fbpx

ବାଂଲାଦେଶରେ ସେନା ଶାସନ, ଶେଖ ହସିନାଙ୍କ ଇସ୍ତଫା ପରେ ସେନା ମୁଖ୍ୟଙ୍କ ବଡ଼ ଘୋଷଣା

ଢାକା: ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଭଉନୀଙ୍କୁ ଧରି ଦେଶ ଛାଡିଛନ୍ତି । କିଛି ମିଡିଆ ରିପୋର୍ଟସରେ ଦାବି କରାଯାଇଛି ଯେ, ସେ ଭାରତର ଅଗରତାଲା ପହଞ୍ଚିସାରିଛନ୍ତି । ଏହାରି ମଧ୍ୟରେ ସେନା ଶାସନ ଭାର ସମ୍ଭାଳିଛନ୍ତି । ସେନା ମୁଖ୍ୟ ଜେନେରାଲ ୱକାର-ଉଜ-ଜମାନ କହିଛନ୍ତି ଯେ, ବାଂଲାଦେଶର ସେନା ଅନ୍ତରୀଣ ସରକାର ଗଠନ କରିବ । କାହାରିକୁ ଡରିବା ଆବଶ୍ୟକତା ନୁହେଁ । ଆମେ ପରିସ୍ଥିତିକୁ ସମ୍ଭାଳିବା ପାଇଁ ପୁରା ପ୍ରସ୍ତୁତ ଅଛୁ ।

ପ୍ରଧାନମନ୍ତ୍ରୀ ହସିନା ବାଂଲାଦେଶ ଛାଡିବା ପରେ ସେନା ମୁଖ୍ୟ ଜେନେରାଲ ୱକାର-ଉଜ-ଜମାନ ମିଡିଆ ସମ୍ବୋଧିତ କରି କହିଛନ୍ତି ଯେ, ବାଂଲାଦେଶରେ ଏକ ଅନ୍ତରୀଣ ସରକାର ଗଠନ କରାଯିବ । ଲୋକଙ୍କ ସହଯୋଗରେ ଆଗକୁ ବଢିବ । ଅରାଜକତାର ବିନାଶ କରିବୁ । ରାଜନୈତିକ ଦଳ ସହ କଥାବର୍ତ୍ତା କରିବୁ । ଲୋକଙ୍କ ଜୀବନ ଏବଂ ସଂପତ୍ତି ସୁରକ୍ଷିତ ଅଛି । ଯେଉଁ ଲୋକଙ୍କ ହତ୍ୟା ହୋଇଛି ଏବଂ ଅନ୍ୟାନ୍ୟ ମାମଲାରେ ବିଚାର କରାଯିବ । ସେ କହିଛନ୍ତି ଯେ, ଆମେ ସମସ୍ତ ଦଳର ନେତାଙ୍କ ସହ ବୈଠକ କରିଛୁ । ସବୁଠାରୁ ଭଲ କଥା ଆଲୋଚନା ହୋଇଛି । ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ଅତ୍ୟନ୍ତ ଆବଶ୍ୟକ ।

ସେନା ମୁଖ୍ୟ ବିକ୍ଷୋଭକାରୀଙ୍କୁ କହିଛନ୍ତି ଯେ, ଆମେ ପରିସ୍ଥିତିକୁ ସୁଧାରିବା ପାଇଁ ବର୍ତ୍ତମାନ ରାଷ୍ଟ୍ରପତି ମହମ୍ମଦ ଶହାବୁଦ୍ଧୀନଙ୍କ ସହ କଥା ହେବୁ । ଆପଣମାନେ ହିଂସା ଏବଂ ବିରୋଧ ପ୍ରଦର୍ଶନ କରନ୍ତୁ ନାହିଁ । ଆମେ ସେନା ଏବଂ ପୋଲିସଙ୍କୁ ନିର୍ଦ୍ଦେଶ ଦେଇଛୁ ବର୍ତ୍ତମାନ ଗୋଟିଏ ବି ଗୁଳି ଚଳାଇବେନି । ବିରୋଧ ନାମରେ ସମସ୍ତ ପ୍ରକାର ହିଂସାକୁ ରୋକିବାର ଆହ୍ୱାନ ଦେଇଛନ୍ତି ଏବଂ ପ୍ରତିଜ୍ଞା କରିଛନ୍ତି ଯେ, ନୂଆ ସରକାର ଭେଦଭାବ କରିବ ନାହିଁ । ଅନ୍ଦୋଳନ ସମୟରେ ହୋଇଥିବା ସମସ୍ତ ମୃତ୍ୟୁର ତଦନ୍ତ କରାଯିବ । ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବ ।

Get real time updates directly on you device, subscribe now.