fbpx

ସିନେମା ହଲ୍ ବାହାରେ ବିତେଇଲେଣି ୨୦ ବର୍ଷ, ରାଧା ମାଉସୀ କୁହନ୍ତି – ଜୀବନ ଜଞ୍ଜାଳମୟ, ପ୍ରେରଣା ସାଜିଥିବା ଏମିତି ଜଣେ ନାରୀ

ଭୁବନେଶ୍ୱର: ଜୀବନ: କାହା ପାଇଁ କଷଟି ପଥର ତ ପୁଣି କାହା ପାଇଁ ମୃତ୍ୟୁକୁ ଧାର ମାଗିଥିବା କିଛି ସମୟ । କିଏ ଏହାକୁ ରଙ୍ଗୀନ କୁହେ ତ ପୁଣି କିଏ କୁହେ ବେଶ୍ କଷ୍ଟସାଧ୍ୟ। ତଥାପି ମଣିଷକୁ ଜୀବନ ନାମକ ନୌକାରେ ବସି ନଈ ପାର ହେବାକୁ ହୁଏ । ମାତ୍ର ସମସ୍ତେ ଏ ନଈ ପାର ହୋଇ ପାରନ୍ତିନି । କଷ୍ଟକୁ ସହ୍ୟ କରି ନ ପାରି କେହି କେହି ନିଜ ଜୀବନକୁ ହାରି ଦିଅନ୍ତି । ଅକାଳରେ ତାଙ୍କ ଜୀବନକୁ ବଳି ଦେଇ ଆତ୍ମହତ୍ୟା ଭଳି ଶବ୍ଦରେ ନିଜକୁ ସାମିଲ କରି ନିଅନ୍ତି। କିନ୍ତୁ, ଏ ମାଉସୀ ସମସ୍ତଙ୍କଠୁ ଟିକେ ଭିନ୍ନ। ମାଉସୀ କୁହନ୍ତି, ଜୀବନ ଜଞ୍ଜାଳମୟ…। ହେଲେ ବି ବଞ୍ଚିବାଟା ଥୟ ।

ରାଜ୍ୟ ରାଜଧାନୀ ଭୁବନେଶ୍ଵର । ସ୍ମାର୍ଟ୍ ସିଟି ଲୋକଙ୍କୁ ସାହାରା ଦିଏ । ଆଉ ଏ ମାଉସୀକୁ ବି ସାହାରା ଦେଇଛି ଭୁବନେଶ୍ଵର କେଶରୀ ସିନେମା ହଲ୍। ସାକ୍ଷୀଗୋପାଳ ସହରର ରାଧା ମାଉସୀ । ଦୀର୍ଘ ୨୦ ବର୍ଷ ହେବ ସିନେମା ହଲ୍ ବାହାରେ ସେ ଜୀବନ କାଟୁଛନ୍ତି । ଖରା, ବର୍ଷା କିମ୍ବା ଶୀତ ତାଙ୍କୁ ଡ଼ରାଇ ପାରେ ନାହିଁ । ବହୁ ବର୍ଷ ତଳେ ତାଙ୍କ ସ୍ବାମୀ ତାଙ୍କୁ ଘରୁ ବାହାର କରି ଦେଇଥିଲେ । ସେହି ସମୟରେ ସେ ସାହାରା ପାଇବା ପାଇଁ ଚାଲି ଆସିଥିଲେ ସେଇ ସମୟର ନୂଆ ସହର ଭୁବନେଶ୍ୱରକୁ । ସେବେଠୁ ସିନେମା ହଲ୍ ବାହାରେ ରୁହନ୍ତି ଓ ଜୀବନ ଜିଅନ୍ତି। ସିନେମା ହଲ୍ କର୍ମଚାରୀମାନେ ମାଉସୀକୁ କାମ ମିଳିଲେ ଯୋଗେଇ ଦିଅନ୍ତି । ପର୍ବପର୍ବାଣୀରେ ଭଲ ଭଲ ସିନେମା ଲାଗିଲେ ତାଙ୍କୁ କାମ ମିଳିଯାଏ । ନହେଲେ ସେ ହଲ୍ ପରିସର ଓ ବାହାର ସଫେଇ କାମ କରନ୍ତି । ୨୦ ବର୍ଷ ପୂର୍ବରୁ ପୁଅକୁ କୋଳରେ ଧରି ରାଧା ମାଉସୀ କେଶରୀ ସିନେମା ହଲ୍ ବାହାରକୁ ନିଜର ସାହାରା କରିଥିଲେ । ପୁଅ ବଡ ହୋଇ ସାରିଲାଣି। ମାତ୍ର ସମୟ ସୁଅରେ ରାଧା ମାଉସୀ ଏବେ ସାହାରା ବାଡି ବି ଧରିଲେଣି ।

ରାଧା ମାଉସୀଙ୍କୁ ସିନେମା ଦେଖିବାକୁ ଆସିଥିବା ଅନେକ ଲୋକ ସାହାଯ୍ୟ କରନ୍ତି । ତାହାସହ ତାଙ୍କ ଜୀବନକୁ ନେଇ ଅନେକ ପ୍ରଶ୍ନ ବି କରନ୍ତି । ମାତ୍ର ମାଉସୀ ମୁରୁକି ହସରେ ସହଜରେ କହି ଦିଅନ୍ତି ଜୀବନ ଜଞ୍ଜାଳମୟ ବୋଲି । କୃଷ୍ଣ ରାଧାଙ୍କୁ ଛାଡି ଗଲା ଭଳି ରାଧା ମାଉସୀଙ୍କ ସ୍ବାମୀ ବି କୌଣସି କାରଣବଶତଃ ତାଙ୍କୁ ଦିନେ ଛାଡି ଦେଇଥିଲେ । ମାତ୍ର ରାଧା ମାଉସୀ କେବେ ହାର ମାନି ନାହାନ୍ତି । ସେ ଜୀବନ ଜିଇଁଛନ୍ତି, ଜିଉଁଛନ୍ତି ଓ ଆଗକୁ ବି ଜିଇଁବେ । ମାଉସୀଙ୍କ ଜୀବନର କାହାଣୀ କେଶରୀ ସିନେମା ହଲ୍ ରେ ରିଲିଜ୍ ହେଉଥିବା ଅନେକ ସିନେମାର କାହାଣୀ ଭଳି । କେଶରୀ ସିନେମା ହଲ୍ ପରଦାରେ ଯାହା ଦିଶେ, ମାଉସୀଙ୍କ ବାସ୍ତବ ଜୀବନରେ ତାହା ପ୍ରତିଫଳିତ ହୁଏ । ଯାହା ଆଧୁନିକ ନାରୀ ସମାଜ ପାଇଁ ନିଶ୍ଚିତ ଭାବରେ ଏକ ପ୍ରେରଣା । ରାଧା ମାଉସୀଙ୍କ ଜୀବନ କାହାଣୀ କୁହେ – ସତରେ ଜୀବନ କେତେ ସୁନ୍ଦର!

Get real time updates directly on you device, subscribe now.