(Video) ଚାଟଜିପିଟି ପରେ OpenAI ଲଞ୍ଚ କଲା ‘SearchGPT’: ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ଗୁଗଲ ସହ ହେବ କଡ଼ା ଟକ୍କର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ସାରା ବିଶ୍ୱରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)କୁ ନେଇ ବେଶ୍ ଚର୍ଚ୍ଚା ଜାରି ରହିଥିବା ବେଳେ ଆଗାମୀ ଦିନମାନଙ୍କରେ ଏହା ଆହୁରି ଅଗ୍ରଗତି କରିବ ବୋଲି କୁହାଯାଉଛି । ତେବେ ଓପନଏଆଇ ପକ୍ଷରୁ ପୂର୍ବରୁ ଚାଟଜିପିଟି ଲଞ୍ଚ କରାଯାଇଥିବା ବେଳେ ଏବେ କମ୍ପାନୀ ଏକ ଛୋଟ ଗ୍ରୁପ ପାଇଁ ନୂଆ ସର୍ଚ୍ଚ ଇଞ୍ଜିନ ଲଞ୍ଚ କରିଛି । ଏହାର ନାମ ହେଉଛି ‘ସର୍ଚ୍ଚଜିପିଟି । ଏବେ ସର୍ଚ୍ଚ ଇଞ୍ଜିନ କ୍ଷେତ୍ରରେ ସର୍ଚ୍ଚଜିପିଟି ଓ ଗୁଗଲ କ୍ଷେତ୍ରରେ କଡ଼ା ଟକ୍କର ହେବ ।

ଓପନଏଆଇ କମ୍ପାନୀ ନିଜର ସର୍ଚ୍ଚ ଇଞ୍ଜିନ ସର୍ଚ୍ଚଜିପିଟି ଲଞ୍ଚ କରି ଗୁଗଲ ସର୍ଚ୍ଚକୁ ଟକ୍କରର ଦେବାକୁ ପ୍ରସ୍ତୁତି ଆରମ୍ଭ କରିଛି । ଏହି ସର୍ଚ୍ଚ ଇଞ୍ଜିନ ଏଆଇ ଉପରେ ଆଧାରିତ ରହିଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ଏହାକୁ କିଛି ୟୁଜର୍ସ ଆକ୍ସେସ କରିପାରିବେ । ଆପଣ ଏହାର ୱେଟଲିଷ୍ଟକୁ ଜଏନ୍ କରିପାରନ୍ତି । କମ୍ପାନୀ ଏ ବାବଦରେ ଏକ ବ୍ଲଗ୍ ପୋଷ୍ଟ ଶେୟାର କରିଛି । ଏହା ପୂର୍ବରୁ ସର୍ଚ୍ଚ ଇଞ୍ଜିନକୁ ନେଇ କମ୍ପାନୀ ପକ୍ଷରୁ ଅନେକ ଥର ତଥ୍ୟ ଶେୟାର କରାଯାଇଥିଲା । ମାତ୍ର ଅଫିସିଆଲ ଭାବେ କିଛି କୁହାଯାଇ ନଥିଲା ।

କମ୍ପାନୀ ନିଜ ବ୍ଲଗରେ ଲେଖିଛି, ଆମେ ସର୍ଚ୍ଚଜିପିଟିକୁ ଟେଷ୍ଟ କରିଛି, ଯାହାକି ନୂଆ ଏଆଇ ସର୍ଚ୍ଚ ଫିଚରର ପ୍ରୋଟୋଟାଇପ ଅଟେ । ଏହା ଆପଣଙ୍କୁ ତ୍ୱରିତ ଭାବେ ଓ ସଠିକ୍ ସମୟରେ ଉତ୍ତର ଦେବ, ଯାହାକି ସମ୍ବନ୍ଧିତ ଉତ୍ସ ସହ ଜଡ଼ିତ ରହିବ । ଆମେ ଏହାକୁ ଛୋଟ ୟୁଜର ଗ୍ରୁପ ପାଇଁ ଲଞ୍ଚ କରିଛୁ । ଏହାଦ୍ୱାରା ଆମକୁ ଫିଡବ୍ୟାକ୍ ମିଳିବ, ଫଳରେ ଆମେ ଚାଟଜିପିଟି ସହ ଯୋଡ଼ି ପାରିବୁ । ଏଥିପାଇଁ କମ୍ପାନୀ ଅନେକ ପବ୍ଲିସରଙ୍କ ସହିତ ବୁଝାମଣା କରିଛି । ଗୁଗଲ ନିଜର ସର୍ଚ୍ଚରେ ଏଆଇକୁ ଇଣ୍ଟ୍ରିଗ୍ରେଟ କରୁଥିବା ସମୟରେ ସର୍ଚ୍ଚଜିପିଟି ଲଞ୍ଚ କରାଯାଇଛି । ଏବେ ଗୁଗଲରେ ସର୍ଚ୍ଚ କରିବା ସମୟରେ ଆପଣଙ୍କୁ କିଛି ଏଆଇ ଜେନେରେଟ ତଥ୍ୟ ମିଳିବ ।