ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ବିଭିନ୍ନ ଜିଲ୍ଲା କ୍ୟାଡରରେ ନିଯୁକ୍ତି ପାଇବାକୁ ଥିବା ୨୬୨୯ଟି ଶିକ୍ଷକ ପଦର ଅନଲାଇନ୍ ଆପ୍ଲିକେସନକୁ ନେଇ ଆସିଛି ଏକ ବଡ଼ ଖବର । ଆବେଦନ ପାଇଁ ପୂର୍ବରୁ ତିନିଥର ଅନଲାଇନ୍ ରେଜିଷ୍ଟ୍ରେସନ ତାରିଖ ପରିବର୍ତ୍ତନ ହୋଇଥିବା ବେଳେ ଏବେ ଚତୁର୍ଥୟ ଥର ପାଇଁ ପୁଣି ଥରେ ତାରିଖ ବୃଦ୍ଧି କରାଯାଇଛି । ପ୍ରଥମେ ଏପ୍ରିଲ ୧ରୁ ଆବେଦନ ଆରମ୍ଭ ହେବାର ଥିଲା । ମାତ୍ର ପରେ ମେ ପହିଲାକୁ ଘଞ୍ଚାଇ ଦିଆଯାଇଥିଲା । ତା’ପରେ ଅନଲାଇନ୍ ପଞ୍ଜିକରଣ ଜୁଲାଇ ପହିଲାରୁ ୨୫ ତାରିଖ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଥିଲା । ତେବେ ଏହା ମଧ୍ୟରେ ଚତୁର୍ଥ ଥର ପାଇଁ ଅନଲାଇନ୍ ଆବେଦନ ଅବଧି ବୃଦ୍ଧି ହୋଇଥିବା ନେଇ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।
ନୂଆ ବିଜ୍ଞପ୍ତି ମୁତାବକ, ଅଗଷ୍ଟ ପହିଲାରୁ ଅନଲାଇନ୍ ପଞ୍ଜିକରଣ ଆରମ୍ଭ ହୋଇ ୨୫ରେ ସରିବ । ସେହିପରି ଅନଲାଇନ୍ ଆପ୍ଲିକେସନର ସବମିସନ ଅଗଷ୍ଟ ୩୧ରେ ସରିବ । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି (ଏସସି) ଓ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଅଧିନରେ ସରକାରୀ ସ୍କୁଲମାନଙ୍କରେ ବିଭିନ୍ନ ବର୍ଗରେ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଟିଜିଟି (କଳା), ଟିଜିଟି (ବିଜ୍ଞାନ-ପିସିଏମ), ଟିଜିଟି (ବିଜ୍ଞାନ-ସିବିଜେଡ), ସଂସ୍କୃତ, ହିନ୍ଦି, ଶାରୀରିକ ଶିକ୍ଷା ଶିକ୍ଷକ (ପିଇଟି), ଜନଜାତି ଭାଷା ଶିକ୍ଷକ ଓ ସେବକ/ ସେବିକାଙ୍କୁ ନିଯୁକ୍ତି ଦିଆଯିବ ।
ଲିଙ୍କ: https://osssc.gov.in/Docs/TGT-APPLICATION-ADV-647.PDF