fbpx

ସେବିର ନୂଆ ନିୟମ: ଅଣପଞ୍ଜିକୃତ ବ୍ୟକ୍ତି ଓ ଅନୁଷ୍ଠାନ ପୁଞ୍ଜି ବଜାରରେ ନିବେଶ ପାଇଁ ପରାମର୍ଶ ଦେଇ ପାରିବେନି, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଓ ବିନିମୟ ବୋର୍ଡ (ସେବି) ପକ୍ଷରୁ ଖୁଚୁରା ନିବେଶକଙ୍କୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରାଯାଇଛି । ପଞ୍ଜିକୃତ ହୋଇ ନଥିବା ବ୍ୟକ୍ତିବିଶେଷ ଓ ଅନୁଷ୍ଠାନ ପୁଞ୍ଜି ବଜାରରେ ନିବେଶ ନେଇ ପରାମର୍ଶ ଦେବାକୁ ବାରଣ କରାଯାଇଛି । ଯଦି କୌଣସି ଅଣପଞ୍ଜିକୃତ ଅନୁଷ୍ଠାନ ବା ବ୍ୟକ୍ତିବିଶେଷ ପୁଞ୍ଜି ବଜାରରେ ନିବେଶ ନେଇ ପରାମର୍ଶ ଦିଅନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏ ବାବଦରେ ଗତ ୬ ତାରିଖ ଦିନ ସଂସଦରେ ସୂଚନା ଦିଆଯାଇଛି ।

ସେବିର ନୂଆ ନିୟମ ଅନୁଯାୟୀ, ପୁଞ୍ଜି ବଜାର ନିୟାମକ ଅଧିନରେ ପଞ୍ଜିକୃତ ହୋଇନଥିବା ବ୍ୟକ୍ତି ଓ ଅନୁଷ୍ଠାନ ନିବେଶ ପରାମର୍ଶ ଦେଇ ପାରିବେ ନାହିଁ । ସେବି ନିବେଶ ପରାମର୍ଶଦାତା ପଞ୍ଜିପରଣ ପାଇଁ କିଛି ନିର୍ଦ୍ଦିଷ୍ଟ ମାନଦଣ୍ଡ ନିର୍ଦ୍ଧାରିତ ହୋଇଛି । ଯୋଗ୍ୟତା ସର୍ତ୍ତ, ଦାୟିତ୍ୱ, ଭୁଲ ପାଇଁ କାର୍ଯ୍ୟାନୁଷ୍ଠାନ ଆଦି ସେଥିରେ ସାମିଲ ରହିଥିବା ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ସଂସଦରେ ଏକ ପ୍ରଶ୍ନର ଉତ୍ତର ଦେଇଛନ୍ତି । ପୁଞ୍ଜି ବଜାର ବିଶେଷଜ୍ଞ ଭାବେ ପରାମର୍ଶ ଦେବା ନାମରେ ସାମାଜିକ ଗଣମାଧ୍ୟମରେ ଏଭଳି ଅନେକ ଠକେଇ ହେଉଥିବାର ଦେଖାଯାଉଛି । ତେଣୁ ସେମାନଙ୍କ ଠାରୁ ଖୁଚୁରା ନିବେଶକଙ୍କୁ ସୁରକ୍ଷା ଦେବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରିଥିବା ମନ୍ତ୍ରୀ କହିଛନ୍ତି । କେବଳ ପଞ୍ଜିକୃତ ନିବେଶ ପରାମର୍ଶଦାତାଙ୍କ ପରାମର୍ଶ ଦେଇ ନିବେଶ କରିବାକୁ କୁହାଯାଇଛି । ନିବେଶ ପରାମର୍ଶ ସେବା ପାଇବା ପାଇଁ ନିବେଶକ ନିୟାମକଙ୍କ ୱେବସାଇଟରେ ନିବେଶ ପରାମର୍ଶଦାତା ସେବା ପ୍ରଦାନ କରୁଥିବା ସଂସ୍ଥାର ପଞ୍ଜିକରଣ ସ୍ଥିତି ଯାଞ୍ଚ କରିପାରିବେ ।

Get real time updates directly on you device, subscribe now.