ଦେହଜୀବି ଉପରେ ଆଧାରିତ ଫିଲ୍ମ କାହିଁକି ନିର୍ମାଣ କରିଥାନ୍ତି, ଖୁଲାସା କଲେ ସଞ୍ଜୟ ଲୀଲା ଭନସାଲୀ

ମୁମ୍ବାଇ: ବଲିଉଡ଼ର ଜଣାଶୁଣା ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ । ତାଙ୍କ ନିର୍ଦ୍ଦେଶିତ ଫିଲ୍ମର କଣ୍ଟେଣ୍ଟ୍‌, ଡାଏଲଗ୍ ଏବଂ ଷ୍ଟାର କାଷ୍ଟଙ୍କ ନିକ୍ଷୁଣ ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥାନ୍ତି । ନିକଟରେ ସଞ୍ଜୟ ଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ୱେବ୍ ସିରିଜ୍ ‘ହୀରାମଣ୍ଡି’କୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । ଏହା ତାଙ୍କ ପ୍ରଥମ ୱେବ୍ ସିରିଜ୍ ଥିଲା ଯାହାକୁ ନେଇ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ । ଏହା ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମ୍ ହେବା ପରଠାରୁ ଟ୍ରେଣ୍ଡିଂ ଲିଷ୍ଟରେ ସାମିଲ ହୋଇଥିଲା ।

ନିକଟରେ ସଞ୍ଜୟ ଲୀଲା ଭନସାଲୀ ଏକ ସାକ୍ଷାତକାରରେ ଦେହଜୀବିଙ୍କ ଚରିତ୍ର ଏବଂ କୋଠା ଉପରେ ଆଧାରିତ ନିଜ ଫିଲ୍ମ ନିର୍ମାଣକୁ ନେଇ ଅନେକ କଥା କହିଥିଲେ । ସେ ଏଭଳି ଫିଲ୍ମ କାହିଁକି ନିର୍ମାଣ କରିଥାନ୍ତି ତାହା ଉପରୁ ପରଦା ଉଠାଇଥିଲେ । ସେ କହିଥିଲେ, ‘ମୁଁ ଭାବୁଛି ଏଭଳି ମହିଳାଙ୍କ ଭିତରେ ଅନେକ ରହସ୍ୟ ଲୁଚି ରହିଛି । ଏମାନଙ୍କ ମଧ୍ୟରେ ସର୍ବଦା ଏକ ନିର୍ଦ୍ଦିଷ୍ଟ ପ୍ରକାରର ଶକ୍ତିର ଝଲକ ଦେଖିବାକୁ ମିଳିଥାଏ ଯାହାକୁ ଦେଖିବା ପାଇଁ ମୋତେ ବହୁତ କୌତୁହଳ ଲାଗେ । ମୁଁ ଏହି ମହିଳାଙ୍କୁ ବହୁତ ଆକର୍ଷଣୀୟ ମନେ କରେ ।’ ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେହଜୀବିମାନେ ଯେଉଁଠି ଗୀତ ଗାଇଥାନ୍ତି ସେଠାରେ ନାଚିଥାନ୍ତି । ସେମାନେ ଯେଉଁଠି ନିଜକୁ ଅଭିବ୍ୟକ୍ତ କରିଥାନ୍ତି ସେଠାରେ ସଂଗୀତ ଏବଂ ନୃତ୍ୟ ମାଧ୍ୟମରେ ସେମାନଙ୍କ ଆନନ୍ଦ ଏବଂ ଦୁଃଖର ଝଲକ ଦେଖିବାକୁ ମିଳିଥାଏ । ସେମାନଙ୍କୁ ଜୀବନ ଜୀଇଁବାର କଳା, ବାସ୍ତୁକଳାର ମହତ୍ୱ, ବସ୍ତ୍ର ପରିଧାନ ଏବଂ ଅଳଙ୍କାର ପିନ୍ଧିବାର ଉପାୟ ଜାଣିଥାନ୍ତି । ସେମାନଙ୍କ ମଧ୍ୟରେ କଳାକୁ ପରଖିବାର ଦକ୍ଷତା ରହିଛି । ଅପଣ ସେମାନଙ୍କୁ କିଛି ବି କହିପାରନ୍ତି କିନ୍ତୁ ଆମେ କଳାକାର ଲୋକ ।

‘ସାୱରିୟା’ ଫିଲ୍ମରେ ରାଣୀ ମୁଖାର୍ଜୀ, ‘ଦେବଦାସ’ରେ ମାଧୁରୀ ଦୀକ୍ଷିତ, ‘ଗାଙ୍ଗୁବାଇ କାଠିଆୱାଡ଼ି’ରେ ଆଲିୟା ଭଟ୍ଟ ଏବଂ ବର୍ତ୍ତମାନ ହୀରାମଣ୍ଡିରେ ମନୀଷା କୋଇରାଲା, ସୋନାକ୍ଷୀ ସିହ୍ନାଙ୍କ ଭଳି ଅନ୍ୟ ଅଭିନେତ୍ରୀଙ୍କୁ ଦେହଜୀବି ଚରିତ୍ରରେ ଦେଖିବାକୁ ମିଳିଥିଲା ।