ଓଡିଶା ଭାସ୍କର: ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥି ବୁଧବାର ରଥାରୁଢ ଶ୍ରୀବିଗ୍ରହଙ୍କ ବଡ଼ତଢାଉ ବେଶ ତଥା ସୁନା ବେଶ ନୀତି ଅନୁଷ୍ଠିତ ହୋଇଛି । ରଥାରୂଢ ଶ୍ରୀବିଗ୍ରହମାନେ ମହଣ ମହଣ ସୁନାରେ ବିଭୂଷିତ ହୋଇଛନ୍ତି। ରଥ ଉପର ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାର ଲାଗି ହେବେ । ଶ୍ରୀମନ୍ଦିର ରତ୍ନ ସିଂହାସନରେ ଠାକୁରଙ୍କ କାର୍ତ୍ତିକ ପୂର୍ଣ୍ଣିମା, କୁମାର ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ଓ ଦଶହରା (ବିଜୟ ଦଶମୀ)ରେ ସୁନାବେଶ ହୋଇଥାଏ । ଏହାକୁ ସମସ୍ତେ ଦେଖି ପାରୁ ନଥିବା ବେଳେ ରଥ ଉପରେ ଠାକୁରଙ୍କ ସୁନାବେଶ ଦେଖି ବିଶ୍ୱବାସୀ ଅସରନ୍ତି ଆନନ୍ଦ ଲଭନ୍ତି ।
ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ପରେ ସଂଧ୍ୟା ୫ଟାରୁ ସୁନାବେଶ ହୋଇଛି । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶରେ ଦର୍ଶନ ଦେବେ ତିନି ଠାକୁର । ସୁନାବେଶ ବା ରାଜବେଶ, ଏହାକୁ ବଡତଢାଉ ବେଶ ମଧ୍ୟ କୁହାଯାଏ । ଏହା କାଳିଆ ସାଆନ୍ତର ଏକ ବିଶେଷ ବେଶ ଅଟେ । ଏଥିରେ ଦିଅଁଙ୍କୁ ଆଭୂଷଣରେ ସଜାଯାଏ । ପ୍ରତିବର୍ଷ ସୁନାବେଶ ପାଞ୍ଚଥର ହୋଇଥାଏ । ସାଧାରଣତଃ ପୌଷପୂର୍ଣ୍ଣିମା (ପୁଷ୍ୟାଭିଷେକ), ଫାଲଗୁନ ପୂର୍ଣ୍ଣିମା (ଦୋଳ ପୂର୍ଣ୍ଣିମା), କାର୍ତ୍ତିକ ପୂର୍ଣ୍ଣିମା ( ରାଜରାଜେଶ୍ୱର ବେଶ), ବିଜୟା ଦଶମୀ ( ଦଶହରା ) ତଥା ଆଜି ମାନେ ହରିଶୟନ ଏକାଦଶୀ ( ବାହୁଡା ଏକାଦଶୀ) ରେ ଜଗନ୍ନାଥଙ୍କର ଏହି ସୁନାବେଶ ଅନୁଷ୍ଠିତ ହୁଏ । ଏଥିମଧ୍ୟରୁ ଶ୍ରୀମନ୍ଦିରସ୍ଥ ରତ୍ନସିଂହାସନରେ ଉପରେ ଶ୍ରୀଜୀଉମାନେ ସୁନାବେଶରେ ସଜେଇ ହୋଇଥାଆନ୍ତି କାତ୍ତିକ ପୂର୍ଣ୍ଣିମା, ପୌଷ ପୂର୍ଣ୍ଣିମା, ଦୋଳ ପୂର୍ଣ୍ଣିମା ତଥା ଦଶହରା ତିଥିରେ । ମାତ୍ର କେବଳ ଥରେ ଆଷାଢ ଶୁକ୍ଲ ଏକାଦଶୀରେ ହିଁ କାଳିଆ ମହଣ ମହଣ ସୁନାରେ ସଜେଇ ହୋଇ ରଥରେ ହିଁ ସିଂହଦ୍ୱାର ସମ୍ମୁଖରେ ନିଜର ଭକ୍ତଙ୍କୁ ଦର୍ଶନ ଦେଇଥାଏ ।
ଶ୍ରୀଜୀଉମାନଙ୍କର ମଧ୍ୟାହ୍ନ ଧୂପ ଶେଷ ହେବା ପେର, ପ୍ରାୟ ୨ ଘଣ୍ଟା ସମୟ ବିନିମୟରେ ତିନିରଥ ଉପରେ ସୁନାବେଶ ଅନୁଷ୍ଠିତ ହୁଏ । ଶ୍ରୀଜୀଉମାନେ ସୁନାବେଶରେ ଭକ୍ତଙ୍କୁ ପ୍ରାୟ ୬ ଘଣ୍ଟା ଧରି ଦର୍ଶନ ଦିଅନ୍ତି । ଭିତିରଚ୍ଛ ମହାପାତ୍ର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବାଡରେ, ତଳିଚ୍ଛ ମହାପାତ୍ର ବଡଠାକୁର ଶ୍ରୀ ବଳଭଦ୍ରଙ୍କ ବାଡରେ ଓ ପୁଷ୍ପାଳକ ସେବାୟତ ଦେବୀ ସୁଭଦ୍ରାଙ୍କ ବାଡରେ ଯଥାକ୍ରମେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ଶ୍ରୀବିଗ୍ରହମାନଙ୍କୁ ସୁନାବେଶରେ ସଜ୍ଜିତ କରିବାର ପରମ୍ପରା ରହିଛି । ଗୁଣ୍ଡିଚା ମନ୍ଦିରରୁ ପ୍ରଥମେ ଗଡିଥିଲା ଶ୍ରୀବଳଭଦ୍ରଙ୍କ ରଥ । ବଳଭଦ୍ରଙ୍କ ରଥ ପଛେ ପଛେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଥିଲା ଦେବୀ ସୁଭଦ୍ରାଙ୍କ ରଥ । ଶେଷରେ ଆସିଥିଲା କାଳିଆ ଠାକୁରଙ୍କ ନନ୍ଦିଘୋଷ ରଥ । ସେବାୟତଙ୍କ ଘଣ୍ଟଘଣ୍ଟା, ହରିବୋଲ ଶବ୍ଦ ମଧ୍ୟରେ ଗଡ଼ିଥିଲା ତିନି ରଥ । ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଅଭିମୁଖେ ଫେରିବା ବାଟରେ ଝିପିଝିପିର ବର୍ଷା ସତ୍ତେ୍ୱ ମାଉସୀ ମା’ଙ୍କ ମନ୍ଦିର ନିକଟରେ ଅଟକି ଯାଇଥିଲେ ମହାପ୍ରଭୁ । ମାଉସୀ ମାଆ ପ୍ରସ୍ତୁତ କରିଥିବା ପୋଡ଼ପିଠା ଖାଇଥିଲେ କାଳିଆ ସାଆନ୍ତେ । ୩ଟି ଯାକ ରଥ ମାଉସୀ ମାଆଙ୍କ ମନ୍ଦିର ପହଞ୍ଚିବା ପରେ ପୋଡପିଠା ଭୋଗ କରାଯାଇଥିଲା । ପ୍ରତ୍ୟେକ ରଥ ପାଇଁ ସ୍ୱତନ୍ତ୍ର ଭାବେ ଗୋଟିଏ ଲେଖାଏଁ ପୋଡପିଠା କୁଡ଼ୁଆ ଭୋଗ ଲାଗିଥିଲା । ପୂଜକ ପୂର୍ବରୁ ପ୍ରସ୍ତୁତ କରିଥିବା ଏହି ପିଠାକୁ ପୂଜାପଣ୍ଡା ସେବାୟତ ରଥରେ ଲାଗି କରିଥିଲେ ।