fbpx

ୟୁରୋ ୨୦୨୪: ସେମିଫାଇନାଲରେ ପରସ୍ପରକୁ ଭେଟିବେ ଇଂଲଣ୍ଡ ଓ ନେଦରଲାଣ୍ଡସ୍

ନୂଆଦିଲ୍ଲୀ: ଜର୍ମାନୀରେ ଚାଲିଥିବା ୟୁରୋ କପ୍ ୨୦୨୪ ଫୁଟବଲ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲ ପର୍ଯ୍ୟାୟ ମୁକାବିଲା ସମାପ୍ତ ହୋଇଛି । ଗତକାଲି ରାତିରେ ଖେଳାଯାଇଥିବା ମ୍ୟାଚରେ ସ୍ୱିଜରଲାଣ୍ଡକୁ ପେନାଲ୍ଟୀ ଶୁଟଆଉଟରେ ୫-୩ରେ ପରାସ୍ତ କରିଥିଲା ଇଂଲଣ୍ଡ । ଏହି ବିଜୟ ଫଳରେ ତୃତୀୟ ଦଳ ଭାବେ ଇଂଲଣ୍ଡ ସେମିରେ ପ୍ରବେଶ କରିଥିଲା । ନିର୍ଦ୍ଧାରିତ ସମୟ ସୁଦ୍ଧା ମ୍ୟାଚର ସ୍ଥିତି ୧-୧ରେ ବରାବର ରହିଥିଲା । ଫଳରେ ପେନାଲ୍ଟୀର ସହାୟତା ନିଆଯାଇଥିଲା ।

ସେହିପରି ଗତକାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ତୁର୍କୀକୁ ୨-୧ ଗୋଲ ବ୍ୟବଧାନରେ ପରାସ୍ତ କରିଛି ନେଦରଲାଣ୍ଡସ । ଏହି ବିଜୟ ଫଳରେ ନେଦରଲାଣ୍ଡସ ଚତୁର୍ଥ ଦଳ ଭାବେ ୟୁରୋ କପ୍ ୨୦୨୪ର ସେମିଫାଇନାଲରେ ପ୍ରବେଶ କରିଛି । ଗତକାଲି ରାତିରେ ଖେଳାଯାଇଥିବା ଏହି ମ୍ୟାଚଟି ବେଶ୍ ରୋମାଞ୍ଚଭରା ରହିଥିଲା । ଏହା ପୂର୍ବରୁ ସ୍ପେନ, ଫ୍ରାନ୍ସ ଓ ଇଂଲଣ୍ଡ ସେମିରେ ପ୍ରବେଶ କରିସାରିଥିବା ବେଳେ ଚତୁର୍ଥ ଦଳ ଭାବେ ନେଦରଲାଣ୍ଡସ ସେମିରେ ପ୍ରବେଶ କରିଛି । ଏହାଫଳରେ ସ୍ପେନ-ଫ୍ରାନ୍ସ ଓ ଇଂଲଣ୍ଡ-ନେଦରଲାଣ୍ଡସ ମଧ୍ୟରେ ଚଳିତ ୟୁରୋ କପ ୨୦୨୪ର ସେମି ଟକ୍କର ହେବ ।

କ୍ୱାର୍ଟରଫାଇନାଲ ମୁକାବିଲାରେ ସ୍ୱିଜରଲାଣ୍ଡକୁ ହରାଇବା ପରେ ଇଂଲଣ୍ଡର ମ୍ୟାନେଜର ଓ ଖେଳାଳିମାନେ ପ୍ରତିକ୍ରିୟା ଦେଇଛନ୍ତି । ଏହି ମ୍ୟାଚରେ ଖେଳାଳିମାନେ ଶାନଦାର ପ୍ରଦର୍ଶନ କରିଥିଲେ ବୋଲି ମ୍ୟାନେଜର ଗାରେଥ ସାଉଥଗେଟ୍ କହିଛନ୍ତି । ଚାପକୁ ନିୟନ୍ତ୍ରଣ କରି ଶେଷରେ ଦଳ ପେନାଲ୍ଟୀରେ ବିଜୟୀ ହୋଇଥିଲା ବୋଲି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିବା ବୁକାୟୋ ସାକା କହିଛନ୍ତି । ସେହିପରି ସେମିଫାଇନାଲ ମ୍ୟାଚ ପୂର୍ବରୁ ନେଦରଲାଣ୍ଡସର ମ୍ୟାନେଜର ଓ ଖେଳାଳିମାନେ ବେଶ୍ ଉତ୍ସାହିତ ରହିଛନ୍ତି । ନେଦରଲାଣ୍ଡସ ଏକ ଛୋଟ ରାଷ୍ଟ୍ର ହୋଇଥିଲେ ହେଁ ଇଂଲଣ୍ଡ, ଫ୍ରାନ୍ସ ଓ ସ୍ପେନ ସହିତ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ବୋଲି ନେଦରଲାଣ୍ଡସର ମ୍ୟାନେଜର ରୋନାଲ୍ଡ କୋଇମ୍ୟାନ କହିଛନ୍ତି ।

Get real time updates directly on you device, subscribe now.