fbpx

ଆସୁଛି ସ୍ୱାଧୀନତା ଦିବସ, ଦେଶମାତୃକାର ଗୀତ ଗାଇବ ଭାରତ, ପତାକା ଉତ୍ତୋଳନ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି

ଓଡିଶା ଭାସ୍କର: ଦିନ କେଇଟା ପରେ ଜନ-ଗଣ-ମନ ଶୁଭାଯିବ । ସ୍ୱାଧୀନତାର ମହାପର୍ବରେ ୧୪୦ କୋଟି ଭାରତୀୟ ସାମିଲ ହେବେ । ତାହାସହ ଦେଶମାତୃକାର ଜୟଗାନରେ ସମସ୍ତେ ଗାଇବେ ‘ବନ୍ଦେ ମାତରମ୍‌’ । ଗାଁଠୁ ସହର ପ୍ରସ୍ତୁତ । କେବଳ ଅପେକ୍ଷା ସେ ଶୁଭମୁହୂର୍ତ୍ତକୁ । ସକାଳ ହେବ । ସାରା ଭାରତ ପାଳିବ ଆଜାଦୀର ଅମୃତ ମହୋତ୍ସବ । ଆବାଳବୃଦ୍ଧବନିତାଙ୍କ ମନରେ ତଥା ପ୍ରାଣରେ ଥିବ ସହିଦଙ୍କ ସ୍ମୃତି । ଏକତାର ମହାମନ୍ତ୍ର ଉଦ୍‌ଭାସିତ ହୋଇ ଉଠିବ ।

ଚଳିତ ଅଗଷ୍ଟ ୧୫ ତାରିଖରେ ଭାରତ ପାଳନ କରିବ ୭୮ ତମ ସ୍ୱାଧୀନତା ଦିବସ । ରାଜ୍ୟସ୍ତରରେ ମଧ୍ୟ ଏହାକୁ ନେଇ ପ୍ରସୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି । ଚଳିତ ବର୍ଷ ପ୍ରଥମକରି ବିଜେପି ସରକାର ରାଜ୍ୟରେ ଏହି ଦିବସ ପାଳନ କରିବାକୁ ଯାଉଛି । ଫଳରେ ସାଧାରଣ ଜନତାଙ୍କ ମନରେ ବି ଏହାକୁ ନେଇ ଉତ୍ସୁକତା ଲାଗି ରହିଛି । ରାଜ୍ୟ ରାଜଧାନୀରେ ସ୍ୱାଧୀନତା ଦିବସରେ ସୂର୍ଯ୍ୟୋଦୟ ସହ ନବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଉତ୍ତୋଳନ କରିବେ । ସେହିପରି କଟକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଓ ନୂଆପଡାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂ ଜାତୀୟ ପତାକା ଉତ୍ତୋଳନ କରୁଥିବାର ଦେଖିବାକୁ ମିଳିବ ।

ସେହିପରି ପଶ୍ଚିମାଞ୍ଚଳର ବରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ କୁମାର ମହାଲିଙ୍ଗ, ଗଜପତିରେ ପରିବହନ ମନ୍ତ୍ରୀ ବିଭୂତି ଜେନା, ବାଲେଶ୍ୱରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ବଲାଙ୍ଗୀରରେ ଗଣେଶ ରାମ ସିଂ, ମାଲକାନଗିରିରେ ସୂର୍ଯ୍ୟବଂଶୀ ସୂରଜ ପତାକା ଉତ୍ତୋଳନ କରିବାକୁ ଯାଉଛନ୍ତି । ସେପଟେ ଖୋର୍ଦ୍ଧାରେ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, କନ୍ଧମାଳରେ ମନ୍ତ୍ରୀ ଗୋକୁଳାନ୍ଦ ମଲ୍ଲିକ ତଥା ରାୟଗଡାରେ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଏଥର ଜାତୀୟ ପତାକା ଉତ୍ତୋଳନ କରିବେ ବୋଲି ଜଣା ପଡିଛି ।

Get real time updates directly on you device, subscribe now.