fbpx

T-20 ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା: ଆଫଗାନିସ୍ତାନକୁ ହରାଇ ପାଇଲା ଫାଇନାଲ ଟିକେଟ

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ ଫାଇନାଲରେ ପ୍ରବେଶ କରିଛି ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନ ବିପକ୍ଷ ସେମି ଫାଇନାଲ ମ୍ୟାଚରେ ସହଜ ବିଜୟ ହାସଲ କରି ଫାଇନାଲ ଟିକେଟ ହାସଲ କରିଛି ମାକ୍ରରମ ସେନା । ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫ ଓଭରରେ ହାସଲ କରିବାରେ ସଫଳ ହୋଇଛି । ଏଥିସହିତ ବିଶ୍ବକପ୍ ଇତିହାସରେ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ତେବେ ଦ୍ୱିତୀୟ ସେମି ଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚର ବିଜୟୀ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ଆଫଗାନିସ୍ତାନକୁ ପରାସ୍ତ କରି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା । ଉଭୟ ଦଳ ନିଜର ପ୍ରଥମ ବିଶ୍ୱକପ ଫାଇନାଲ ଟିକେଟ ପାଇଁ ସେମି ଫାଇନାଲରେ ମୁହାଁମୁହିଁ ହୋଇଥିଲେ । କିନ୍ତୁ ଏହି ଲଢେଇରେ ଏକତରଫା ବିଜୟ ହାସଲ କରିଛି ଦକ୍ଷିଣ ଆଫ୍ରିକା । ପ୍ରଥମ ଇନିଂସରେ ଆଫଗାନିସ୍ତାନକୁ ମାତ୍ର ୫୬ ରନରେ ଅଲ ଆଉଟ କରିବା ପରେ ବ୍ୟାଟିଂରେ ମଧ୍ୟ କମାଲ କରିଛି ଦଳ । ମାତ୍ର ୮.୫ ଓଭରରେ ଗୋଟିଏ ୱିକେଟ ହରାଇ ୫୭ ରନର ଲକ୍ଷ୍ୟକୁ ହାସଲ କରିବାରେ ଦକ୍ଷିଣ ଆପ୍ରିକା ସଫଳ ହୋଇଛି । ଏହାସହିତ ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱକପ ଫାଇନାଲ ଖେଳିବାର ଯୋଗ୍ୟତା ହାସଲ କରିଛି ଦକ୍ଷିଣ ଆଫ୍ରିକା । ଆଫଗାନିସ୍ତାନ ବିପକ୍ଷ ଏହି ମ୍ୟାଚରେ କ୍ୱିଣ୍ଟନ୍ ଡି’କକ୍ ମାତ୍ର ୫ ରନ୍ କରି ଆଉଟ ହେବା ପରେ ରିଜା ହେଣ୍ଡ୍ରିକ୍ସ ଏବଂ ଅଧିନାୟକ ଏଡେନ୍ ମାର୍କରମ ଦଳକୁ ବିଜୟୀ କରାଇଛନ୍ତି । ହେଣ୍ଡ୍ରିକ୍ସ ୨୫ ବଲର ୩ଟି ଚୌକା ଏବଂ ଗୋଟିଏ ଛକା ସହ ୨୯ ରନ୍ କରିଥିବା ବେଳେ ମାର୍କରମ ୨୧ ବଲରୁ ୪ଟି ଚୌକା ସହ ୨୩ ରନ୍ କରିଛନ୍ତି । ତେବେ ଆଫଗାନିସ୍ତାନ ପକ୍ଷରୁ ଅଜମାତୁଲ୍ଲାହ ଉମରଜାଇ ଏକମାତ୍ର ୱିକେଟ ନିଜ ନାମରେ କରିପାରିଛନ୍ତି ।

ବିଶ୍ୱକପର ଦ୍ୱିତୀୟ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ଇଂଲଣ୍ଡ । ଉଭୟ ଦଳ ମଧ୍ୟରେ ଏହି ମ୍ୟାଚ ଖୁବ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ଭାରତ ବର୍ତ୍ତମାନ ସୁଦ୍ଧା ବଶ୍ୱକପରେ ସମସ୍ତ ମ୍ୟାଚ ବିଜୟୀ ହୋଇଥିବା ବେଳେ ଇଂଲଣ୍ଡ ଟ୍ରଫିକୁ ନିଜ ପାଖରେ ରଖିବାକୁ ଚେଷ୍ଟା କରିବ । ତେବେ ୨୦୨୨ ଟି-୨୦ ବିଶ୍ୱକପ ସେମି ଫାଇନାଲରେ ଇଂଲଣ୍ଡ ପାଖରୁ ମିଳିଥିବା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ଏହି ମ୍ୟାଚରେ ବିଜୟୀ ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

Get real time updates directly on you device, subscribe now.