fbpx

IND vs BAN ଟି-୨୦ ସିରିଜ ପୂର୍ବରୁ ଧମକ ଦେଉଛି ହିନ୍ଦୁ ମହାସଭା: ଭାରତର କ୍ରିକେଟ ବୋର୍ଡକୁ ଚିଠି

ନୂଆଦିଲ୍ଲୀ: ଅକ୍ଟୋବର ୬ ତାରିଖରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ଖେଳିବାକୁ ଯାଉଛି ଟିମ ଇଣ୍ଡିଆ । ଏହି ସିରିଜର ପ୍ରଥମ ମ୍ୟାଚ୍ ଗ୍ୱାଲିୟରରେ ଗେଳାଯିବାର ସୂଚୀ ରହିଛି । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)କୁ ମିଳୁଛି ଧମକ୍ । ଟି-୨୦ କ୍ରିକେଟ ମ୍ୟାଚକୁ ନେଇ ହିନ୍ଦୁ ମହାସଭା ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିବା ବେଳେ ବୋର୍ଡକୁ ମଧ୍ୟ ଏ ନେଇ ଚିଠି ଲେଖିଛି । ତେବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ କାରଣ ଦର୍ଶାଇ ଏହି ମ୍ୟାଚ୍ ରଦ୍ଦ କରିବା ପାଇଁ ଦାବି କରିଛି ହିନ୍ଦୁ ମହାସଭା । ଭାରତୀୟ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଜୟ ଶାହଙ୍କ ଉଦ୍ଦେଶ୍ୟରେ ହିନ୍ଦୁ ମହାସଭା ଏହି ଚିଠି ଲେଖି ନିଜର ଦାବି ଜଣାଇଛି ।

ହିନ୍ଦୁ ମହାସଭା ଅଗଷ୍ଟ ୧୮ ତାରିଖରେ ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖକୁ ମଧ୍ୟ ଚିଠି ଲେଖିଥିଲା । ଏହି ଚିଠିରେ ମଧ୍ୟ ଭାରତ-ବାଂଲାଦେଶ ବିପକ୍ଷ ମ୍ୟାଚ୍ ରଦ୍ଦ କରିବା ପାଇଁ ଆବେଦନ କରାଯାଇଥିଲା । ତେବେ ବିସିସିଆଇକୁ ୧୫ ଦିନର ଅଲ୍ଟିମେଟମ୍ ଦେଇଛି ହିନ୍ଦୁ ମହାସଭା । ଅଗଷ୍ଟ ୩୦ ତାରିଖ ସୁଦ୍ଧା ଏହି ମ୍ୟାଚ ରଦ୍ଦ କରା ନଗଲେ, ହିନ୍ଦୁ ମହାସଭା ଦେଶବ୍ୟାପୀ ହିନ୍ଦୁ ନେତାଙ୍କୁ ଏକାଠି କରି ଗ୍ୱାଲିୟରରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ଧମକ ଦେଇଛି । ଗ୍ୱାଲିୟର ଷ୍ଟାଡିୟମ ନିକଟରେ ଅଧିକ ମୁସଲିମ ଜନସଂଖ୍ୟା ଯୋଗୁଁ ସାମାଜିକ ସୌହାର୍ଦ୍ଦ୍ୟ ମଧ୍ୟ ବିଗିଡ଼ପାରେ ବୋଲି କହିଛି ହିନ୍ଦୁ ମହାସଭା । ତେବେ କୌଣସି ଦଙ୍ଗା ହେଲେ, ଏଥିପାଇଁ ବିସିସିଆଇ ଏବଂ ଜିଲ୍ଲା ପ୍ରଶାସନ ହିଁ ଦାୟୀ ରହିବ ବୋଲି ହିନ୍ଦୁ ମହାସଭା ଚେତାବନୀ ଦେଇଛି ।

ଅକ୍ଟୋବର ୫ ତାରିଖରେ ହିନ୍ଦୁ ମହାସଭାସାରା ଦେଶର ହିନ୍ଦୁ ସଂଗଠନକୁ ଆମନ୍ତ୍ରଣ କରି ଗ୍ୱାଲିୟରରେ ମହାସମ୍ମିଳନୀ ଆୟୋଜିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛି । ତେବେ ମ୍ୟାଚ୍ ପୂର୍ବ ଦିନ ହେବାକୁ ଥିବା ଏହି ମହାସମ୍ମିଳନୀ ଉପରେ ପୋଲିସର ତୀକ୍ଷ୍ଣ ନଜର ରହିବ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ବାଂଲାଦେଶ ମ୍ୟାଚ୍ ଖେଳିବାକୁ ଦିଆଯିବ ନାହିଁ ବୋଲି କହିଛି ହିନ୍ଦୁ ମହାସଭା । ଏହି ପ୍ରସଙ୍ଗରେ ହିନ୍ଦୁ ମହାସଭାର ସକ୍ରିୟତା ଏବଂ ବିରୋଧର ପ୍ରଭାବ ଟି-୨୦ ମ୍ୟାଚ ପ୍ରସ୍ତୁତି ଏବଂ ଏହାର ଆୟୋଜନ ଉପରେ ପଡ଼ିପାରେ । ତେଣୁ ପ୍ରଶାସନ ଏବଂ ସୁରକ୍ଷା ଏଜେନ୍ସିମାନଙ୍କୁ ଏଭଳି ପରିସ୍ଥିତିକୁ ସାମନା କରିବା ପାଇଁ ସଜାଗ ରହିବାକୁ ପଡ଼ିବ ।

Get real time updates directly on you device, subscribe now.