ନୂଆଦିଲ୍ଲୀ: ଆଜି ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯିବ ଚଳିତ ସିଜନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ । ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ଏହି ମ୍ୟାଚରେ ଚୟନ ହେବ ପଏଣ୍ଟ ଟବୁଲର ଚତୁର୍ଥ ଦଳ । ଏହି ମ୍ୟାଚରେ ବିଜେତା ଟିମକୁ ମିଳିବ ପ୍ଲେ-ଅଫ୍ ଟିକେଟ । କିନ୍ତୁ ବର୍ତ୍ତମାନ ସୁଦ୍ଧା ମ୍ୟାଚ ଉପରେ ବର୍ଷା ସଂକଟ ଘେରି ରହିଛି । ବର୍ଷା ଯୋଗୁଁ ଏହି ମ୍ୟାଚ ବାତିଲ ହେବାର ସମ୍ଭାବନା ରହିଥିବା ବେଳେ ଏହି ପରିସ୍ଥିତିରେ ଚେନ୍ନାଇକୁ(ଅଧିକ ରନ୍-ରେଟ୍ ପାଇଁ) ପ୍ଲେ-ଅଫ୍ ଖେଳିବାର ସୁଯୋଗ ମିଳିବ । କିନ୍ତୁ ଯଦି ଏହି ମ୍ୟାଚ ୫-୫ ଓଭର ଲେଖାଏଁ ଖେଳାଯାଏ, ତେବେ କ’ଣ ରହିବ ବେଙ୍ଗଲୁରୁର ଲକ୍ଷ୍ୟ?
ଆଜି ପ୍ଲେ-ଅଫ୍ ଟିକେଟ ପାଇବା ପାଇଁ ଚିନ୍ନାସ୍ୱାମୀରେ ମୁହାଁମୁହିଁ ହେବେ ରୋୟଲ ଚାଲେଞ୍ଜର୍ସ ବେଙ୍ଗଲୁରୁ ଏବଂ ଚେନ୍ନାଇ ସୁପର କିଙ୍ଗସ । ପ୍ରଥମ ୮ଟି ମ୍ୟାଚରୁ ୬ଟି ପରାଜୟ ପରେ ଲଗାତାର ୫ଟି ମ୍ୟାଚରେ ବିଜୟୀ ହୋଇ ପ୍ଲେଅଫ୍ ପାଇଁ ଚେନ୍ନାଇକୁ ଟକ୍କର ଦେଇଛି ଆରସିବି । ତେବେ ଯଦି ବର୍ଷା ସମ୍ପୂର୍ଣ୍ଣ ମ୍ୟାଚକୁ ଧୋଇନିଏ, ତେବେ ଅଧିକ ରନ୍ ରେଟ୍ ଯୋଗୁଁ ଚେନ୍ନାଇକୁ ପ୍ଲେ-ଅଫ୍ ଖେଳିବାକୁ ମିଳିବ ସୁଯୋଗ । କିନ୍ତୁ ଯଦି ଆଜି ୫-୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଏ, ତେବେ ଏହା ବେଙ୍ଗଲୁରୁ ପାଇଁ ମହଙ୍ଗା ପଡ଼ିପାରେ । ଏହି ପରିସ୍ଥିତିରେ ରନ୍ ରେଟ୍ ସୁଧାରିବାକୁ ଆରସିବି ପାଇଁ ମଧ୍ୟ ଲକ୍ଷ୍ୟ ମିଳିଛି । ୫ ଓଭର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ବେଙ୍ଗଲୁରୁକୁ ୮୦ ରନ୍ କରିବାକୁ ହେବ ଏବଂ ଚେନ୍ନାଇ ମାତ୍ର ୬୨ ରନ୍ ମଧ୍ୟରେ ହିଁ ରଖିବାକୁ ପଡ଼ିବ । ସେହିପରି ଯଦି ବେଙ୍ଗଲୁରୁ ପ୍ରଥମେ ବୋଲିଂ କରେ, ତେବେ ଚେନ୍ନାଇ ତରଫରୁ ମିଳିଥିବା ୮୦ ରନର ଲକ୍ଷ୍ୟକୁ ଟାର୍ଗେଟକୁ ୧୯ ବଲ୍ ପୂର୍ବରୁ ହାସଲ କରିବାକୁ ହେବ ।
ଅନ୍ୟ ପକ୍ଷରେ ଚେନ୍ନାଇ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଯଦି ଏହି ମ୍ୟାଚରେ ଚେନ୍ନାଇ ବିଜୟଲାଭ କରେ, ତେବେ ଦଳ ଅତି ସହଜରେ ପ୍ଲେଅଫ୍ ଟିକେଟ ପାଇପାରିବ । ସେହିପରି ଯଦି ବର୍ଷା ଯୋଗୁଁ ମ୍ୟାଚ ରଦ୍ଦ ହୁଏ, ତେବେ ଚେନ୍ନାଇ ଅଧିକ ପଏଣ୍ଟ ଏବଂ ଅଧିକ ରନ୍ ରେଟ୍ ଯୋଗୁଁ ପ୍ଲେ-ଅଫ୍ ପାଇଁ ସୁଯୋଗ ପାଇବ । କିନ୍ତୁ ବେଙ୍ଗଲୁରୁ ନିଜ ଲକ୍ଷ୍ୟ ଅନୁସାରେ, ବିଜୟ ହାସଲ କଲେ ଚେନ୍ନାଇ ପ୍ଲେଅଫ୍ ରେସରୁ ବାଦ୍ ପଡ଼ିବା ସୁନିଶ୍ଚିତ । ତେଣୁ ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଥିବା ବେଳେ ବର୍ଷା ମଧ୍ୟ ମ୍ୟାଚରେ ବଡ଼ ଭୂମିକା ତୁଲାଇବ ।