fbpx

ଓଡ଼ିଶାରେ ପ୍ରତିଷ୍ଠା ହେବ ଏକ ‘ଜାହାଜ ପୁନଃଚକ୍ରଣ ପାର୍କ’: ରାଜ୍ୟରେ ସୃଷ୍ଟି ହେବ ୭୦ ହଜାର ନିଯୁକ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନୂଆ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ସ୍ଥାପନ ହେବାକୁ ଯାଉଛି ଏକ ‘ଗ୍ରୀନ୍ ଶିପ୍ ରିସାଇକ୍ଲିଂ ଶିଳ୍ପ ପାର୍କ’ । ଏହି ଶିଳ୍ପ ପାର୍କ ସ୍ଥାପନ ହେଲେ ରାଜ୍ୟରେ ୨୦ ହଜାର ପ୍ରତ୍ୟେକ୍ଷ ନିଯୁକ୍ତି ଓ ୫୦ ହଜାର ପରୋକ୍ଷ ନିଯୁକ୍ତି ଏପରି ଭାବେ ମୋଟ ୭୦ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହି ଜାହାଜ ପୁନଃଚକ୍ରଣ ପାର୍କ ସ୍ଥାପନ ନେଇ ନେପଚୁନ୍ସ ନାମକ ଏକ ଜାହାଜ ନିର୍ମାଣକାରୀ ସଂସ୍ଥା ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ।

ସୂଚନା ମୁତାବକ, ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ଓଡ଼ିଶାରେ ପୁରୁଣା ଜାହାଜ ଭଙ୍ଗାଯାଇ ତା’ର ପୁନଃଚକ୍ରଣ କରାଯିବ । କମ୍ପାନୀର ଏହି ପ୍ରସ୍ତାବ ସମ୍ପର୍କରେ ଲୋକସେବା ଭବନରେ ଆୟୋଜିତ ବୈଠକରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ଚରଣ ସ୍ୱାଇଁ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଇଡକୋ ଏମଡି ଭୂପିନ୍ଦର ସିଂ ପୁନିଆ ଓ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଓଡ଼ିଶାରେ ବିସ୍ତୃତ ସମୁଦ୍ର ତଟ ରହିଥିବା ବେଳେ ଦୁଇ-ତିନୋଟି ବନ୍ଦର କାର୍ଯ୍ୟକ୍ଷମ ରହିଛି । ତେଣୁ ଏପରିସ୍ଥଳେ ନେପଚୁନ୍ସ କମ୍ପାନୀ ଓଡ଼ିଶାରେ ଏକ ଗ୍ରୀନ୍ ଶିପ୍ ରିସାଇକ୍ଲିଂ ଇଣ୍ଡଷ୍ଟ୍ରିଂ ପାର୍କ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ।

ଏହି ଅବସରରେ ସ୍ଥାନୀୟ ଅଞ୍ଚଳର କୁଶଳୀ ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବା ନେଇ ଉପମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଥିବା ବେଳେ ଆବଶ୍ୟକ ସ୍ଥଳେ ଦକ୍ଷତା ବିକାଶ ଅନୁଷ୍ଠାନ ଖୋଲାଯାଇ ଦକ୍ଷତା ବିକାଶ କରାଯିବ ବୋଲି ଶିଳ୍ପମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରକାଶ କରିଥିଲେ । ଏହି ପାର୍କ ପ୍ରତିଷ୍ଠା ହେଲେ ବାର୍ଷିକ ୩୦୦ ଜାହାଜର ପୁନଃଚକ୍ରଣ ହୋଇପାରିବ । ଏଥିରୁ ବାର୍ଷିକ ୫ ନିୟୁତ ଟନ୍ ଉଚ୍ଚ ମାନର ଇସ୍ପାତ ଓଡ଼ିଶାକୁ ମିଳିବ ଓ ରାଜ୍ୟ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ୨ ବିଲିୟନ ଡଲାର ଯୋଗଦାନ ହୋଇପାରିବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.