fbpx

କ୍ୟାନସର ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ! ମାସିକ ଔଷଧରେ ସଞ୍ଚୟ ହେବ ୪୦ ହଜାର ଟଙ୍କା, ଜାଣନ୍ତୁ ବଜେଟରେ ଘୋଷଣା ପରେ କେଉଁ ୩ଟି ଔଷଧ ହେଲା ଶସ୍ତା

ନୂଆଦିଲ୍ଲୀ: ୨୦୨୪ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍କଟ ରୋଗ ପାଇଁ ୩ଟି ଔଷଧ ଉପରୁ କଷ୍ଟମ ଡ୍ୟୁଟି ଛାଡ଼ କରିବାକୁ ଘୋଷଣା କରିଛନ୍ତି । ବିଦେଶରୁ ଆମଦାନୀ ହେଉଥିବା ଏହି କ୍ୟାନସର ଔଷଧ ବିଭିନ୍ନ ପ୍ରକାର କର୍କଟ ରୋଗର ଚିକିତ୍ସା ପାଇଁ ଉପଯୋଗୀ । ପୂର୍ବରୁ ଏହି ୩ଟି ଔଷଧ ଉପରେ ୧୦% କଷ୍ଟମ ଡ୍ୟୁଟି ଲାଗୁ ହେଉଥିଲା ଯାହାକୁ ବର୍ତ୍ତମାନ ଶୂନ୍ୟକୁ ହ୍ରାସ କରାଯାଇଛି । ଏହା ଦ୍ୱାରା କର୍କଟ ରୋଗୀମାନେ ମାସିକ ପ୍ରାୟ ୪୦ ହଜାର ଟଙ୍କା ସଂଚୟ କରିପାରିବେ ।

କର୍କଟ ରୋଗ ପାଇଁ ବ୍ୟବହୃତ ହେଉଥିବା ଏହି ତିନୋଟି ଔଷଧ ହେଉଛି ଲାଇଫ୍ ସେଭିଂ ଇମ୍ପୋର୍ଟେଡ୍ ଡ୍ରଗ୍ସ । ଏହି ଘୋଷଣା ପରେ କର୍କଟ ରୋଗୀଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି । ଅର୍ଥ ମନ୍ତ୍ରୀଙ୍କ ଏହି ପଦକ୍ଷେପକୁ ମୋଦୀ ସରକାର ସ୍ୱାଗତ କରିଛନ୍ତି । ଏହି ଔଷଧ ଗୁଡ଼ିକ ହେଲା

୧. ଟ୍ରାଷ୍ଟୁଜୁମାବ୍ ଡେରକ୍ସଟେକାନ୍(Trastuzumab deruxtecan)
୨. ଓସିମେର୍ଟିନିବ୍(Osimertinib)
୩. ଡୁର୍ବାଲୁମେବ୍(Durvalumav)

କେଉଁ ପ୍ରକାର କର୍କଟ ରୋଗ ପାଇଁ ଏହି ଔଷଧ ଉପଯୋଗୀ ଏବଂ ଏହାର ମୂଲ୍ୟ କେତେ ?

୧. ଟ୍ରାଷ୍ଟୁଜୁମାବ୍ ଡେରକ୍ସଟେକାନ୍: ଏହି ଔଷଧ ସମସ୍ତ ପ୍ରକାର ପଜିଟିଭ୍ ସ୍ତନ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ଶରୀରର ଅନ୍ୟ ଅଂଶରେ କର୍କଟ ବ୍ୟାପିଲେ ଏହି ଔଷଧ ଏକ ଆଣ୍ଟିବଡି ଡ୍ରଗ୍ ଭାବରେ କାର୍ଯ୍ୟ କରିଥାଏ । ଏହା Herceptin ନାମରେ ମଧ୍ୟ ଜଣାଯାଏ । ଗ୍ୟଷ୍ଟ୍ରିକ୍ କକର୍ଟ ପାଇଁ ଏହି ଔଷଧ ବ୍ୟବହାର ପାଇଁ ଅଧ୍ୟୟନ ଜାରି ରହିଛି । ଜଣେ କର୍କଟ ରୋଗୀକୁ ଏହି ଔଷଧ ୩ ସପ୍ତାହରେ ଥରେ ସେବନ କରିବାକୁ ପଡ଼ିଥାଏ । ଏହାର ଡୋଜ୍ ପାଇଁ ୩ଟି vials ଆବଶ୍ୟକ ହୋଇଥାଏ । ଏହି ଔଷଧର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ଅଟେ ।

୨. ଓସିମେର୍ଟିନିବ୍: ଏହି ଔଷଧ ନନ୍ ସ୍ମଲ୍ ସେଲ୍ ଲଙ୍ଗ୍ କ୍ୟାନସରର ଟାର୍ଗେଟେଡ୍ ଥେରାପି ଭାବରେ ବ୍ୟବହୃତ କରାଯାଏ । ଏହି ଔଷଧର ଡୋଜ୍ ଗୋଟିଏ ମାସ ପାଇଁ ଥିବା ବେଳେ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଅଟେ ।

୩. ଡୁର୍ବାଲୁମେବ୍: ଏହା ଏକ ଇମ୍ୟୁନୋଥେରାପି ଡ୍ରଗ୍ । ଏହା PD-L1 ପ୍ରୋଟିନକୁ ବ୍ଲକ୍ କରି ଇମ୍ୟୁନ୍ ସିଷ୍ଟମକୁ ଆକ୍ଟିଭ୍ କରିବାରେ ସହାୟକ ହୋଇଥାଏ । ଏହି ଔଷଧକୁ ନନ୍ ସ୍ମଲ୍ ସେଲ୍ ଲଙ୍ଗ୍ କ୍ୟାନସର ଏବଂ ରକ୍ତ କର୍କଟର ଚିକିତ୍ସା ପାଇଁ ବ୍ୟବହୃତ ହୋଇଥାଏ । ବିଶେଷ କରି ଯେତେବେଳେ ପ୍ରାଥମିକ ଚିକିତ୍ସା ବିଫଳ ହୋଇଥାଏ । ରୋଗୀ ଏହି ଔଷଧ ୩ ସପ୍ତାହରେ ଥରେ ସେବନ କରିଥାଏ । ଗୋଟିଏ ଡୋଜର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ଅଟେ ।

Get real time updates directly on you device, subscribe now.