ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୀର୍ଘ ୨୪ ବର୍ଷ ଧରି ରାଜ୍ୟକୁ ଶାସନ କରି ଆସିଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷମତାଚ୍ୟୁତ ହେବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ହେବ । ୧୪୭ଟି ଆସନ ବିଶିଷ୍ଟ ବିଧାନସଭାରେ ବିଜେଡି ସର୍ବାଧିକ ୭୮ଟି ଆସନ ପାଇବା ସହ ବହୁମତ ହାସଲ କରିଛି । ତେବେ ତେବେ ଜୁନ୍ ୧୦ରେ ଓଡ଼ିଶାରେ ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ ବୋଲି ନିର୍ବାଚନୀ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିବାରୁ ଉକ୍ତ ବକ୍ତବ୍ୟ ବେଶ୍ ମହତ୍ତ୍ୱ ରଖୁଛି । ତେଣୁ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ତେବେ ରାଜ୍ୟର ନୂଆ ସିଏମ୍ ରେସରେ ରହିଛନ୍ତି ୯ ଜଣ ବଡ଼ ଚେହେରା ।
୧- ବୈଜୟନ୍ତ ପଣ୍ଡା ରାଜ୍ୟ ବିଜେପିର ଜଣେ ବଡ଼ ଚେହେରା ଭାବେ ପରିଚିତ । ସେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି । ଏଥିସହିତ ଚଳିତ ନିର୍ବାଚନରେ ସେ ୟୁପିର ନିର୍ବାଚନ ପ୍ରଭାରୀ ଦାୟିତ୍ୱ ତୁଲାଇବା ସହିତ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରହିଛନ୍ତି ।
୨- ପ୍ରତାପ ଷଡ଼ଙ୍ଗୀ ୨୦୧୯ ଲୋକସଭା ନିର୍ବାଚନରେ ବିଜୟୀ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ଚଳିତ ଥର ସେ ଦ୍ୱିତୀୟ ଥର ପାଇଁ ବିଜୟୀ ହୋଇଥିବା ବେଳେ ଏହା ପୂର୍ବରୁ ଦୁଇଥର ବିଧାୟକ ମଧ୍ୟ ହୋଇଥିଲେ । ସଂଘ ପରିବାର ସହିତ ପ୍ରତାପଙ୍କର ସମ୍ପର୍କ ରହିଥିବା ବେଳେ ସରଳ ଜୀବନଯାପନକୁ ନେଇ ସେ ବେଶ୍ ପରିଚିତ ।
୩- ସୂରଜ ସୂର୍ଯ୍ୟବଂଶୀ ରାଜ୍ୟ ବିଜେପିର ଜଣେ ଉଦ୍ଦୀୟମାନ ଚେହେରା । ଧାମନଗର ଉପନିର୍ବାଚନରେ ସେ ବିଜେଡିକୁ ହରାଇ ଚର୍ଚ୍ଚାର ପରିସରକୁ ଆସିଥିଲେ । ଚଳିତ ବିଧାନସଭା ନିର୍ବାଚନରେ ସେ ବିଜୟୀ ହୋଇଛନ୍ତି । ସେ ଜଣେ ସୁବକ୍ତା ହେବା ସହ ତାଙ୍କର ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତୀ ରହିଛି ।
୪- କନକବର୍ଦ୍ଧନ ସିଂଦେଓ ପୂର୍ବରୁ ଭାଜପାର ରାଜ୍ୟ ସଭାପତି ରହିଥିଲେ । ସେ ବଲାଙ୍ଗିର ରାଜପରିବାରରୁ ଆସିବା ସହିତ ଚଳିତ ଥର ସେ ପାଟଣାଗଡ଼ ଆସନରୁ ବିଧାୟକ ଭାବେ ବିଜୟୀ ହୋଇଛନ୍ତି । ପୂର୍ବରୁ ସେ ବିଜେଡି-ବିଜେପି ମେଣ୍ଟ ସରକାରରେ ମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ।
୫- ଗିରିଶ ମୁର୍ମୁଙ୍କ ପରି ଜଣେ ଆଦିବାସୀ ଚେହେରାଙ୍କୁ ନେଇ ବିଜେପି ସରପ୍ରାଇଜ୍ କାର୍ଡ ଖେଳିପାରେ ବୋଲି ଚର୍ଚ୍ଚା ହେଉଛି । ସେ ପୂର୍ବରୁ କେନ୍ଦ୍ର ସରକାରଙ୍କର ସିଏଜି, ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ପଦରେ ରହିଥିଲେ ।
୬- ଲକ୍ଷ୍ମଣ ବାଗ ଚଳିତ ନିର୍ବାଚନରେ କଣ୍ଟାବାଞ୍ଜି ଆସନରୁ ନବୀନ ପଟ୍ଟନାୟକଙ୍କୁ ପରାସ୍ତ କରି ନୂଆ ରେକର୍ଡ କରିଛନ୍ତି । ଦୀର୍ଘ ୨୪ ବର୍ଷ ଧରି ପରାଜୟର ସ୍ୱାଦ ଚାଖି ନଥିବା ନବୀନଙ୍କୁ ପରାସ୍ତ କରିବାର ପୁରସ୍କାର ଲକ୍ଷ୍ମଣଙ୍କୁ ମିଳିପାରେ ।
୭- ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ବିଜେପିର ଅନ୍ୟତମ ପ୍ରମୁଖ ଚେହେରା । ସେ ଏକାଧିକ ଥର କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି । ରାଜ୍ୟରେ ବିଜେପିକୁ ଶକ୍ତିଶାଳୀ କରିବା ଦିଗରେ ଧର୍ମେନ୍ଦ୍ରଙ୍କର ଅନେକ ଅବଦାନ ରହିଛି ।
୮- ଅପରାଜିତା ଷଡ଼ଙ୍ଗୀ: ୨୦୧୯ ପରେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ଅପରାଜିତା ଷଡ଼ଙ୍ଗୀ । ରାଜଧାନୀ ପରି ଏକ ସମ୍ମାନଜନକ ଆସନରେ ବିଜେଡିକୁ କ୍ରମାଗତ ଦୁଇଥର ମାତ୍ ଦେଇ ଅପରାଜିତା ଅପରାଜିତ ହୋଇ ରହିଛନ୍ତି ।
୯: ଅଶ୍ୱିନୀ ବୈଷ୍ଣବ: କ୍ରମାଗତ ଦୁଇଥର ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଅଶ୍ୱିନୀ ବୈଷ୍ଣବ ଜଣେ ପାୱାରଫୁଲ୍ ନେତା । ସେ କେନ୍ଦ୍ରମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଛନ୍ତି । କ୍ରମାଗତ ଦୁଇଥର ବିଜେଡି ସମର୍ଥନରେ ଅଶ୍ୱିନୀ ରାଜ୍ୟସଭାକୁ ଯାଇଛନ୍ତି । ତେଣୁ ଅଶ୍ୱିନୀଙ୍କ ରାଜନୈତିକ କରିଡର କେତେ ଗଭୀର ତାହା ସ୍ପଷ୍ଟ ଅନୁମେୟ ।