ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷାର ପ୍ରଶ୍ନପତ୍ରକୁ ନେଇ ଅନେକ ଖବର ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳୁଛି । ଅନେକ ସମୟରେ କିଛି ଛାତ୍ରଛାତ୍ରୀ ପରୀକ୍ଷା ପାସ୍ କରିବା ପାଇଁ କିଛି ଅଭିନବ ତରିକା ଆପଣାଉଥିବା ବେଳେ ଅନେକ କ୍ଷେତ୍ରରେ ଶିକ୍ଷକଙ୍କର କିଛି ତ୍ରୁଟି ମଧ୍ୟ ସାମ୍ନାକୁ ଆସିଥାଏ । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଆଶ୍ଚର୍ଯ୍ୟଜନକ ଖବର । ଜଣେ ଏମବିଏ ଛାତ୍ରଙ୍କ ପରୀକ୍ଷାର ଫଳାଫଳ ସମସ୍ତଙ୍କୁ ଚକିତ କରିଦେଇଛି ।
ଖବର ମୁତାବକ, ପରୀକ୍ଷାରେ ଜଣେ ଛାତ୍ରଙ୍କୁ ମୋଟ ୧୦୦ ମାର୍କରୁ ୧୧୮ ନମ୍ବର ମିଳିଛି । ଏହି ରେଜଲ୍ଟ ଦେଖିବା ପରେ ଛାତ୍ର ଜଣଙ୍କ ନିଜେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ରେଜଲ୍ଟ ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି । ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚି ଠାରୁ ୧୬୫ କିମି ଦୂର ପଲାମୁ ଜିଲ୍ଲାରେ ଥିବା ନୀଲାମ୍ବର-ପିତାମ୍ବର ବିଶ୍ୱବିଦ୍ୟାଳୟର ଏମବିଏ କୋର୍ସର ୨୦୨୦-୨୨ ବର୍ଷର ଫାଇନାଲ ବା ସେମିଷ୍ଟର୪ର ରେଜଲ୍ଟରେ କିଛି ଗଡ଼ବଡ଼ ଦେଖିବାକୁ ମିଳିଥିଲା । ଛାତ୍ରଙ୍କୁ ସେମିଷ୍ଟର ୨ର ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ବିଷୟରେ ୧୦୨ ମାର୍କ, ଅପରେସନାଲ ରିସର୍ଚ୍ଚ ବିଷୟରେ ୧୧୮ ମାର୍କ ଓ ଇ-ବିଜନେସରେ ୧୦୬ ମାର୍କ ମିଳିଥିଲା । ଏହି ମାର୍କ ଦେଖି ଛାତ୍ର ଜଣଙ୍କୁ ବିଶ୍ୱାସ କରିପାରିନଥିଲେ ।
ରେଜଲ୍ଟ ଘୋଷଣା ହେବା ପରେ ଲୋକଙ୍କ ମଧ୍ୟରେ ବିଶ୍ୱବିଦ୍ୟାଳୟର ଏତାଦୃଶ କାର୍ଯ୍ୟକୁ ନେଇ ପ୍ରଶ୍ନ ଉଠିଥିଲା । ଛାତ୍ର ସଂଗଠନ ମଧ୍ୟରୁ ମଧ୍ୟ ଏନେଇ ବିରୋଧ କରାଯାଇଥିଲା । ତେବେ ଏହି ତ୍ରୁଟି ବିଷୟରେ ଜଣାପଡ଼ିବା ପରେ ତାହାକୁ ସଂଶୋଧନ କରାଯାଇଥିବା ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ କହିଛନ୍ତି । ସର୍ଭର ସମସ୍ୟା କାରଣରୁ ଛାତ୍ରଙ୍କ ସେକେଣ୍ଡ ସେମିଷ୍ଟର ପରୀକ୍ଷା ରେଜଲ୍ଟରେ କିଛି ତ୍ରୁଟି ହୋଇଥିବା ସେ କହିଛନ୍ତି । ଛାତ୍ରଙ୍କର ପୁରୁଣା ମାର୍କଶିଟ୍ ପରିବର୍ତ୍ତନ କରାଯାଇଥିବା ସେ କହିଛନ୍ତି । ସୂଚନାଯୋଗ୍ୟ ଯେ, ୩ ଦିନ ପୂର୍ବରୁ ଗୁଜରାଟରୁ ମଧ୍ୟ ଏଭଳି ଏକ ଖବର ସାମ୍ନାକୁ ଆସିଥିଲା । ଜଣେ ପ୍ରାଇମେରୀ ଛାତ୍ରଙ୍କୁ ଗଣିତ ବିଷୟରେ ୨୦୦ରୁ ୨୧୨ ମାର୍କ ଓ ଗୁଜରାତୀ ବିଷୟରେ ୨୦୦ରୁ ୨୧୧ ମାର୍କ ମିଳିଥିଲା । ଛାତ୍ରଙ୍କ ମାର୍କ ଶିଟ୍ ଭାଇରାଲ ହେବା ପରେ ସ୍କୁଲ କର୍ତ୍ତୃପକ୍ଷ ତାହାକୁ ସଂଶୋଧନ କରିଥିଲେ ।