fbpx

(Video) ୱାୟନାଡରେ ମହାରେକର୍ଡ କଲା ଭାରତୀୟ ସେନା: ୩୧ ଘଣ୍ଟାରେ ନିର୍ମାଣ କଲା ୧୯୦ ଫୁଟ ଲମ୍ବ ବିଶିଷ୍ଟ ବେଲି ବ୍ରିଜ୍

ନୂଆଦିଲ୍ଲୀ: କେରଳର ୱାୟନାଡରେ ଦେଖାଦେଇଥିବା ଭୟଙ୍କର ଭୂସ୍ଖଳନ କାରଣରୁ ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଏବେ ବି ଶତାଧିକ ନିଖୋଜ ରହିଛନ୍ତି । ଏହି ପ୍ରାକୃତିକ ଦୁର୍ବିପାକ କାରଣରୁ ଶତାଧିକ ଘରଦ୍ୱାର ନିଶ୍ଚିହ୍ନ ହେବା ସହିତ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଇଛି । ତେବେ ୱାୟନାଡବାସୀଙ୍କ ବିପଦ ସମୟରେ ଭାରତୀୟ ସେନା ସତେ ଯେପରି ଦେବଦୂତ ସାଜି ସେମାନଙ୍କ ପାଖରେ ଠିଆ ହୋଇଛି । ଏନଡିଆରଏଫ, ଏସଡିଆରଏଫ ଟିମ ସହିତ ମିଶି ଭାରତୀୟ ସେନା ମୃତତାହତଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ସୁରକ୍ଷିତ ଆଶ୍ରୟ ପ୍ରଦାନ କରିଛନ୍ତି ।

ତେବେ ଏହା ମଧ୍ୟରେ ୱାୟନାଡରେ ଭାରତୀୟ ସେନା ନିଜର ଦମ୍ ଦେଖାଇବା ସହ ମହାରେକର୍ଡ କରିଛି । ଭାରତୀୟ ସେନାର ଯବାନମାନେ ୩୧ ଘଣ୍ଟା ମଧ୍ୟରେ ୱାୟନାଡରେ ୧୯୦ ଲମ୍ବ ବିଶିଷ୍ଟ ଏକ ବେଲି ବ୍ରିଜ୍ ନିର୍ମାଣ କରିଛନ୍ତି । ଭୂସ୍ଖଳନ କାରଣରୁ ଅନେକ ସଡ଼କ ନଷ୍ଟ ହୋଇଯାଇଥିବାରୁ ରେସକ୍ୟୁ ପାଇଁ ବଡ଼ ସମସ୍ୟା ହେଉଥିଲା । ତେଣୁ ଭାରତୀୟ ସେନାର ଦୁଇ ମହିଳା ଅଧିକାରୀ ମେଜର ସୀତା ଶେଲକେ ଓ ମେଜର ଅନୀଶ ଫ୍ରଣ୍ଟରୁ ଲିଡ କରି ଏହି ପୁଲ୍ ପ୍ରସ୍ତୁତ କରିପାରିଛନ୍ତି । ଏହି ନିର୍ମାଣ କାର୍ଯ୍ୟରେ ୧୫୦ରୁ ଅଧିକ ଯବାନ ନିୟୋଜିତ ଥିଲେ ।

କେରଳ ଭୂସ୍ଖଳନ ଦ୍ୱାରା ସର୍ବାଧିକ ପ୍ରଭାବିତ କ୍ଷେତ୍ରକୁ ଯୋଡ଼ିବା ପାଇଁ ଭାରତୀୟ ସେନାର ମାଡ୍ରାସ ଇଞ୍ଜିନିୟରିଂ ଗ୍ରୁପ୍ ଦ୍ୱାରା ଏହି ବ୍ରିଜ୍ ନିର୍ମାଣ କରାଯାଇଛି । ଧାତୁରେ ନିର୍ମିତ ହୋଇଥିବା ଏହି ବ୍ରିଜ ରେକର୍ଡ ସମୟରେ ସମ୍ପୂର୍ଣ୍ଣ ହୋଇଥିଲା । ଦିନରାତି ଏକତ୍ର କରି ସେନା ଏହି ପୁଲ ତିଆରି କରିଥିଲା । ବୁଧବାର ରାତି ୯ଟା ସମୟରୁ ଏହି ବ୍ରିଜ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗୁରୁବାର ସନ୍ଧ୍ୟା ୫.୩୦ ସୁଦ୍ଧା ତାହା ସମାପ୍ତ ହୋଇଥିଲା ।

Get real time updates directly on you device, subscribe now.