ଓଡ଼ିଶା ଭାସ୍କର: ଓଡ଼ିଶା ସରକାରଙ୍କ ତରଫରୁ ରାଜ୍ୟର ପ୍ରତି ମହିଳାମାନଙ୍କୁ ଏକ ବଡ଼ ଖୁସି ଖବର ଦିଆଯାଇଛି । ବିଧାନସଭାରେ ଆଜି ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଓଡ଼ିଶାର ଯୁବତୀ ତଥା ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନାର ଏସଓପି ଜାରି କରାଯାଇଛି । ଏହି ଯୋଜନାରେ ରାଜ୍ୟର ପ୍ରାୟ ୧ କୋଟିରୁ ଅଧିକ ମହିଳା ଲାଭବାନ୍ ହୋଇପାରିବେ । ତେବେ କେଉଁମାନଙ୍କୁ ମିଳିବ ଏହି ଯୋଜନାର ଫାଇଦା? କେଉଁମାନଙ୍କୁ ଯୋଜନାରୁ ବାଦ୍ ଦେବେ ସରକାର? କେବେଠାରୁ ଆରମ୍ଭ ହେବ ଏହି ଯୋଜନା?
ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆଜି ବହୁ ପ୍ରତିକ୍ଷୀତ ସୁଭଦ୍ରା ଯୋଜନା ପାଇଁ ଏସଓପି ଜାରି କରାଯାଇଛି । ଏହି ଏସଓପି ଅନୁସାରେ, ରାଜ୍ୟରେ ୨୧ ବର୍ଷରୁ ଅଧିକ ଏବଂ ୬୦ ବର୍ଷରୁ କମ ବୟସର ସମସ୍ତ ମହିଳାଙ୍କୁ ଏଥିରେ ସାମିଲ କରାଯିବ । ଏହି ଯୋଜନାରେ ମହିଳାମାନେ ବାର୍ଷିକ ୧୦ ହଜାର ଟଙ୍କାର ରାଶି ପାଇପାରିବେ । ବର୍ଷକୁ ୨ଟି କିସ୍ତିରେ ମହିଳାମାନେ ଏହି ଟଙ୍କା ପାଇପାରିବେ ।
କିଏ ପାଇବେ ଏହି ସୁବିଧା?
ଓଡ଼ିଶାର ୨୧ ବର୍ଷରୁ ଅଧିକ ମହିଳାମାନେ ସରକାରଙ୍କ ଏହି ମହିଳା ବିକାଶ ଯୋଜନାରେ ସାମିଲ ହୋଇପାରିବେ । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ସର୍ବାଧିକ ବୟସ ସୀମା ରହିଛି ୬୦ ବର୍ଷ । ରାଜ୍ୟର ପ୍ରାୟ ୧ କୋଟି ଅଧିକ ମହିଳା ଏହି ଯୋଜନାରେ ଉପକୃତ ହୋଇପାରିବେ । ତେବେ ଏହି ଯୋଜନାରେ ମହିଳାମାନଙ୍କୁ ଆର୍ଥିକ ସହାୟତା ସହିତ ଜୀବନରେ ପରିବର୍ତ୍ତନ ଆଣିପାରିବ ।
କେଉଁମାନେ ବାଦ୍ ପଡ଼ିବେ?
ସୁଭଦ୍ରା ଯୋଜନାର ଏସଓପି ଅନୁସାରେ, ରାଜ୍ୟର ୨୧-୬୦ ବର୍ଷର ମହିଳାଙ୍କୁ ଏଥିରେ ସାମିଲ କରାଯିବ । କିନ୍ତୁ ସରକାରୀ କ୍ଷେତ୍ରରେ କାର୍ଯ୍ୟରତ ମହିଳାମାନେ ଏଥିରୁ ବାଦ୍ ପଡ଼ିବେ ବୋଲି ସରକାର ଘୋଷଣା କରିଛନ୍ତି । ସେହିପରି ଆର୍ଥିକ ସ୍ଵଚ୍ଛଳ ବର୍ଗର ମହିଳା, ସରକାରୀ ଚାକିରି କରୁଥିବା ମହିଳା ଓ ଆୟକର ପ୍ରଦାନ କରୁଥିବା ମହିଳାମାନେ ଏହି ଯାଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ଏତଦ ବ୍ୟତୀତ, କୌଣସି ସରକାରୀ ଯୋଜନାରେ ମାସିକ ୧,୫୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ଅଥବା ବାର୍ଷିକ ୧୮,୦୦୦ ଟଙ୍କା କିମ୍ବା ତଦୁର୍ଦ୍ଧ ସହାୟତା ରାଶି ପାଉଥିବା ମହିଳାମାନେ ‘ସୁଭଦ୍ରା’ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ ନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।