fbpx

ସମସ୍ତଙ୍କୁ ମାଗଣା ଭିସା ଦେବ ଏହି କମ୍ପାନୀ, ଯଦି ନୀରଜ ଜିତିବେ ସ୍ୱର୍ଣ୍ଣ… ଉପାୟ କହିଲେ CEO

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ସ୍ୱର୍ଣ୍ଣ ପଦକ ହାସଲ କରିପାରି ନାହିଁ । ତେବେ ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିପାରନ୍ତି ବୋଲି ଆଶା ରଖିଛନ୍ତି ଭାରତବାସୀ । ତେବେ ଏହା ଭିତରେ ଏକ ବଡ଼ ଘୋଷଣା ସାମନାକୁ ଆସିଛି । ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ପଦକ ବିଜୟୀ ହେଲେ ସମସ୍ତଙ୍କୁ ମାଗଣା ଭିସା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଛି ଏକ କମ୍ପାନୀ । ଏପରିକି ଏହାର ଉପାୟ ମଧ୍ୟ ସମସ୍ତଙ୍କୁ ଜଣାଇଛନ୍ତି କମ୍ପାନୀର ସିଇଓ ।

ସୂଚନା ଅନୁସାରେ, ଆମେରିକାର ଏକ ଷ୍ଟାର୍ଟଅପ୍ କମ୍ପାନୀ ଏଟଲିସ୍ ଏହି ଘୋଷଣା କରିଛି । କମ୍ପାନୀର ସିଇଓ ଭାରତୀୟ ବଂଶୋଦ୍ଭବ ମୋହକ ନାହଟା ପ୍ୟାରିସ ଅଲିମ୍ପିକ୍ସକୁ ନେଇ ବଡ଼ ଘୋଷଣା କରିଛନ୍ତି । ପ୍ୟାରିସ ଅଲିମ୍ପିକ୍ସରେ ଚମ୍ପିଆନ୍ ନୀରଜ ଚୋପ୍ରା ସ୍ୱର୍ଣ୍ଣ ପଦକ ହାସଲ କରିପାରିଲେ, ନିଜ ୟୁଜରମାନଙ୍କୁ କମ୍ପାନୀ ଗୋଟିଏ ଦିନ ପାଇଁ ସମସ୍ତ ଦେଶରେ ମାଗଣା ଭିସା ପ୍ରଦାନ କରିବ । ଏ ନେଇ କମ୍ପାନୀ ତରଫରୁ ସିଇଓ ମୋହକ ନାହଟା ପ୍ରତିଶ୍ରୁତି ଦେଇଛନ୍ତି ।

ଲିଙ୍କଡ-ଇନରେ ଏକ ପୋଷ୍ଟ କରି ମୋହକ ନାହଟା କହିଛନ୍ତି ଯେ, “ଯଦି ନୀରଜ ଚୋପ୍ରା ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ବିଜୟ ହୁଅନ୍ତି, ତେବେ ମୁଁ ସମସ୍ତଙ୍କୁ ମାଗଣା ଭିସା ପଠାଇବି ।” ଏହାପରେ ୟୁଜରମାନେ ଭିସା ପାଇବାର ପ୍ରସେସ ସମ୍ପର୍କରେ ମୋହକଙ୍କୁ ପ୍ରଶ୍ନ କରିଥିଲେ । ବର୍ତ୍ତମାନ ଏଟଲିସ କମ୍ପାନୀ ସିଇଓ ମୋହକ ନାହଟା ଏହାର ଉତ୍ତର ରଖିଛନ୍ତି ।

ସେ କହିଛନ୍ତି ଯେ, ଯଦି ନୀରଜ ଚୋପ୍ରା ଅଗଷ୍ଟ ୮ ତାରିଖରେ ସ୍ୱର୍ଣ୍ଣ ପଦକ ବିଜୟୀ ହୁଅନ୍ତି, ତେବେ ଏଟଲିସ କମ୍ପାନୀ ତରଫରୁ ସମସ୍ତ ୟୁଜରଙ୍କୁ ଏକ ମାଗଣା ଭିସା ପ୍ରଦାନ କରିବ । ତେବେ ଭିସା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ଏବଂ ସମସ୍ତ ଦେଶ ଏହି ଅଫରର ଅନ୍ତର୍ଗତ ହୋଇଥାଏ । ଆପଣ କେଉଁ ଦେଶକୁ ବୁଲିବାକୁ ଚାହୁଁଛନ୍ତି, ଏହା ଆପଣଙ୍କୁ ଚୟନ କରିବାକୁ ପଡ଼ିବ । ଭିସା ପାଇଁ ଆପଣଙ୍କୁ କୌଣସି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ, ଏହା ସମ୍ପୂର୍ଣ୍ଣ ଭାବରେ ଆମ ଉପରେ ନିର୍ଭର କରିଥାଏ । ଏଥିପାଇଁ ନାହଟା ସମସ୍ତ ଉପଭୋକ୍ତାଙ୍କୁ ମନ୍ତବ୍ୟ ବିଭାଗରେ ସେମାନଙ୍କର ଇମେଲ ସୂଚନା ପ୍ରଦାନ କରିବାକୁ କହିଛନ୍ତି ଯାହାଦ୍ୱାରା ଏଟଲିସ୍ ମାଗଣା ଭିସା କ୍ରେଡିଟ ସହିତ ଏକ ଆକାଉଣ୍ଟ ସୃଷ୍ଟି କରିପାରିବେ।

Get real time updates directly on you device, subscribe now.