RBI ତରଫରୁ ନିର୍ଦ୍ଦେଶ! କ’ଣ ନେଇ ଆସିଥିଲ, କ’ଣ ନେଇ ଯିବ… ବ୍ୟାଙ୍କ ପାସବୁକରେ ଲେଖାଯିବ ଗୀତା ଜ୍ଞାନ!

ନୂଆଦିଲ୍ଲୀ: ବ୍ୟାଙ୍କ ପାସବୁକକୁ ନେଇ ଏକ ବଡ଼ ଅପଡେଟ ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ଏଣିକି ବ୍ୟାଙ୍କ ପାସବୁକରେ ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଭାଗବତ-ଗୀତାକୁ ସାମିଲ କରାଯିବ । ପାସବୁକର ଶେଷ ପେଜରେ ଗୀତା ସାର ପ୍ରିଣ୍ଟ କରାଇବା ପାଇଁ ରିଜର୍ଭ ବ୍ୟାଙ୍କ ଆଦେଶ ଦେଇଥିବା ଜାଣିବାକୁ ମିଳିଛି । ଗୀତାରେ ଲେଖା ଥିବା ଏକ ପଙକ୍ତିକୁ ସାମିଲ କରାଯିବ ବୋଲି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କ’ଣ ନେଇ ଆସିଥିଲ, କ’ଣ ନେଇକି ଯିବ… ଏହି ବାକ୍ୟକୁ ବ୍ୟାଙ୍କ ପାସବୁକରେ ଲେଖାଯିବ ବୋଲି ଏକ ପୋଷ୍ଟ ବର୍ତ୍ତମାନ ଚର୍ଚ୍ଚାରେ ରହିଛି ।

ଏକ ପେପର କଟିଙ୍ଗ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ପୋଷ୍ଟ ହେବା ପରେ ଭାଇରାଲ ହେଉଛି । ଏହି ପୋଷ୍ଟରେ ଲେଖାଯାଇଛି ଯେ, ସମସ୍ତ ବ୍ୟାଙ୍କକୁ ଆରବିଆଇର ନିର୍ଦ୍ଦେଶ ।” ପାସବୁକର ଶେଷ ଫର୍ଦ୍ଦରେ ଗୀତା ସାର ପ୍ରିଣ୍ଟ କରାଯିବ । କ’ଣ ନେଇ ଆସିଥିଲ, କ’ଣ ନେଇ ଯିବ । କାହିଁକି କାନ୍ଦୁଛ, ତୁମର କ’ଣ ଥିଲା, ଯାହା ତୁମେ ହରାଇଦେଲ । ଯାହା ନେଇଛ ତାହା ଏହିଠାରୁ ନେଇଛି, ଯାହା ଦେଇଛ ଏହାକୁ ହିଁ ଦେଇଛି । ଯାହା ଆଜି ତୁମର, କାଲି ଆଉ କାହାର ରହିଥିଲା । ତା’ ପରଦିନ ଆଉ କାହାର ହୋଇଯିବ ।” ଏଭଳି ଏକ ମେସେଜ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।

ତେବେ ସରକାରଙ୍କ ପିଆଇବି ଫ୍ୟାକ୍ଟ ଚେକ୍ ଏହି ମେସେଜକୁ ମିଛ ବା ଗୁଜବ ବୋଲି ସ୍ପଷ୍ଟ କରିଛି । ଅର୍ଥାତ୍ ରିଜର୍ଭ ବ୍ୟାଙ୍କ ତରଫରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନଥିବା କହିଛି ପିଆଇବି ଫ୍ୟାକ୍ଟ ଚେକ୍ । ଏ ନେଇ ପିଆଇବି ଲେଖିଛି ଯେ, ସେୟାର କରାଯାଇଥିବା ଏହି ଖବର ସମ୍ପୂର୍ଣ୍ଣ ମିଥ୍ୟା । ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ସମସ୍ତ ବ୍ୟାଙ୍କ ପାସବୁକର ଶେଷ ପୃଷ୍ଠାରେ ଗୀତା ସାର ଲେଖିବା ପାଇଁ ହେଉଥିବା ଦାବିରେ କୌଣସି ସତ୍ୟତା ନାହିଁ । ତେଣୁ ଏହି ଖବରକୁ ଆଗକୁ ସେୟାର ନ କରିବା ପାଇଁ ସୂଚନା ଦେଇଛି ଫ୍ୟାକ୍ଟ ଚେକ୍ ।