fbpx

ୱାୟନାଡ ଭୂସ୍ଖଳନ: ପଞ୍ଚମ ଦିନରେ ରେସକ୍ୟୁ ଅପରେସନ, ମୃତ୍ୟୁସଂଖ୍ୟା ୩୪୦ ଛୁଇଁଲା, ୨୦୦ ନିଖୋଜ

ନୂଆଦିଲ୍ଲୀ: କେରଳର ୱାୟନାଡରେ ଭୀଷଣ ବର୍ଷା କାରଣରୁ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ ଆଜି ଅନେକ ପରିବାରକୁ ସର୍ବସ୍ୱାନ୍ତ କରିଦେଇଛି । ଏହି ଭୂସ୍ଖଳନରେ ଜଣେ ଓଡ଼ିଆ ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ଆଉ ଜଣେ ଏବେ ବି ନିଖୋଜ ରହିଛନ୍ତି । ଅନେକ ଘର ମାଟିରେ ନିଶ୍ଚିହ୍ନ ହୋଇଯାଇଥିବା ବେଳେ ମୃତଦେହଗୁଡ଼ିକୁ ମାଟି, କାଦୁଅ ଭିତରୁ, ପଥର ତଳୁ ଉଦ୍ଧାର କରାଯାଉଛି । ତେବେ ଏହା ମଧ୍ୟରେ ୱାୟନାଡରେ ରେସକ୍ୟୁ ଅପରେସନ ପଞ୍ଚମ ଦିନରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୩୪୦ରେ ପହଞ୍ଚି ଯାଇଛି ।

ସେହିପରି ଏହି ଭୟଙ୍କର ଭୂସ୍ଖଳନ କାରଣରୁ ଏବେ ବି ୨୦୦ ଜଣ ଲୋକ ନିଖୋଜ ରହିଥିବା ଜଣାପଡ଼ିଛି । ଅଫିସିଆଲ ତଥ୍ୟ ମୁତାବକ, ଗତ ୨ ତାରିଖ ଦିନ ୨୧୦ଟି ମୃତଦେହ ଓ ୧୩୪ଟି ଶରୀରର ଅଙ୍ଗ ଉଦ୍ଧାର କରାଯାଇଥିଲା । ସେଥିମଧ୍ୟରେ ୯୬ ଜଣ ପୁରୁଷ, ୮୫ ଜଣ ମହିଳା ଓ ୨୯ ଜଣ ଛୋଟପିଲା ରହିଥିଲେ । ସମ୍ପର୍କୀୟଙ୍କ ଦ୍ୱାରା ୧୪୬ଟି ମୃତଦେହକୁ ଚିହ୍ନଟ କରାଯାଇଛି । ପ୍ରଶାସନ ପକ୍ଷରୁ ୨୦୭ଟି ମୃତଦେହ ଓ ଘଟଣାସ୍ଥଳରୁ ମିଳିଥିବା ୧୩୪ଟି ବଡି ପାର୍ଟସକୁ ବ୍ୟବଚ୍ଛେଦ କରାଯାଇଛି ।

ଅନ୍ୟପକ୍ଷରେ ୮୪ ଜଣ ୱାୟନାଡ, କୋଝିକୋଡେ ଓ ମଲାପ୍ପୁରମ ଜିଲ୍ଲାର ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୧୮୭ ଜଣ ମେଡିକାଲରୁ ଡିସଚାର୍ଜ ହୋଇଛନ୍ତି । ଘଟଣାସ୍ଥଳରୁ ୨୮୭ ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ମଧ୍ୟରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସଦସ୍ୟ ଡ୍ରାଫ୍ଟ ନୋଟିଫିକେସନ ଜାରି କରାଯାଇଛି । ଭୂସ୍ଖଳନର ଶିକାର ହୋଇଥିବା ୱେଷ୍ଟର୍ଣ୍ଣ ଘାଟର ୬ଟି ରାଜ୍ୟର ୧୩ଟି ଗ୍ରାମର ୫୬,୮୦୦ ବର୍ଗ କିମି ବିଶିଷ୍ଟ ଇକୋଲୋଜିକାଲି ସେନ୍ସିଟିଭ୍ ଏରିଆ (ଇଏସଏ)କୁ ଏଥିରେ ସାମିଲ କରାଯାଇଛି । ୬୦ ଦିନ ଭିତରେ ପରାମର୍ଶ ଓ ଆପତ୍ତି ପଠାଇବାକୁ କୁହାଯାଇଛି ।

Get real time updates directly on you device, subscribe now.