fbpx

ଶ୍ୱଶୁର ଘରେ କିପରି କମଫର୍ଟେବଲ ଅନୁଭବ କରିବେ ନୂଆ ବୋହୂ ? ଶାଶୂ ଆପଣାନ୍ତୁ ଏହି ୫ଟି ଟିପ୍ସ

ଓଡ଼ିଶା ଭାସ୍କର: ବିବାହ ଏକ ସାମାଜିକ ଅନୁଷ୍ଠାନ । ପ୍ରତ୍ୟେକ ମାତା ପିତା ଚାହାଁନ୍ତି ଯେ ସେମାନଙ୍କ ସନ୍ତାନର ବିବାହ ଭଲ ପରିବାରରେ ଏବଂ ଉତ୍ତମ ପାତ୍ର ସହ ହେଉ । ବିଶେଷ କରି ଅଧିକାଂଶ ଝିଅ ବିବାହ ପୂର୍ବରୁ ନିଜ ଶ୍ୱଶୁର ଘରକୁ ନେଇ ଚିନ୍ତିତ ଥାନ୍ତି । ପରିବାର କିପରି ଥିବ ? ଶାଶୂଙ୍କ ସ୍ୱଭାବ, ଶ୍ୱଶୁର ଘରର ଚଳଣି ଇତ୍ୟାଦି ବିଷୟରେ ଅନେକ କଳ୍ପନା ଜଳ୍ପନା ଭିତରେ ଘାଣ୍ଟି ହେଉଥାନ୍ତି । ନୂଆ ବୋହୂଟିଏ ଶ୍ୱଶୁର ଘରକୁ ଆସିଲେ ବହୁତ ଘାବରାଇ ଯାଏ । ନୂଆ ପରିବାର ବିଶେଷ କରି ଶାଶୂଙ୍କ ସହ କିପରି ଆଡଜଷ୍ଟ କରିବ କିଛି ବୁଝିପାରୁନଥାଏ କାରଣ ସମାଜରେ ଶାଶୂ ବୋହୂର ସମ୍ପର୍କକୁ ନେଇ ଅନେକ ଷ୍ଟିରିଓଟାଇପ୍ କଥା ରହିଛି । ଏହି ସବୁ ଜିନିଷ ନୂଆ ବୋହୂ ମନରେ ନକାରାତ୍ମକ ଚିନ୍ତାଧାରା ସୃଷ୍ଟି କରିଥାଏ । ଏଭଳି ସ୍ଥିତିରେ ନୂଆ ବୋହୂକୁ କମଫର୍ଟେବଲ ଅନୁଭବ କରାଇବା ଶାଶୂଙ୍କ ପ୍ରମୁଖ ଦାୟିତ୍ୱ ଅଟେ । ଟିକିଏ ଧୈର୍ଯ୍ୟ ଏବଂ ସହଯୋଗ ବଳରେ ନୂଆ ବୋହୂ ଶୀଘ୍ର ପରିବାର ସହ ନିଜକୁ ଆଡଜଷ୍ଟ କରିଥାଏ । ତେବେ ଜଣେ ଉତ୍ତମ ଶାଶୂ ଭାବେ ନିମ୍ନଲିଖିତ ଟିପ୍ସ ଆପଣାଇ ବୋହୂ ସହ ସମ୍ପର୍କ ସୁଧାରି ପାରିବେ ।

୧. ବୋହୂ ସହ ଝିଅ ପରି ବ୍ୟବହାର କରନ୍ତୁ: ବିବାହ ପରେ ଝିଅଟିଏ ନୂତନ ପରିବେଶରେ ନିଜକୁ ଅସହଜ ଅନୁଭବ କରିଥାଏ । ତାକୁ ବାପ ଘର କଥା ବେଶି ମନେ ପଡ଼େ । ନୂଆ ବୋହୂ ମନରେ ଶାଶୂକୁ ନେଇ ଅନେକ ଡର ବସା ବାନ୍ଧି ଥାଏ । ତେଣୁ ପ୍ରଥମେ ଶାଶୂ ବୋହୂ ସହ ଝିଅ ପରି ବ୍ୟବହାର କରନ୍ତୁ । ନୂଆ ବୋହୂର ଛୋଟ ଛୋଟ ଭୁଲକୁ ଅଣଦେଖା କରନ୍ତୁ । ଟିକେ ଟିକେ କଥାରେ ସେମାନଙ୍କ ଉପରେ ନ ରାଗି କ୍ଷମା କରନ୍ତୁ । ଏହା ସହ ପ୍ରତ୍ୟେକ କଥାରେ ନୂଆ ବୋହୂକୁ ଗାଳି ଦିଅନ୍ତୁ ନାହିଁ ।

୨. ବୋହୂକୁ ଉପହାର ଦିଅନ୍ତୁ: ନୂଆ ବୋହୂଟିଏ ଶ୍ୱଶୁର ଘରକୁ ଆସିଲେ ଶାଶୂ ସୁନ୍ଦର ଉପହାର ମଧ୍ୟମରେ ସେମାନଙ୍କ ସ୍ୱାଗତ କରିପାରିବେ । ଯେପରି ନୂତନ ବସ୍ତ୍ର କିମ୍ବା ଅଳଙ୍କାର ଇତ୍ୟାଦି । କିଛି ବିଶେଷ ଅବସର ନଥିଲେ ମଧ୍ୟ ବୋହୂକୁ ଛୋଟ ଛୋଟ ସରପ୍ରାଇଜ୍ ଦିଅନ୍ତୁ । ଏହା ଦ୍ୱାରା ଶାଶୂ ଏବଂ ବୋହୂର ସମ୍ପର୍କ ମଧୂର ହୋଇଥାଏ । ଆପଣ ଅନ୍ୟ ପ୍ରତି କିଭଳି ଭାବନା ରଖୁଛନ୍ତି ଏହା ଉପହାର ମାଧ୍ୟମରେ ଦର୍ଶାଯାଏ ।

୩. ଦାୟିତ୍ୱର ବୋଝ: ଅଧିକାଂଶ ସମୟରେ ନୂଆ ବୋହୂଟିଏ ଘରକୁ ଆସିଲେ ଶାଶୂ ସେମାନଙ୍କ ଉପରେ ଦାୟିତ୍ୱର ବୋଝ ଲଦି ଦିଅନ୍ତି । ଏପରି କରନ୍ତୁି ନାହିଁ । ଏହା ଉତ୍ତମ ଶାଶୂର ଲକ୍ଷଣ ନୁହେଁ । ନୂଆ ବୋହୂକୁ ଧିରେ ଧିରେ ଛୋଟ ଦାୟିତ୍ୱ ଦିଅନ୍ତୁ । ଏହା ଦ୍ୱାରା ସେମାନେ ଘାବରାଇ ନଥାନ୍ତି ଏବଂ ଭଲ ଭାବରେ ନିଜ କର୍ତ୍ତବ୍ୟ ନିର୍ବାହ କରିଥାନ୍ତି । ଏଥିରେ ବ୍ୟତିକ୍ରମ ହେଲେ ବୋହୂର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼ିଥାଏ ।

୪. ଶ୍ୱଶୁର ଘରର ଚଳଣି ବୁଝାନ୍ତୁ: ନୂଆ ବୋହୂକୁ ନୂତନ ଘରେ ଆଡଜଷ୍ଟ ହେବା ପାଇଁ ସମୟ ଲାଗିଥାଏ । ତେଣୁ ପ୍ରଥମେ ତାକୁ ଘରର ଚଳଣି ବିଷୟରେ ଅବଗତ କରାନ୍ତୁ । ଘରର ସଦସ୍ୟଙ୍କ ଦିନଚର୍ଯ୍ୟା, ବ୍ୟବହାର, ପସନ୍ଦ- ଅପସନ୍ଦ ବିଷୟରେ ସ୍ନେହରେ ବୁଝାନ୍ତୁ । ଘରେ କେଉଁ ସଦସ୍ୟକୁ କେଉଁ ଦାୟିତ୍ୱ ଦିଆଯାଇଛି ସେ ବିଷୟରେ ପୂର୍ବରୁ ଜାଣିଲେ ନୂଆ ବୋହୂକୁ କୌଣସି ପ୍ରକାର ଅସୁବିଧା ହୋଇନଥାଏ ।

୫. ପ୍ରାଇଭେସିକୁ ଗୁରୁତ୍ୱ ଦିଅନ୍ତୁ: ଅଧିକାଂଶ କ୍ଷେତ୍ରରେ ନୂଆ ବୋହୂଟିଏ ଆସିଲେ ପରିବାରର ସମସ୍ତ ସଦସ୍ୟ ତା’ ସହ ଭେଟିବାକୁ ଇଚ୍ଛା କରିଥାନ୍ତି । ଏମିତିକ ବେଡରୁମରେ ମଧ୍ୟ ଘଣ୍ଟା ଘଣ୍ଟା ବସି କଥାବାର୍ତ୍ତା ହୋଇଥାନ୍ତି । ବେଳେ ବେଳେ ନୂଆ ବୋହୂକୁ ଦାୟିତ୍ୱ ଭିତରେ ବ୍ୟସ୍ତ ରଖିଥାନ୍ତି । ଏପରି କରନ୍ତୁ ନାହିଁ । ଏଭଳି ସ୍ଥିତିରେ ନୂଆ ବେହୂର ପ୍ରାଇାଭେସି ବିଷୟରେ ଶାଶୂକୁ ଚିନ୍ତା କରିବା ଉଚିତ । ନୂତନ ଦମ୍ପତ୍ତିଙ୍କୁ କିଛି ସମୟ ପାଇଁ ଏକୁଟିଆ ରହିବାକୁ ଦିଅନ୍ତୁ । ନୂତନ ଦମ୍ପତ୍ତ କେଉଁଆଡ଼େ ବୁଲିବାକୁ ଯାଉଥିଲେ ସେମାନଙ୍କ ସହ ଯାଆନ୍ତୁ ନାହିଁ । ପ୍ରତ୍ୟେକ କଥାରେ ହସ୍ତକ୍ଷେପ କରିବା ସେମାନଙ୍କୁ ଭଲ ଲାଗିନଥାଏ ।

Get real time updates directly on you device, subscribe now.