ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା କହିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ କହିଛନ୍ତି ଓଡ଼ିଶା ଲୋକଙ୍କ ଗହମ ପାଇଁ ଚାହିଦାକୁ ଦୃଷ୍ଟିରେ ରଖି ଦାବି ରଖିଛି । ତେବେ ପୂର୍ବରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳୁଥିବା ଗହମ କୁ ବନ୍ଦ କରି ଅଧିକ ଚାଉଳ ଦେବାକୁ କେନ୍ଦ୍ରକୁ ଦାବି କରି ଗହମ ଯୋଗାଣକୁ ବନ୍ଦ କରିଦିଆ ଯାଇଥିଲା ।
ସେବେକାର ବିଜେଡି ସରକାର ଗହମକୁ ବନ୍ଦ କରି ରାସନ କାର୍ଡ ହିତାଧିକାରୀଙ୍କୁ କେବଳ ଚାଉଳ ଯୋଗାଇ ଦେଉଥିଲେ । ବର୍ତ୍ତମାନ ଖାଦ୍ୟ ଯୋଗାଣ ମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ରାସନ କାର୍ଡ ହିତାଧିକାରୀଙ୍କୁ ପୁଣି ଥରେ ପୂର୍ବ ଭଳି ଚାଉଳ ସହ ଗହମ ମିଳିବାକୁ ଯାଉଛି।