fbpx

Air Strike କରିବ ଭାରତ! ଭାରତୀୟ ସେନାରେ ସାମିଲ ହେଲା ସ୍ୱଦେଶୀ ନାଗାସ୍ତ୍ର: ଶତ୍ରୁରାଷ୍ଟ୍ରକୁ ମିଳିବ କଡ଼ା ଜବାବ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ବାରମ୍ବାର ଆକ୍ରମଣ ମାମଲା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ୩ ଦିନ ଭିତରେ ୪ ଥର ଆକ୍ରମଣ ହୋଇ ସାରିଥିବା ବେଳେ ଭାରତ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ଜବାବ ଦେଇନାହିଁ । ସୁରକ୍ଷାକର୍ମୀ ବର୍ତ୍ତମାନ ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ଖୋଜିବାରେ ବ୍ୟସ୍ତ ଥିଲେ ମଧ୍ୟ ଭାରତ କିଛି ବଡ଼ ଆଟାକ କରିପାରେ ବୋଲି ଆଲୋଚନା ହେବାରେ ଲାଗିଛି । ପୂର୍ବ ଭଳି ଭାରତ ପୁଣି କରିବ କି ଏୟାର ଷ୍ଟ୍ରାଇକ? ଭାରତୀୟ ସେନାରେ ଆତ୍ମଘାତୀ ଡ୍ରୋନ୍ ନାଗାସ୍ତ୍ର-୧ ସାମିଲ ହେବା ପରେ ଏହାର ଆଶଙ୍କା ଆହୁରି ବଢିଯାଇଛି । ସେପଟେ ଶତୃ ରାଷ୍ଟ୍ରରେ ମଧ୍ୟ ଏକ ଭୟର ବାତାବରଣ ଖେଳି ଯାଇଛି ।

ଭାରତୀୟ ସେନାରେ ବର୍ତ୍ତମାନ ଏକ ଘାତକ ହତିଆର ସାମିଲ ହୋଇଛି । ପ୍ରଥମ ସ୍ୱଦେଶୀ ଲାଇଟରିଙ୍ଗ ମ୍ୟୁନିଶନ୍ ନାଗାସ୍ତ୍ର-୧ ଭାରତୀୟ ସେନାକୁ ହସ୍ତାନ୍ତର କରିଛି ନାଗପୁରର ସୋଲାର ଇଣ୍ଡଷ୍ଟ୍ରୀଜ । ଏହା ଶତ୍ରୁ ରାଷ୍ଟ୍ର ଭିତରେ ପଶି ଆକ୍ରମଣ କରିବାରେ ନିପୁଣ । ଏହି ଆତ୍ମଘାତୀ ଡ୍ରୋନ ଶତ୍ରୁମାନଙ୍କ ପାଇଁ ଖୁବ ବିପଦଜନକ ପାଲଟିପାରେ । ଜରୁରୀକାଳୀନ କ୍ରୟ କ୍ଷମତା ଅନୁସାରେ ଭାରତ ଏହି ୪୮୦ ଲାଇଟରିଙ୍ଗ ମ୍ୟୁନିଶନର ଯୋଗାଣ ପାଇଁ ସୋଲାର ଇଣ୍ଡଷ୍ଟ୍ରୀଜ ଇକୋନୋମିକ୍ସ ଏକ୍ସପ୍ଲୋଜିଭସ ଲିମିଟେଡ(ଇଇଏଲ)କୁ ଦାୟିତ୍ୱ ଦେଇଛି । ନାଗପୁରର ଏହି ସ୍ୱଦେଶୀ କମ୍ପାନୀ ନାଗାସ୍ତ୍ର-୧ ଭଳି ଘାତକ ଡ୍ରୋନ ମଧ୍ୟ ବିକଶିତ କରିଛି । ତେପେ ପ୍ରି-ଡେଲିଭରୀ ନିରୀକ୍ଷଣ ସଫଳ ହେବା ପରେ ଇଇଏଲ ସେନାର ଗୋଳାବାରୁଦ ଡିପୋକୁ ୧୨୦ ଲାଇଟରିଙ୍ଗ ମ୍ୟୁନିଶନ୍ ହସ୍ତାନ୍ତର କରିଥିବା ନେଇ ଜଣେ ରକ୍ଷା ବିଶେଷଜ୍ଞ କହିଛନ୍ତି ।

ନାଗାସ୍ତ୍ରର ବିଶେଷତ୍ୱ

  • ସହଜରେ ମୂପୃଷ୍ଠରୁ ଲଞ୍ଚ୍ କରାଯାଇ ପାରିବ
  • ୧.୫ କେ.ଜି ବିସ୍ଫୋଟକ ୱାରହେଡ ନେବାରେ ସକ୍ଷମ
  • ୧୫ କି.ମି ପର୍ଯ୍ୟନ୍ତ ଲକ୍ଷଭେଦ କ୍ଷମତା
  • ଆତଙ୍କୀ ଲଞ୍ଚ୍ ପ୍ୟାଡ୍, ଅନୁପ୍ରବେଶକାରୀ ଏବଂ ଶତ୍ରୁଙ୍କ ଟ୍ରେନିଙ୍ଗ କ୍ୟାମ୍ପ ଉପରେ ସଠିକ ଭାବରେ ଆକ୍ରମଣ କରିପାରିବ

ରକ୍ଷା କ୍ଷେତ୍ରରେ ‘ମେକ୍ ଇନ୍ ଇଣ୍ଡିଆ’ ଅନୁସାରେ ସେନା ତରଫରୁ ୪୮୦ ନାଗାସ୍ତ୍ର-୧ ଡ୍ରୋନର ଅର୍ଡର ଦିଆଯାଇଥିଲା । ଏହି ଆତ୍ମଘାତୀ ଡ୍ରୋନ ସଠିକ ଭାବରେ ଆକ୍ରମଣ କରିବାରେ ସକ୍ଷମ ହୋଇଥାଏ । ଏହି ଡିଲ୍ ପ୍ରାୟ ୩୦୦ କୋଟି ଟଙ୍କା ବିନିମୟରେ ହୋଇଥିବା ଅନୁମାନ କରାଯାଉଛି । ଜରୁରୀକାଳୀନ କ୍ଷମତାରେ ସେନା ଏହି ଡ୍ରୋନ ପାଇଁ ଅର୍ଡର ଦେଇଥିଲା । ତେବେ ଏହି ଡ୍ରୋନ ଭାରତୀୟ ସେନାରେ ସାମିଲ ହେବା ପରେ ଭାରତ ଏୟାର ଷ୍ଟ୍ରାଇକ କରି ଆତଙ୍କୀ ଆକ୍ରମଣର କଡ଼ା ଜବାବ ଦେଇପାରେ ବୋଲି ଆଲୋଚନା ଆରମ୍ଭ ହୋଇଛି ।

Get real time updates directly on you device, subscribe now.