(Video) କି ଅଦ୍ଭୁତ ଘଟଣା! ପ୍ରବଳ ଖରାରେ ବି ଦିଶୁନି ଛାଇ… କାହିଁକି ଏବଂ କେଉଁଠି ହଜିଗଲା ‘ପ୍ରକୃତ ସାଥୀ’?

ଓଡ଼ିଶା ଭାସ୍କର: ଡହଡହ ଖରାରେ ସିଝୁଛି ସାରା ଭାରତ । ବିଭିନ୍ନ ରାଜ୍ୟରେ ତାପମାତ୍ରା ୩୫-୪୦ଡିଗ୍ରୀ ରହିଥିବା ବେଳେ ଗ୍ରୀଷ୍ମପ୍ରବାହ ଲୋକଙ୍କ ପାଇଁ କାଳ ସାଜିଛି । କିନ୍ତୁ ଏତେ ଖରାରେ ମଧ୍ୟ ଏକ ଅଦ୍ଭୁତ ତଥା ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ନିଜରାତି ଆମ ପାଖରେ ରହିଥିବା ଜୀବନର ଏକମାତ୍ର ‘ପ୍ରକୃତ ସାଥୀ’ ମଣିଷର ଛାଇ ହିଁ ଆଜି ଆମଠାରୁ ଦୂରେଇ ଯାଇଛି । ଦିନ ହେଉ ବା ରାତି ସବୁଠି ଆମ ସହ ଆମ ଛାଇ ରହିଥାଏ, କିନ୍ତୁ ଆଜି ତାହା କେଉଁଠି ହଜିଯାଇଛି । ଏତେ ଖରାରେ ମଧ୍ୟ କେହି ନିଜ ଛାଇକୁ ଖୋଜି ପାଉନାହାନ୍ତି । ତେବେ ଆସନ୍ତୁ ଜାଣିବା କାହିଁକି ଏବଂ କୁଆଡ଼େ ଗଲା ମଣିଷର ପ୍ରକୃତ ସାଥୀ ।

ଆଜି ମେ ୨୧ ତାରିଖ ତଥା ଆଜି ଶୂନ୍ୟ ଛାୟା ଦିବସ । ଏହି ଦିନକୁ ପ୍ରତେକ ବର୍ଷ ପାଳନ ହୋଇଆସୁଛି । ଆଜି ଦିନ ୧୧ଟା ୪୩ରେ ଶୁନ୍ୟ ଛାୟା ସମୟ ରହିଛି । ବର୍ଷରେ ଏପରି ୨ ଦିନ ଅଛି । ଯେବେ ଦିନ ଦ୍ୱିପ୍ରହରରେ ମଧ୍ୟ କିଛି କ୍ଷଣ ପାଇଁ ଛାଇ ଦେଖାଯାଏ ନାହିଁ । ବର୍ଷର ଏହି ୨ ଦିନ ମଧ୍ୟାହ୍ନରେ ସୂର୍ଯ୍ୟ ଆମର ଠିକ୍ ମୁଣ୍ଡ ଉପରେ ରୁହନ୍ତି । ଏହି ସମୟରେ ଛାଇ ଦେଖାଯାଏ ନାହିଁ । ଏହି ଘଟଣାକୁ ଜ୍ୟୋର୍ତିବଜ୍ଞାନୀମାନେ ଶୂନ୍ୟ ଛାୟା ଦିବସ ବା ଜିରୋ ସ୍ୟାଡୋ ଡେ’ ଭାବେ ନାମିତ କରିଛନ୍ତି । ଏପ୍ରିଲରୁ ଜୁନ୍ ଏବଂ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବର୍ଷକୁ ୨ଥର ଶୂନ୍ୟ ଛାୟା ଘଟିଥାଏ ।

ପୃଥିବୀ ନିଜ କକ୍ଷ ପଥ ସହ ୨୩.୫ ଡିଗ୍ରୀ ଢଳି ରହିଛି । ଫଳରେ ସୂର୍ଯ୍ୟ ସବୁ ଦିନ ସମାନ ସ୍ଥାନରୁ ଉଦୟ ହୁଏ ନାହିଁ ବା ଏକା ଜାଗାରେ ଅସ୍ତ ହୁଏ ନାହିଁ । ୨୧ ମାର୍ଚ୍ଚ ଠାରୁ ସୂର୍ଯ୍ୟ ଉଦୟର ସ୍ଥାନ ଧୀରେ ଧୀରେ ଉତ୍ତର ଦିଗରେ ଗତିକରି ୨୧ ଜୁନ ଦିନ ଉତ୍ତର ଦିଗର ସବୁଠାରୁ ଦୂରକୁ ଚାଲିଯାଏ । ସେଠାରେ ପୁଣି ଦକ୍ଷିଣକୁ ଫେରିବାକୁ ଲାଗେ । ୨୧ ସେପ୍େଟମ୍ବର ଦିନ ବିଷୁବ ରେଖା ଉପର ଦେଇ ୨୧ ଡିସେମ୍ବର ଦିନ ଦକ୍ଷିଣର ଶେଷ ବିନ୍ଦୁ ମକରକ୍ରାନ୍ତିରେ ଆସି ପହଞ୍ଚି ଥାଏ । ପୁଣି ତାପର ଦିନ ଠାରୁ ସୂର୍ଯ୍ୟର ଉତ୍ତର ଦିଗକୁ ଗତି ଆରମ୍ଭ ହୁଏ । ଏହି ପ୍ରକ୍ରିୟା ଅନବରତ ଚାଲି ରହିଛି ।