିଏଲର କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ପନ୍ତଙ୍କ ଟିମ ପାଇଁ ଚଳିତ ସିଜିନରେ ଏହା ତୃତୀୟ ଅପରାଧ ଥିଲା । ତେଣୁ ପନ୍ତଙ୍କ ଉପରେ ୩୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯିବା ସହିତ ଗୋଟିଏ ମ୍ୟାଚରୁ ନିଲମ୍ବିତ କରାଯାଇଛି । ଏଥିସହିତ ଇମ୍ପାକ୍ଟ ଖେଳାଳିଙ୍କ ସମେତ ପ୍ଲେଇଂ-୧୧ର ସମସ୍ତ ସଦସ୍ୟଙ୍କ ଉପରେ ବ୍ୟକ୍ତିଗତ ଭାବେ ୧୨ ଲକ୍ଷ ବା ମ୍ୟାଚର ଫିସର ୫୦ ପ୍ରତିଶତ ଜରିମାନା ଲାଗୁ କରାଯାଇଛି ।