fbpx

ଭାରତୀୟ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ବିଦେଶରେ ପାଠପଢ଼ା, ଜାଣନ୍ତୁ ତାଲିକାରେ କେଉଁ ଦେଶ ରହିଛି ସାମିଲ

ନୂଆଦିଲ୍ଲୀ: ଆଜିକାଲି ଯୁବପିଢ଼ିଙ୍କ ମଧ୍ୟରେ ବିଦେଶରେ ପାଠପଢ଼ା ପାଇଁ ଆଗ୍ରହ ବୃଦ୍ଧି ହେବାରେ ଲାଗିଛି । ବିଗତ ୫ ବର୍ଷରେ ଏହି ସଂଖ୍ୟା ଦ୍ୱିଗୁଣିତ ହୋଇଛି । ବୈଦେଶିକ ମନ୍ତ୍ରଳାୟର ପରିସଂଖ୍ୟାନ ଅନୁଯାୟୀ ୨୦୨୪ରେ ପ୍ରାୟ ୧୦୮ଟି ଦେଶରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୩, ୩୫, ୮୭୮କୁ ବୃଦ୍ଧି ହୋଇଛି । ୨୦୧୯ କୋଭିଡ୍ ସମୟରେ ବିଦେଶରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟ ୬, ୭୫, ୫୪୧ ଥିଲା । ୟୁରୋପ ଏବଂ ଆମେରିକାରେ ଅକ୍ଟୋବର- ନଭେମ୍ବରରେ ଆଡମିଶନ ହୋଇଥାଏ ତେଣୁ ବର୍ଷ ଶେଷରେ ଏହି ସଂଖ୍ୟା ବୃଦ୍ଧି ହେବା ଅନୁମାନ କରାଯାଉଛି । ଉତ୍ତମ କ୍ୟାରିୟର ସୁଯୋଗ, ନାଗରିକତା ପାଇଁ ସହଜ ନିୟମ ଇତ୍ୟାଦି କାରଣ ଯୁବପିଢ଼ିଙ୍କୁ ଆକର୍ଷିତ କରୁଛି । ତେବେ ଆସନ୍ତୁ ଜାଣିବା ଏହି ତାଲିକାରେ କେଉଁ ଦେଶ ସାମିଲ ଅଛନ୍ତି ।

୧. କାନାଡା: ବୈଦେଶିକ ମନ୍ତ୍ରାଳୟ ଅନୁଯାୟୀ ଉଚ୍ଚ ଶିକ୍ଷା ହାସଲ କରିବା ପାଇଁ କାନାଡା ହେଉଛି ଭାରତୀୟ ଛାତ୍ରଛାତ୍ରୀଙ୍କ ପ୍ରଥମ ପସନ୍ଦ । ବର୍ତ୍ତମାନ ସେଠାରେ ୪.୨୭ ଲକ୍ଷ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୦୧୯ରେ ଏହି ସଂଖ୍ୟା ୨, ୧୮, ୫୨୦ ଥିଲା । କାନାଡାରେ ପାଠପଢ଼ା ସହ ରୋଜଗାର ସୁଯୋଗ ସବୁଠାରୁ ଅଧିକ ରହିଛି । ଏହା ସହ ନାଗରିକତା ପ୍ରାପ୍ତ କରିବାର ନିୟମ ମଧ୍ୟ ସହଜ ।

୨. ଆମେରିକା: ଭାରତୀୟ ଛାତ୍ରଛାତ୍ରୀଙ୍କ ଦ୍ୱିତୀୟ ପସନ୍ଦରେ ରହିଛି ଆମେରିକା । ଏବେ ସେଠାରେ ପ୍ରାୟ ୩ ଲକ୍ଷ ୩୭ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି । ୨୦୧୯ରେ ଏହି ସଂଖ୍ୟା ୧ ଲକ୍ଷ ୯୩ ହଜାର ଥିଲା । ଉଚ୍ଚ ଶିକ୍ଷା ତଥା କ୍ୟାରିୟର ଦୃଷ୍ଟିରୁ ଆମେରିକାରେ ଉତ୍ତମ ସୁଯୋଗ ରହିଛି ।

୩. ବ୍ରିଟେନ୍: ୨୦୧୯ରେ ବ୍ରିଟେନରେ ୫୮ ହଜାର ୭୮୯ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ । ବର୍ତ୍ତମାନ ଏହି ସଂଖ୍ୟା ୩ ଗୁଣା ବୃଦ୍ଧି ପାଇ ୧.୮୫ ଲକ୍ଷରେ ପହଂଚିଛି । ବ୍ରିଟେନରେ ୧ ବର୍ଷର ମାଷ୍ଟର୍ସ କୋର୍ସ ତଥା ସ୍ନାତକୋତ୍ତର ପରେ ୨ ବର୍ଷ ପାଇଁ ଅତିରିକ୍ତ ଭିସା ପ୍ରମୁଖ ଆକର୍ଷଣ ।

୪. ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆରେ ବର୍ତ୍ତମାନ ୧ ଲକ୍ଷ ୨୨ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ୨୦୧୯ରେ ଅଷ୍ଟ୍ରେଲିଆ ଭାରତୀୟ ଛାତ୍ରଛାତ୍ରୀଙ୍କ ୩ୟ ପସନ୍ଦରେ ସାମିଲ ଥିଲା । ସେତେବେଳେ ୧ ଲକ୍ଷ ୧୫ ହଜାର ଛାତ୍ରଛାତ୍ରୀ ସେଠାରେ ପଢ଼ୁଥିଲେ । ଅଷ୍ଟ୍ରେଲିଆରେ ଚାକିରି, ରୋଜଗାର ଉପଲବ୍ଧତା ଏବଂ ସ୍ଥାନାନ୍ତରଣର ସହଜ ନିୟମ ରହିଛି ।

ସେହିପରି ଜର୍ମାନୀ, ୟୁଏଇ, ରୁଷ, ଚେକ୍ ଗଣରାଜ୍ୟ ତଥା ଜର୍ଜିଆରେ ମଧ୍ୟ ଅନେକ ସଂଖ୍ୟାରେ ଭାରତୀୟ ଛାତ୍ରଛାତ୍ରୀ ଅଧ୍ୟୟନ କରିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଅପରପକ୍ଷରେ ଚୀନରେ ପାଠପଢ଼ିବା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ହେବାରେ ଲାଗିଛି । ୨୦୧୯ରେ ସେଠାରେ ଭାରତୀୟ ଛାତ୍ରଛାତ୍ରୀଙ୍କ ସଂଖ୍ୟା ପ୍ରାୟ ୧୫ ହଜାରରୁ ୨୦୧୪ରେ ୮ ହଜାରକୁ ହ୍ରାସ ପାଇଛି । କୋଭିଡ୍ କାଳରେ ପ୍ରତିବନ୍ଧକ ଏହାର ଏକ ମୁଖ୍ୟ କାରଣ ହୋଇପାରେ ।

 

Get real time updates directly on you device, subscribe now.