fbpx

ସନ୍ଧ୍ୟା ସୁଦ୍ଧା ରତ୍ନଭଣ୍ଡାରରୁ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ଶେଷ ହେବ, ଗଣମାଧ୍ୟମ ସାମ୍ନାରେ ପ୍ରତିକ୍ରିୟା ରଖିଲେ ଗଜପତିି

ପୁରୀ: ଭିତର ରତ୍ନଭଣ୍ଡାରରେ ଯାହା ବି ଗହଣା ଓ ମୂଲ୍ୟବାନ ସାମଗ୍ରୀ ଅଛି, ତାକୁ ଖଟଶେଜ ଘରକୁ ସ୍ଥାନାନ୍ତର କରାଯିବ । ମହାପ୍ରଭୁଙ୍କ କୃପାରୁ ଆଜି ସନ୍ଧ୍ୟା ସୁଦ୍ଧା ଏହି କାମ ଶେଷ ହେବ ବୋଲି ରତ୍ନଭଣ୍ଡାର ଭିତରକୁ ଯାଇ ତଦାରଖ କରିବା ପରେ ଶ୍ରୀମନ୍ଦିରରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ସମସ୍ତ ଅଳଙ୍କାର ସିସିଟିଭି ନଜରରେ ରହିଛି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।

ଅନ୍ୟପଟେ ଗଜପତି ମହାରାଜା ଆହୁରି ମଧ୍ୟ କହିଛନ୍ତି ଯେ, ରତ୍ନଭଣ୍ଡାରରୁ ରତ୍ନ ଅଳଙ୍କାର ଖଟଶେଯ ଘରକୁ ସ୍ଥାନାନ୍ତର କରାଯିବା ପରେ ତାଲା ପଡ଼ିବ । ନିୟମ ମୁତାବକ, ଏହାର ଚାବି ସରକାରୀ ଟ୍ରେଜେରୀରେ ରହିବ । ବାହାର ଓ ଭିତର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତର ପରେ ଏହାର ସ୍କାନିଂ କରାଯିବ । ଏହାପରେ ରତ୍ନଭଣ୍ଡାରକୁ ଏଏସଆଇକୁ ହସ୍ତାନ୍ତର କରାଯିବ । ଏଏସଆଇ ଏହାପରେ ଯାଇ ରତ୍ନଭଣ୍ଡାରର ମରାମତି କରିବ । ମରାମତି ସମୟରେ ଭକ୍ତଙ୍କ ଦର୍ଶନରେ କୌଣସି ଅସୁବିଧା ହେବନି ବୋଲି ଗଜପତି ମହାରାଜା ସୂଚନା ଦେଇଛନ୍ତି ।  ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ । କାରଣ ପୂର୍ବରୁ ମରାମତି ହୋଇଛି ନା ନାହିଁ ତାହା ଜଣା ନାହିଁ । ଆଜି ସକାଳୁ ରତ୍ନଭଣ୍ଡାର ଖୋଲିବା ନେଇ ନିର୍ଦ୍ଦେଶିତ କମିଟି ସଦସ୍ୟମାନେ ସିଂହଦ୍ୱାର ସମ୍ମୁଖରେ ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ଏହାପରେ ସମସ୍ତେ ପାରମ୍ପରିକ ପୋଷାକ ପରିଧାନ କରି ଏକାଠି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ । ମା ବିମଳା, ମା ଲକ୍ଷ୍ମୀଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଥିଲେ ଏବଂ ଶୁଭ ମୁହୂର୍ତ୍ତ ଦିନ ୯ଟା ୫୧ ମିନିଟ୍ ସମୟରେ ଭଣ୍ଡାରକୁ ପ୍ରବେଶ କରିଥିଲେ । ଟ୍ରେଜେରିରୁ ଆସିଥିବା ଚାବିରେ ଭଣ୍ଡାର ଖୋଲାଯିବା ସହ ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ନିଆ ଯାଇଥିଲା । ଏହି ସମୟରେ ଗଜପତି ମହାରାଜ ମଧ୍ୟ ନିଜେ ଉପସ୍ଥିତ ରହିଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.