fbpx

୧୮ରେ ଖୋଲାଯିବ ଭିତର ରତ୍ନଭଣ୍ଡାର, ଗୁରୁବାର ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

ପୁରୀ: ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁଣି ଥରେ ରତ୍ନ ଭଣ୍ଡାର ଖୋଲାଯିବା ସମ୍ପର୍କିତ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ମାର୍ଗଦର୍ଶିକା ଅନୁଯାୟୀ ୧୧ ଜଣିଆ କମିଟି ସଦସ୍ୟ ଉପସ୍ଥିତ ରହି ବିସ୍ତୃତ ଆଲୋଚନା କରିଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡା. ଅରବିନ୍ଦ ପାଢ଼ୀ । ଆସନ୍ତା ୧୮ ତାରିଖରେ ପୁଣି ଥରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯାଇ ଭିତର ଭଣ୍ଡାରରେ ଥିବା ଅଳଙ୍କାର ଆଦି ସ୍ଥାନାନ୍ତର କରାଯିବ ବୋଲି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ ସୂଚନା ଦେଇଛନ୍ତି ।

ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଅନୁଯାୟୀ ଗୁରୁବାର ଶୁଭ ସମୟ ସକାଳ ୯ଟା ୫୧ରୁ ୧୨ଟା ୧୫ ମଧ୍ୟରେ ଖୋଲାଯିବ ରତ୍ନଭଣ୍ଡାର । ଭିତର ଭଣ୍ଡାର ତାଲା ଖୋଲାଯାଇ ସିନ୍ଦୁକ ଏବଂ ଆଲମାରୀରେ ଥିବା ଅଳଙ୍କାର ସ୍ଥାନାନ୍ତର ହେବ । ସମସ୍ତ ସ୍ଥାନାନ୍ତର ପ୍ରକ୍ରିୟା ଭିଡିଓଗ୍ରାଫି କରାଯିବ । ଏହି ସବୁ ଅଳଙ୍କାର ଅସ୍ଥାୟୀ ରତ୍ନ ଭଣ୍ଡାର ‘ଖଟଶେଯ ଘର’କୁ ସ୍ଥାନାନ୍ତରଣ କରାଯିବ । ସ୍ଥାନାନ୍ତରଣ ପ୍ରକ୍ରିୟା ପରେ ଅସ୍ଥାୟୀ ରତ୍ନଭଣ୍ଡାର ତାଲା ସିଲ୍ କରାଯାଇ ଚାବି ଟ୍ରାଜେରୀରେ ରଖାଯିବ । ଅପରପକ୍ଷରେ ଗୁରୁବାର ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା ରହିବ । ସକାଳ ୮ଟାରୁ ମନ୍ଦିର ଭିତରକୁ ସାଧାରଣ ଭକ୍ତଙ୍କ ପାଇଁ ପ୍ରବେଶ କଟକଣା ଲାଗୁ ହେବ ଏବଂ ସକାଳ ୯ଟା ପରେ କମିଟି ସଦସ୍ୟ ଶ୍ରୀମନ୍ଦିରକୁ ପ୍ରବେଶ କରିବେ । ଏନେଇ ସୂଚନା ଦେଇଛନ୍ତି ଜଷ୍ଟିସ ରଥ ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ।

Get real time updates directly on you device, subscribe now.