fbpx

T-20 World Cup ଚମ୍ପିଆନ୍ ହେବ ମାଲାମାଲ: ବିଶ୍ୱବିଜେତାଙ୍କୁ ମିଳିବ ଡବଲ ରାଶି, ଜାଣନ୍ତୁ Prize Money

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ଏବେ ରୋମାଞ୍ଚକର ରୂପ ନେଉଛି । ପ୍ରତିଟି ମ୍ୟାଚରେ ଦେଖିବାକୁ ମିଳୁଛି ବିଶ୍ୱକପର ଝଲକ ଆଉ ସଂଘର୍ଷ । ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ କଡ଼ା ମୁକାବିଲା ବିଶ୍ୱକପ ମଜାକୁ ଆହୁରି ଦ୍ୱିଗୁଣିତ କରିଦେଇଛି । ତେବେ ଏହାଭିତରେ ଆଇସିସି ଘୋଷଣା କରିଛି ବିଶ୍ୱକପର ପ୍ରାଇଜ ମନି । ବିଶ୍ୱକପରେ ବିଜୟୀ ହୋଇଥିବା ଦଳକୁ ଟ୍ରଫି ସହ ମିଳିବ ମୋଟା ଅଙ୍କର ଉପହାର ରାଶି । ଟି-୨୦ ବିଶ୍ୱକପ ପାଇଁ ଆଇସିସି ୧୧.୨୫ ମିଲିୟନ୍ ଡଲାର ବା ୯୩.୫୧ କୋଟି ଟଙ୍କା ପ୍ରାଇଜ ମନି ଘୋଷଣା କରିଛି ।

ଟି-୨୦ ବିଶ୍ୱକପର ଚମ୍ପିଆନ୍ ଦଳକୁ ଆଇସିସି ତରଫରୁ ମୋଟ ୨.୪୫ ମିଲିୟନ୍ ଡଲାର(ପ୍ରାୟ ୨୦ କୋଟି ୩୬ ଲକ୍ଷ ଟଙ୍କା)ର ପୁରସ୍କାର ରାଶି ଘୋଷଣା କରିଛି । ସେହିପରି ବିଶ୍ୱକପର ଉପ-ବିଜେତା ବା ରନର୍ସ ଅପ୍ ଦଳ ପାଇଁ ୧.୨୮ ଡଲାର ପୁରସ୍କାର ପ୍ରଦାନ କରାଯିବ । ଏହାପରେ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପରାଜୟ ବରଣ କରିଥିବା ଦଳକୁ ୭,୮୭,୫୦୦ ଡଲାର ଆଇସିସି ତରଫରୁ ପୁରସ୍କାର ରାଶି ଭାବରେ ଘୋଷଣା କରାଯାଇଛି । ତେବେ ଗତବର୍ଷ ଏହି ପୁରସ୍କାର ରାଶି ୫.୬ ମିଲିୟନ୍ ଡଲାର ରହିଥିବା ବେଳେ ଚମ୍ପିଆନ୍ ଇଂଲଣ୍ଡକୁ ୧.୬ ମିଲିୟନ ଡଲାର ପ୍ରଦାନ କରାଯାଇଥିଲା ।

ଏକ ବୟାନ ଜାରି କରି ଆଇସିସି କହିଛି ଯେ, ଆଇସିସି ଟି-୨୦ ବିଶ୍ୱକପ ନବମ ସିଜନର ଚମ୍ପିଆନ୍ ଦଳକୁ ଟ୍ରଫି ସହ ୨.୪୫ ମିଲିୟନ୍ ଡଲାର ପୁରସ୍କାର ରାଶି ଭାବରେ ପ୍ରଦାନ କରାଯିବ । ଟୁର୍ଣ୍ଣାମେଣ୍ଟ ଇତିହାସରେ ଚଳିତବର୍ଷ ସର୍ବାଧିକ ପୁରସ୍କାର ରାଶି ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଛି ଆଇସିସି । ସୁପର-୮ ଲଢେଇରେ ଆଗକୁ ଯାଇ ପାରି ନଥିବା ପ୍ରତ୍ୟେକ(୪ଟି) ଦଳକୁ ୩,୮୨,୫୦୦ ଡଲାର ରାଶି ମିଳିବ । ନବମରୁ ଦ୍ୱାଦଶ ସ୍ଥାନରେ ରହିଥିବା ସମସ୍ତ ଦଳ ପାଇଁ ପୁରସ୍କାର ରାଶି ୨,୪୭,୫୦୦ ଡଲାର ରହିଥିବା ବେଳେ ୧୩ତମ ସ୍ଥାନରୁ ୨୦ତମ ସ୍ଥାନ ପର୍ଯ୍ୟନ୍ତ ସମସ୍ତ ଦଳ ୨,୨୫,୫୦୦ ଡଲାର ପୁରସ୍କାର ରାଶି ଘୋଷଣା କରିଛି ଆଇସିସି । ପ୍ରତ୍ୟେକ ମ୍ୟାଚ(ସେମି ଫାଇନାଲ ଏବଂ ଫାଇନାଲ ବ୍ୟତୀତ)ରେ ବିଜୟୀ ଦଳକୁ ୩୧,୧୫୪ ଡଲାର ଲେଖାଏଁ ପ୍ରଦାନ କରିବ ବୋଲି ମଧ୍ୟ ଆଇସିସି ଘୋଷଣା କରିଛି ।

Get real time updates directly on you device, subscribe now.